ନୂଆଦିଲ୍ଲୀ, ୧୨।୫: ପାକିସ୍ତାନରେ ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ପୁଣି ଏକ ଭୟଙ୍କର ଆତଙ୍କବାଦୀ ସଂଗଠନର ଆବିର୍ଭାବ ହୋଇଛି । ଟିଟିପି ଏବଂ ବାଲୁଚ୍ ଲିବରେସନ ଆର୍ମି ପରେ ଏବେ 'ଇତିହାଦ-ଉଲ-ମୁଜାହିଦ୍ଦିନ' ନାମକ ଏକ ନୂତନ ସଂଗଠନ ପାକିସ୍ତାନ ସେନା ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି । ନିକଟରେ ବନ୍ନୁ ଅଞ୍ଚଳରେ ଏହି ସଂଗଠନ ଏକ ବଡ଼ଧରଣର ଆତ୍ମଘାତୀ ହମଲା କରି ପାକିସ୍ତାନ ସେନାର ୧୫ ଜଣ ଯବାନଙ୍କୁ ହତ୍ୟା କରିଛି ।

କିଏ ଏହି 'ଇତିହାଦ-ଉଲ-ମୁଜାହିଦ୍ଦିନ' ?

ଏହି ସଂଗଠନର ଗଠନ ପ୍ରାୟ ଏକ ବର୍ଷ ପୂର୍ବେ, ଅର୍ଥାତ ୧୧ ଅପ୍ରେଲ ୨୦୨୫ରେ ହୋଇଥିଲା । ବିବିସି ମନିଟରିଂର ରିପୋର୍ଟ ଅନୁଯାୟୀ, ଖାଇବର ଅଞ୍ଚଳରେ ସକ୍ରିୟ ଥିବା ତିନୋଟି ପ୍ରମୁଖ ଆତଙ୍କୀ ଗୋଷ୍ଠୀ ଇସଲାମିକ କ୍ରାନ୍ତି, ଲସ୍କର-ଏ-ଇସଲାମ ଏବଂ ହାଫିଜ ଗୁଲ ବାହାଦୁର ଗ୍ରୁପ୍ ମିଶି ଏହି ନୂତନ ସଂଗଠନ ତିଆରି କରିଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି, ଗୋଟିଏ ସମୟରେ ପାକିସ୍ତାନ ସରକାର ହାଫିଜ ଗୁଲ ବାହାଦୁର ସଂଗଠନକୁ 'ଗୁଡ୍ ତାଲିବାନ'ର ଆଖ୍ୟା ଦେଇଥିଲେ ।

ପ୍ରଥମେ ପ୍ରଚାର, ପରେ ଭୟଙ୍କର ଆକ୍ରମଣ:

ନିଜର ଅସ୍ତିତ୍ୱ ଜାହିର କରିବା ପାଇଁ ଏହି ସଂଗଠନ ପ୍ରଥମେ ସୋସିଆଲ ମିଡିଆକୁ ଅସ୍ତ୍ର କରିଥିଲା । ଗତ ଏକ ବର୍ଷ ଧରି ଟେଲିଗ୍ରାମ ଚ୍ୟାନେଲ ମାଧ୍ୟମରେ ଏହି ସଂଗଠନ ପକ୍ଷରୁ ପାଶ୍ତୋ, ଉର୍ଦ୍ଦୁ ଏବଂ ଇଂରାଜୀ ଭାଷାରେ ପ୍ରଚାର ଭିଡିଓ ଜାରି କରାଯାଉଥିଲା । ଏହି ଭିଡିଓଗୁଡ଼ିକରେ ସାମରିକ ଘାଟିକୁ ଉଡ଼ାଇ ଦେବାକୁ ଖୋଲାଖୋଲି ଧମକ ଦିଆଯାଉଥିଲା । ପରିଶେଷରେ ଗତ ରବିବାର ଦିନ ବନ୍ନୁ ଅଞ୍ଚଳରେ ଏକ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ କରି ସେମାନେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ।

