ବେଙ୍ଗାଲୁରୁ, ୨୯।୪: ମହାକାଶକୁ ଯିବାର ସ୍ୱପ୍ନ ଏବେ କେବଳ ବାୟୁସେନାର ଫାଇଟର ପାଇଲଟଙ୍କ ମଧ୍ୟରେ ସୀମିତ ରହିବ ନାହିଁ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଏକ ବୈପ୍ଳବିକ ପଦକ୍ଷେପ ଗ୍ରହଣ କରି ନିଜର ଆଷ୍ଟ୍ରୋନଟ୍ କ୍ୟାଡରର ଦ୍ୱାର ସାଧାରଣ ନାଗରିକଙ୍କ ପାଇଁ ଖୋଲିବାକୁ ନିଷ୍ପତ୍ତି ନେଇଛି । ଆଗାମୀ ଦିନରେ ଗଗନଯାନ ମିଶନରେ କେବଳ ସେନା ପାଇଲଟ୍ ନୁହେଁ, ବରଂ ବୈଜ୍ଞାନିକ ଏବଂ ବୈଷୟିକ ବିଶେଷଜ୍ଞମାନେ ମଧ୍ୟ ମହାକାଶ ଯାତ୍ରା କରୁଥିବାର ନଜର ଆସିବେ । ISROର ଆଷ୍ଟ୍ରୋନଟ୍ ସିଲେକ୍ସନ କମିଟିର ସୁପାରିଶ ଅନୁଯାୟୀ, ଗଗନଯାନ ମିଶନର ପରବର୍ତ୍ତୀ ପର୍ଯ୍ୟାୟଗୁଡ଼ିକରେ ବିବିଧତାକୁ ପ୍ରାଧାନ୍ୟ ଦିଆଯିବ । ଭବିଷ୍ୟତର ବ୍ୟାଚ୍ଗୁଡ଼ିକରେ ବାୟୁସେନା ପାଇଲଟଙ୍କ ସହ ୪ ଜଣ ସାଧାରଣ ନାଗରିକଙ୍କୁ ସାମିଲ କରାଯିବ । ତେବେ ଏଥିପାଇଁ ପ୍ରାର୍ଥୀଙ୍କୁ STEM (Science, Technology, Engineering, and Math) କ୍ଷେତ୍ରରେ ବିଶେଷଜ୍ଞ ହେବା ଜରୁରୀ । ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମହାକାଶରେ କେବଳ ଯାତ୍ରା କରିବା ନୁହେଁ, ବରଂ ସେଠାରେ ରହି ଜଟିଳ ବୈଜ୍ଞାନିକ ଗବେଷଣା ଏବଂ ବୈଷୟିକ କାର୍ଯ୍ୟ ସମ୍ପାଦନ କରିବା ।
କଠିନ ପ୍ରଶିକ୍ଷଣରୁ ଆରମ୍ଭ ହେବ ଯାତ୍ରା:
ଜଣେ ମହାକାଶଚାରୀ ହେବା ସହଜ କାମ ନୁହେଁ । ISROର ମାନକ ଅନୁଯାୟୀ, ଜଣେ ବ୍ୟକ୍ତିଙ୍କୁ ଚୟନ କରିବାଠାରୁ ଆରମ୍ଭ କରି ମିଶନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିବା ପାଇଁ ପ୍ରାୟ ୫୪ ମାସ ଅର୍ଥାତ୍ ସାଢ଼େ ୪ ବର୍ଷ ସମୟ ଲାଗିଥାଏ । ଦ୍ୱିତୀୟ ବ୍ୟାଚ୍ ଆଗାମୀ ୭୨ ମାସ ମଧ୍ୟରେ ପ୍ରସ୍ତୁତ ହେବେ । ତୃତୀୟ ବ୍ୟାଚ୍ ଆଗାମୀ ୯୬ ମାସ ମଧ୍ୟରେ ପ୍ରସ୍ତୁତ ହେବେ । ଏହି ପ୍ରକ୍ରିୟାରେ ପ୍ରାର୍ଥୀଙ୍କ ଶାରୀରିକ ଫିଟନେସ୍ ଠାରୁ ଆରମ୍ଭ କରି ବୈଷୟିକ ଦକ୍ଷତାର କଠିନ ପରୀକ୍ଷା ନିଆଯିବ ।
ଚତୁର୍ଥ ମିଶନରୁ ଯିବେ ସାଧାରଣ ନାଗରିକ:
ଯଦିଓ ଦ୍ୱିତୀୟ ବ୍ୟାଚ୍ରେ ନାଗରିକମାନଙ୍କୁ ପ୍ରଶିକ୍ଷଣ ଦିଆଯିବ, କିନ୍ତୁ ସେମାନଙ୍କର ପ୍ରକୃତ ମହାକାଶ ଯାତ୍ରା ଚତୁର୍ଥ ମାନବ ମିଶନରୁ ଆରମ୍ଭ ହେବ । ISROର କହିବା ଅନୁଯାୟୀ, ଯେ ପର୍ଯ୍ୟନ୍ତ ଭାରତୀୟ ମହାକାଶ ପ୍ରଯୁକ୍ତିବିଦ୍ୟା ସମ୍ପୂର୍ଣ୍ଣ ପରିପକ୍ୱ ଏବଂ ସୁରକ୍ଷିତ ନ ହୋଇଛି, ସେ ପର୍ଯ୍ୟନ୍ତ କେବଳ ମିଲିଟାରୀ ବ୍ୟାକଗ୍ରାଉଣ୍ଡର ପାଇଲଟଙ୍କୁ ପଠାଯିବା ଉଚିତ୍ । ଥରେ ସୁରକ୍ଷା ବ୍ୟବସ୍ଥା ଶତ ପ୍ରତିଶତ ନିଶ୍ଚିତ ହେବା ପରେ ସିଭିଲିଆନ୍ ସ୍ପେସିଆଲିଷ୍ଟମାନେ ଅନ୍ତରୀକ୍ଷକୁ ଯିବେ ।
ଗଗନଯାନ: ଭାରତର ମହତ୍ତ୍ୱାକାଂକ୍ଷୀ ଅଭିଯାନ
ISROର ପ୍ରଥମ କ୍ରୁ-ସ୍ପେସ୍ ଫ୍ଲାଇଟ୍ ପ୍ରୋଗ୍ରାମ 'ଗଗନଯାନ' ୨୦୨୭ ସୁଦ୍ଧା ଲଞ୍ଚ ହେବାକୁ ଯାଉଛି । ଏହି ମିଶନରେ ୩ ଜଣ ମହାକାଶଚାରୀ ପୃଥିବୀ ପୃଷ୍ଠରୁ ୪୦୦ କିଲୋମିଟର ଉପର କକ୍ଷପଥକୁ ଯିବେ । ପ୍ରଥମ ବ୍ୟାଚ୍ ପାଇଁ ବାୟୁସେନାର ଅଭିଜ୍ଞ ଟେଷ୍ଟ ପାଇଲଟ୍ଙ୍କୁ ଚୟନ କରାଯାଇଛି, ଯେଉଁଥିରେ ଅଛନ୍ତି ଏୟାର କମାଣ୍ଡର ପ୍ରଶାନ୍ତ ବି. ନାୟର, ଗ୍ରୁପ୍ କ୍ୟାପଟେନ ଶୁଭାଂଶୁ ଶୁକ୍ଳା, ଗ୍ରୁପ୍ କ୍ୟାପଟେନ ଅଜିତ କୃଷ୍ଣନ, ଗ୍ରୁପ୍ କ୍ୟାପଟେନ ଅଙ୍ଗଦ ପ୍ରତାପ ଏବଂ ୪୦ ଜଣ ଆଷ୍ଟ୍ରୋନଟଙ୍କ ପୁଲ୍ ପ୍ରସ୍ତୁତ ହେବ । ଭବିଷ୍ୟତରେ ପ୍ରତିବର୍ଷ ଦୁଇଟି ମାନବ ମିଶନ ପଠାଇବାକୁ ISRO ଯୋଜନା କରିଛି । ଏଥିପାଇଁ ୪୦ ଜଣ ଦକ୍ଷ ମହାକାଶଚାରୀଙ୍କର ଏକ ସ୍ଥାୟୀ ଦଳ ଗଠନ କରାଯିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ତୃତୀୟ ବ୍ୟାଚ୍ର ସଂରଚନାରେ ବଡ଼ ପରିବର୍ତ୍ତନ ହେବ, ଯେଉଁଥିରେ ୧୨ ଜଣଙ୍କ ମଧ୍ୟରୁ ୧୦ ଜଣ ସିଭିଲିଆନ୍ ବା ସାଧାରଣ ନାଗରିକ ହେବେ । ଏହା ଭବିଷ୍ୟତର ମହାକାଶ ଅଭିଯାନରେ ଭାରତର ବଢ଼ୁଥିବା ଆତ୍ମନିର୍ଭରଶୀଳତାର ଏକ ସ୍ପଷ୍ଟ ସଙ୍କେତ ।
ଆହୁରି ପଢ଼ନ୍ତୁ... Digital Arrest Scams: ଡିଜିଟାଲ ଠକେଇ ଉପରେ ସରକାରଙ୍କ ‘ସର୍ଜିକାଲ ଷ୍ଟ୍ରାଇକ୍’, ଏଣିକି ସିମ୍ ପାଇଁ ବାୟୋମେଟ୍ରିକ୍ ବାଧ୍ୟତାମୂଳକ