ନୂଆଦିଲ୍ଲୀ, ୧୨।୫: କରୋନା ମହାମାରୀର ସେହି କରାଳ ରୂପକୁ ବିଶ୍ୱ ଏଯାଏଁ ଭୁଲି ନାହିଁ । କିନ୍ତୁ ଏବେ ଆଉ ଏକ ରହସ୍ୟମୟ ଅତ୍ୟନ୍ତ ମାରାତ୍ମକ ଭାଇରସ୍ ପୁଣି ଥରେ ମାନବଜାତି ପାଇଁ ଏକ ବଡ଼ ଚେତାବନୀ ସାଜି ଉଭା ହୋଇଛି । ଯାହାର ନାଁ ହେଉଛି 'ହେନ୍ତା ଭାଇରସ୍' । ଏହା କୌଣସି ସାଧାରଣ ଜ୍ୱର ନୁହେଁ, ବରଂ ଏହାର ମୃତ୍ୟୁ ହାର ୫୦ ପ୍ରତିଶତ ପର୍ଯ୍ୟନ୍ତ ! ଅର୍ଥାତ୍ ସଂକ୍ରମିତ ହେଉଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ପ୍ରାୟ ନିଶ୍ଚିତ । ଆଜିର ଏହି ସ୍ୱତନ୍ତ୍ର ରିପୋର୍ଟରେ ଆଲୋଚନା କରିବା, କ୍ରୁଜ୍ ଜାହାଜରେ ଘଟିଥିବା ସେହି ରହସ୍ୟମୟ ମୃତ୍ୟୁ ଏବଂ ହେନ୍ତା ଭାଇରସର ସବୁଠାରୁ ବିପଦଜନକ 'ଆଣ୍ଡିସ୍ ଷ୍ଟ୍ରେନ୍' ବିଷୟରେ ।

୧. କ୍ରୁଜ୍ ଜାହାଜର ସେହି ଭୟଙ୍କର ଘଟଣା: କ’ଣ ଘଟିଥିଲା ସେଦିନ ? 

ଘଟଣାଟି ଆରମ୍ଭ ହୋଇଥିଲା ୧ ଏପ୍ରିଲ ୨୦୨୬ରେ । ଆର୍ଜେଣ୍ଟିନାର ଉସୁଆଇଆରୁ ଏକ ଅତ୍ୟାଧୁନିକ ବିଳାସପୂର୍ଣ୍ଣ କ୍ରୁଜ୍ ଜାହାଜ ଆଣ୍ଟାର୍କଟିକା ଅଭିମୁଖେ ବାହାରିଥିଲା । ୨୩ଟି ଦେଶର ପ୍ରାୟ ୧୫୦ ଜଣ ଯାତ୍ରୀ ଓ କର୍ମଚାରୀ ସେଥିରେ ଯାତ୍ରା କରୁଥିଲେ । କିନ୍ତୁ କାହାରିକୁ ଜଣାନଥିଲା ଯେ ଖୁବଶୀଘ୍ର ଏହି ଜାହାଜ ମୃତ୍ୟୁର ଯନ୍ତା ପାଲଟିବ । ଯାତ୍ରାର ମାତ୍ର ୫ ଦିନ ପରେ ଜଣେ ୭ ବର୍ଷୀୟ ଡଚ୍ ଶିଶୁ ପ୍ରବଳ ଜ୍ୱର ଓ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ । ଏପ୍ରିଲ ୧୧ରେ ତାଙ୍କର ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଲା । ଜଣେ ବିଦେଶୀ ମହିଳା ସଂକ୍ରମିତ ହୋଇ ଦକ୍ଷିଣ ଆଫ୍ରିକାର ବିମାନବନ୍ଦରରେ ଟଳି ପଡ଼ିଲେ । ଏହା ପରେ ଜଣେ ଜର୍ମାନ ମହିଳାଙ୍କ ମଧ୍ୟ ମୃତ୍ୟୁ ହେଲା । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ତଦନ୍ତରୁ ଜଣାପଡ଼ିଲା ଯେ, ଏହା ପଛରେ ରହିଛି ମାରାତ୍ମକ ହନ୍ତା ଭାଇରସ୍ ।

୨. ହେନ୍ତା ଭାଇରସ୍ କ’ଣ ?

