ନୂଆଦିଲ୍ଲୀ,୨୪/୦୭: ଭାରତ ନ ଥିଲେ ବରବାଦ ହୋଇଯାଇଥାଆନ୍ତା ମାଳଦ୍ୱୀପର ଅର୍ଥବ୍ୟବସ୍ଥା । ଏଭଳି କିଛି ବୟାନ ଦେଇଛନ୍ତି ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନଶିଦ । ଗଣମାଧ୍ୟମକୁ ସେ କହିଛନ୍ତି ଯେ, ମାଳଦ୍ୱୀପର ଆର୍ଥିକ ସ୍ଥିତି ଏତେ ଖରାପ ହୋଇଯାଇଥିଲା ଯେ ଭାରତ ସହାୟତା କରି ନ ଥିଲେ ଆମେ ଦେବାଳିଆ ହୋଇଯାଇଥାଆନ୍ତୁ । ୨୦୨୨-୨୩ରେ ପର୍ଯ୍ୟଟନ ଠପ୍ ହେବା ଯୋଗୁ ମାଳଦ୍ୱୀପ ଗମ୍ଭୀର ଆର୍ଥିକ ସଙ୍କଟ ଭିତରକୁ ଠେଲି ହୋଇଯାଇଥିଲା । ଦେଶ ଉପରେ ବିଦେଶୀ ଋଣ ବଢ଼ିଥିଲା ଏବଂ ଡଲାର ଷ୍ଟକ୍ ହ୍ରାସ ପାଇଥିଲା ।
ସେ ଆହୁରି ମଧ୍ୟ କହିଛନ୍ତି, ଭାରତ ଖାଦ୍ୟଶସ୍ୟ, ଇନ୍ଧନ ଯୋଗାଣ ସହ କ୍ରେଡିଟ ଲାଇନ ଦେଇ ମାଳଦ୍ୱୀପକୁ ଦେବାଳିଆ ହେବାରୁ ବଞ୍ଚାଇଥିଲା । ଭାରତର ପ୍ରଧାନମନ୍ତ୍ରୀଙ୍କ ମାଳଦ୍ୱୀପ ଗସ୍ତ ପୂର୍ବରୁ ନଶିଦ୍ଙ୍କ ଏହି ବୟାନ ଆସିଛି । ମୋଦି ଆସନ୍ତା ୨୫ ଏବଂ ୨୬ ତାରିଖରେ ମାଳଦ୍ୱୀପ ଗସ୍ତରେ ଯିବେ। ଏହି ଅବସରରେ ସେ ମାଳଦ୍ୱୀପ ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ଭେଟିବା ସହ ମୋଦି ତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ନଶିଦ ଆହୁରି କହିଛନ୍ତି, ମାଳଦ୍ୱୀପର ବିଦେଶ ନୀତି ସର୍ବଦା ‘ଇଣ୍ଡିଆ ଫାର୍ଷ୍ଟ’ ବା ‘ପ୍ରଥମେ ଭାରତ’ରହିଛି ।
ନିର୍ବାଚନ ଯୋଗୁ ମାଳଦ୍ୱୀପର ନୀତି କିଛି ମାତ୍ରାରେ ଚୀନ୍ ଆଗରେ ନଇଁଯାଉଥିବା କଥା ମଧ୍ୟ ନଶିଦ ମାନିଥିଲେ । କିନ୍ତୁ ଏବେ ଆଉ ତାହା ନାହିଁ ବୋଲି ସେ କହିଛନ୍ତି । ଇଣ୍ଡିଆ ଫାର୍ଷ୍ଟ ନୀତି ଯୋଗୁ ମାଳଦ୍ୱୀପକୁ ବଡ଼ ଆର୍ଥିକ ସମ୍ଭାବନାର ବାଟ ଫିଟିଛି । ଏଥିଯୋଗୁ ମାଳଦ୍ୱୀପରେ ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଛି । ମୋଦିଙ୍କ ଗସ୍ତ ପରେ ପର୍ଯ୍ୟଟକଙ୍କ ସଂଖ୍ୟା ଅଧିକ ହେବ ବୋଲି ନଶିଦ ଆଶା ପ୍ରକାଶ କରିଛନ୍ତି । ମାଳଦ୍ୱୀପର ପୂର୍ବତନ ବିଦେଶ ମନ୍ତ୍ରୀ ଅବଦୁଲା ସାହିଦ ମଧ୍ୟ ଭାରତର ପ୍ରଶଂସା କରିଛନ୍ତି ।