ସଂଗଠନର କାର୍ଯ୍ୟଶୈଳୀ ଓ ଲକ୍ଷ୍ୟ:

କୌଣସି ନିର୍ଦ୍ଦିଷ୍ଟ ନେତା ନାହାନ୍ତି: ସେନାର ଅପରେସନରୁ ବର୍ତ୍ତିବା ପାଇଁ ଏହି ସଂଗଠନ କୌଣସି ଜଣେ ବ୍ୟକ୍ତିଙ୍କୁ ନିଜର ସରଗନା ଭାବେ ଘୋଷଣା କରିନାହିଁ । ମହମୁଦୁଲ ହସନ ନାମକ ଜଣେ ବ୍ୟକ୍ତି ଏହାର ମୁଖପାତ୍ର ଭାବେ କାର୍ଯ୍ୟ କରୁଛି । ଏହି ସଂଗଠନ ମୁଖ୍ୟତଃ ଆଫଗାନିସ୍ତାନ ସୀମାନ୍ତବର୍ତ୍ତୀ ଅଞ୍ଚଳ ଖାଇବର ପଖତୁନଖ୍ୱାରେ ସକ୍ରିୟ ରହିଛି । ଟିଟିପି ଭଳି ଏହି ସଂଗଠନ ମଧ୍ୟ ପାକିସ୍ତାନରେ କଠୋର ଇସଲାମିକ ଶାସନ ପ୍ରତିଷ୍ଠା କରିବାକୁ ଚାହୁଁଛି ।

ଆଫଗାନିସ୍ତାନ ଉପରେ ଦୋଷ ଲଦିଲା ପାକିସ୍ତାନ:

ଏହି ରକ୍ତାକ୍ତ ସଂହାର ପରେ ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ଏହାର ତାର ଆଫଗାନିସ୍ତାନ ସହ ଜଡ଼ିତ ଥିବା ଦାବି କରିଛି । ଆଫଗାନିସ୍ତାନର ପ୍ରରୋଚନାରେ ଏହି ଆକ୍ରମଣ ହୋଇଥିବା ପାକିସ୍ତାନ ଅଭିଯୋଗ କରିଥିବା ବେଳେ, ସରକାର ଏହି ନୂଆ ସଂଗଠନ ବିରୋଧରେ କଠୋର ଦଣ୍ଡବିଧାନ କରିବାକୁ ଘୋଷଣା କରିଛନ୍ତି । ବର୍ତ୍ତମାନ ସମୟରେ ଯେତେବେଳେ ଟିଟିପି ଏବଂ ବିଏଲଏ ଭଳି ସଂଗଠନ କିଛିଟା ଦୁର୍ବଳ ହୋଇଥିବା କୁହାଯାଉଛି, ସେଭଳି ସ୍ଥିତିରେ 'ଇତିହାଦ-ଉଲ-ମୁଜାହିଦ୍ଦିନ'ର ଉଦୟ ପାକିସ୍ତାନ ପାଇଁ ଏକ ବଡ଼ ସଙ୍କଟ । ବନ୍ନୁ ପରି ଏକ ସୁରକ୍ଷିତ ବୋଲାଉଥିବା ଅଞ୍ଚଳରେ ୧୫ ଜଣ ସୈନିକଙ୍କ ବଳିଦାନ ପାକିସ୍ତାନୀ ଗୁପ୍ତଚର ସଂସ୍ଥାର ବିଫଳତାକୁ ପଦାରେ ପକାଇ ଦେଇଛି ।

ଆହୁରି ପଢ଼ନ୍ତୁ... ​​​​​​​Hantavirus: କେବଳ ମୂଷା ନୁହେଁ, ଏବେ ମଣିଷଠୁ ମଣିଷକୁ ଡେଉଁଛି; କରୋନାଠୁ ବି ଭୟଙ୍କର 'ହନ୍ତା ଭାଇରସ୍'