ହେନ୍ତାଭାଇରସ୍ ମୂଷାଙ୍କ ଦେହରୁ ବ୍ୟାପିଥାଏ । ଏହା ମୁଖ୍ୟତଃ ଦୁଇଟି ରୋଗ ସୃଷ୍ଟି କରେ:

HFRS (Hemorrhagic Fever with Renal Syndrome): ଏହା କିଡନୀକୁ ସମ୍ପୂର୍ଣ୍ଣ ଅଚଳ କରିଦିଏ ।

HPS (Hantavirus Pulmonary Syndrome): ଏହା ଫୁସଫୁସରେ ତରଳ ପଦାର୍ଥ ଭର୍ତ୍ତି କରିଦିଏ, ଯାହାଦ୍ୱାରା ରୋଗୀ ନିଶ୍ୱାସ ନେଇ ନପାରି ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରେ ।

୩. ଆଣ୍ଡିସ୍ ଷ୍ଟ୍ରେନ୍: ସବୁଠାରୁ ବଡ଼ ଚେତାବନୀ

ଏଯାଏଁ ବୈଜ୍ଞାନିକମାନେ ଭାବୁଥିଲେ ଯେ ହନ୍ତା ଭାଇରସ୍ କେବଳ ମୂଷାଙ୍କ ଠାରୁ ମଣିଷକୁ ବ୍ୟାପେ । କିନ୍ତୁ 'ଆଣ୍ଡିସ୍ ଷ୍ଟ୍ରେନ୍' ସବୁକିଛି ବଦଳାଇ ଦେଇଛି । ଏହା ହେଉଛି ଏକମାତ୍ର ଷ୍ଟ୍ରେନ୍ ଯାହା ଜଣେ ମଣିଷ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପିପାରେ । ଏହି ଭାଇରସରେ କିଛି ରୋଗୀ 'ସୁପର ସ୍ପ୍ରେଡର' ସାଜନ୍ତି, ଯିଏ ଅତି ଦ୍ରୁତ ଗତିରେ ଅନେକ ଲୋକଙ୍କୁ ସଂକ୍ରମିତ କରିପାରନ୍ତି । କ୍ରୁଜ୍ ଜାହାଜରେ ଏହି ଷ୍ଟ୍ରେନ୍ ହିଁ ଆତଙ୍କ ଖେଳାଇଥିଲା ।

୪. କିପରି ସଂକ୍ରମଣ ହୁଏ ଏବଂ କିପରି ରୋକିବେ ?

ଏହି ଭାଇରସ୍ କୋଭିଡ୍ ଭଳି ବାୟୁରେ ବ୍ୟାପେ ନାହିଁ, ବରଂ ନିକଟତର ଏବଂ ଦୀର୍ଘକାଳୀନ ଶାରୀରିକ ସଂସ୍ପର୍ଶ ଦ୍ୱାରା ବ୍ୟାପିଥାଏ । ରୋଗୀର ଲାଳ, ମୂତ୍ର କିମ୍ବା ତରଳ ପଦାର୍ଥ ସଂସ୍ପର୍ଶରେ ଆସିଲେ ଏହା ହୋଇଥାଏ ।

ପ୍ରତିରୋଧ ପାଇଁ କ’ଣ କରିବେ ?

ଏହି ରୋଗର ଚିକିତ୍ସା ନଥିବାରୁ ପ୍ରତିରୋଧ ହିଁ ଶେଷ ଅସ୍ତ୍ର । ଘର, ଗୋଦାମ ବା ଷ୍ଟୋର୍ ରୁମ୍ରେ ମୂଷାଙ୍କୁ ପ୍ରବେଶ କରିବାକୁ ଦିଅନ୍ତୁ ନାହିଁ । ସମସ୍ତ ଫାଟ ଓ ଗାତକୁ ସିଲ୍ କରନ୍ତୁ । ଘର ଚାରିପାଖରେ ଅଳିଆ ଆବର୍ଜନା ବା ଖାଦ୍ୟ ପଦାର୍ଥ ପକାନ୍ତୁ ନାହିଁ । ଅଇଁଠା ବାସନ ବାହାରେ ରଖନ୍ତୁ ନାହିଁ । ଯଦି ଆପଣ କୌଣସି ପୁରୁଣା ବନ୍ଦ କୋଠରୀ ବା ଗୋଦାମ ସଫା କରୁଛନ୍ତି, ତେବେ ନିଶ୍ଚିତ ଭାବେ N95 ମାସ୍କ ଏବଂ ହାତରେ ଗ୍ଲୋଭସ୍ ପିନ୍ଧନ୍ତୁ । କୌଣସି ରହସ୍ୟମୟ ଜ୍ୱର ବା ଶ୍ୱାସକ୍ରିୟାରେ କଷ୍ଟ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ହେନ୍ତା ଭାଇରସ୍ ହୁଏତ ସବୁବେଳେ ଚର୍ଚ୍ଚାରେ ନଥାଇପାରେ, କିନ୍ତୁ ଏହା ଏକ ନୀରବ ବିପଦ । ