ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍‌ର ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଏବେ ଚିନ୍ତା ଲାଗିରହିଛି । ଅଧିନାୟକ ରୋହିତ ଶର୍ମାଙ୍କ ପାଖରୁ ସାମିଙ୍କ ଫିଟନେସ୍‌ ସଂପର୍କରେ ଜାଣିବାକୁ ଚେଷ୍ଟା କରାଯାଉଛି । ଏବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍‌ ବୋର୍ଡ (ବିସିସିଆଇ) ସାମିଙ୍କ ସ୍ବାସ୍ଥ୍ୟକୁ ନେଇ ପ୍ରଥମ ଥର ସୂଚନା ଦେଇଛି । ବିସିସିଆଇ ଯେଉଁ ସୂଚନା ଦେଇଛି ତାହା ଉଭୟ ଭାରତୀୟ ଦଳ ଏବଂ ସାମିଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର । ଭାରତୀୟ ଟିମ୍‌ରେ ସାମିଙ୍କ ପ୍ରତ୍ୟାବର୍ତ୍ତନ ଅସମ୍ଭବ ବୋଲି କୁହାଯାଉଛି । ଏପରିକି ବିଜୟ ହଜାରେ ଟ୍ରଫିରେ ତାଙ୍କର ଖେଳିବାର ସମ୍ଭାବନା ମଧ୍ୟ କମ୍‌ । 

ବିସିସିଆଇ ସୋମବାର ସାମିଙ୍କ ଫିଟନେସ୍‌କୁ ନେଇ ବିସ୍ତୃତ ବିବରଣୀ ଜାରି କରିଛି । ଗୋଇଠିରେ ଆଘାତ ଯୋଗୁ ସମସ୍ୟା ଭୋଗୁଥିବା ସାମି ସେଣ୍ଟର ଅଫ ଏକ୍ସେଲେନ୍ସି ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏଥିରୁ ସେ ଆଶ୍ବସ୍ତି ପାଇବା ପରେ ଏବେ ନୂଆ ସମସ୍ୟାରେ ପଡ଼ିଛନ୍ତି । ଲଗାତାର ବୋଲିଂ କରିବାରୁ ତାଙ୍କ ଆଣ୍ଠୁରେ ସମସ୍ୟା ଦେଖାଦେଇଛି, ଏଥିପାଇଁ ମେଡିକାଲ ଟିମ୍‌ ତାଙ୍କୁ ଶେଷ ଦୁଇଟି ଟେଷ୍ଟରେ ନଖେଳିବାକୁ ପରାମର୍ଶ ଦେଇଛନ୍ତି । ସାମି ଟେଷ୍ଟ ଖେଳିବାକୁ ଫିଟ୍‌ ନଥିବା ଡାକ୍ତରୀ ଦଳ ପକ୍ଷରୁ କୁହାଯାଇଛି । 

ପ୍ରେସ ବିଜ୍ଞପ୍ତିରେ ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ଗୋଇଠିରେ ଲାଗିଥିବା ଆଘାତରୁ ସୁସ୍ଥ ହେବା ପରେ ମହମ୍ମଦ ସାମି ରଣଜୀ ଟ୍ରଫି ଖେଳିଥିଲେ ଏବଂ ୪୩ ଓଭର ବୋଲିଂ କରିଥିଲେ । ଏହା ପରେ ସାମି ସୟଦ ମୁସ୍ତାକ ଅଲି ଟି-୨୦ ଟ୍ରଫିରେ ବେଙ୍ଗଲ ପାଇଁ ସବୁ ମ୍ୟାଚ୍‌ ଖେଲିଥିଲେ । ଏହା ବ୍ୟତୀତ ମହମ୍ମଦ ସାମି ସେଣ୍ଟର ଅଫ ଏକ୍ସେଲେନ୍ସିରେ ବୋଲିଂ ଅଭ୍ୟାସ କରିଥିଲେ ଏବଂ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ପ୍ରୟାସ କରିଥିଲେ । ଏହି ସମୟରେ ତାଙ୍କର ବାମ ଆଣ୍ଠୁରେ ସମସ୍ୟା ଦେଖା ଦେଇଥିଲା । ତେବେ ଅଧିକ ବୋଲିଂ କରିବାରୁ ଏଭଳି ସମସ୍ୟା ହେବା ସ୍ବାଭାବିକ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । 




ଅନ୍ୟପଟେ ବିଜୟ ହଜାରେ ଟ୍ରଫି ସାମି ଖେଳିବେ କି ନାହିଁ ତାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଯଦି ସେ ଆଣ୍ଠୁ ଜନିତ ସମସ୍ୟାରୁ ମୁକ୍ତି ନପାଆନ୍ତି ତେବେ ସେ ଏହି ଟୁର୍ଣ୍ଣାମେଣ୍ଟ ଖେଳିପାରିବେ ନାହିଁ । ସେ ମେଡିକାଲ୍‌ ଟିମ୍‌ର ତତ୍ତ୍ବାବଧାନରେ ବୋଲିଂ ଅଭ୍ୟାସ ଜାରି ରଖିବେ ବୋଲି ବୋର୍ଡ କହିଛି ।  ଯଦି ସାମି ଫିଟ୍‌ ନହୁଅନ୍ତି ତେବେ ଆଗାମୀ ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ତାଙ୍କ ଖେଳିବା ଉପରେ ଆଶଙ୍କା ସୃଷ୍ଟି ହେବ ।