ନୂଆଦିଲ୍ଲୀ, ୨୧/୧୦: ଇସ୍ରାଏଲ୍ର ସର୍ବାଧିକ ସମୟ ପାଇଁ କାର୍ଯ୍ୟଭାରରେ ରହିଥିବା ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଆଜି ଜନ୍ମଦିନ। ସେ ୭୪ ବର୍ଷ ବୟସରେ ପାଦ ଥାପିଛନ୍ତି। ସେ ହେଉଛନ୍ତି ଇସ୍ରାଏଲର ସବୁଠାରୁ ଦୀର୍ଘ ସମୟ ଧରି ପ୍ରଧାନମନ୍ତ୍ରୀ ଭାବରେ ଶାସନରେ ଥିବା ଜଣେ ରାଜନେତା । ୧୯୪୯ ମସିହାରେ ଇସ୍ରାଏଲ୍ର ତେଲ୍ ଅଭିବଠାରେ ଜନ୍ମ ଗ୍ରହଣ କରିଥିଲେ ବେଞ୍ଜାମିନ ନେତାନ୍ୟାହୁ । ପ୍ରଥମ ଥର ପାଇଁ ସେ ୧୯୯୬ରୁ ୧୯୯୯ ପର୍ଯ୍ୟନ୍ତ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ପରେ ୨୦୦୯ ରୁ ୨୦୨୧ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଦାୟିତ୍ଵରେ ଥିଲେ। ଏହି ସମୟରେ ସେ ନିଜ କାର୍ଯ୍ୟର ସୁଚାରୁ ଭାବରେ ସମ୍ପାଦନ କରିଥିଲେ । ଏହା ପରେ ୨୦୨୨ ମସିହାରେ ସେ ପ୍ରଧାନମନ୍ତ୍ରୀ ପଦରେ ନିଜର ଦକ୍ଷତା ପ୍ରମାଣିତ କରି ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟରତ ଅଛନ୍ତି।
ବେଞ୍ଜାମିନ ନେତାନ୍ୟାହୁ ୧୯୬୭ ମସିହାରେ ସ୍ନାତକ ହାସଲ କରିବା ପରେ ଇସ୍ରାଏଲ୍ର ସୁରକ୍ଷା ବାହିନୀରେ ଯୋଗ ଦେଇଥିଲେ । ସେ ଜଣେ ଯୁଦ୍ଧ ସୈନିକ ଭାବରେ ତାଲିମ ନେଇଥିଲେ ଏବଂ ଆଇଡିଏଫର ଏକ ସ୍ୱତନ୍ତ୍ର ୟୁନିଟ୍ରେ ପାଞ୍ଚବର୍ଷ କାର୍ଯ କରିଥିଲେ । ପରେ ୧୯୭୨ ରେ ମାସାଚୁସେଟ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ଆରକିଟେକ୍ଚର ପାଠ ପଢିବାକୁ ଆମେରିକା ଆସିଥିଲେ । ପରେ ୧୯୮୦ ରୁ ୧୯୮୨ ପର୍ଯ୍ୟନ୍ତ ସେ ଜେରୁଜେଲମରେ ଆରଆଇଏମ ଇଣ୍ଡଷ୍ଟ୍ରିଜ୍ର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ଏହି ସମୟ ମଧ୍ୟରେ ସେ ନେତା ମାନଙ୍କ ସହ ସୁସମ୍ପର୍କ ସ୍ଥାପନ କରି ୧୯୮୮ରେ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ ।
ସେ ପ୍ରଥମ ଥର ପାଇଁ ୧୯୯୬ ମସିହାରେ ପ୍ରଧାନରମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ନେତାନ୍ୟାହୁ ଏକ ମୁକ୍ତ ବଜାର ଅର୍ଥନିତୀ ଦିଗରେ ପଦକ୍ଷେପ ନେଇଥିଲେ । ସେ ଇସ୍ରାଏଲ୍ର କଠୋର ବୈଦେଶିକ ମୁଦ୍ରା ନିୟନ୍ତ୍ରଣକୁ ବହୁ ମାତ୍ରାରେ ସହଜ କରିଥିଲେ । ସେ ଇସ୍ରାଏଲ୍ର ବାସିନ୍ଦାଙ୍କୁ ଦେଶରୁ ସୀମିତ ପରିମାଣର ଟଙ୍କା ନେବାକୁ, ବିଦେଶୀ ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ, ବିଦେଶୀ ମୁଦ୍ରା ଧରିବାକୁ ଏବଂ ମୁକ୍ତ ଭାବରେ ବିଦେଶରେ ପୁଞ୍ଜି ନିବେଶ କରିବାକୁ ସକ୍ଷମ କରାଇଥିଲେ । ୧୯୯୯ରେ ଲିକୁଦ୍ ଦଳର ପରାଜୟ ପରେ ନେତାନ୍ୟାହୁଙ୍କୁ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା । ପରେ ସେ ୨୦୦୫ ମସିହାରେ ପୁଣିଥରେ ଦଳର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । ଏହା ପରେ ୨୦୦୯ରେ, ୨୦୧୩ରେ ଏବଂ ୨୦୧୫ରେ ମଧ୍ୟ ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ଏହା ପରେ ୨୦୧୯ରେ ସେ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହୋଇ ଇସ୍ରାଏଲକୁ ପ୍ରଗତି ଦିଗକୁ ନେଇଥିଲେ । ୨୦୨୨ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି ।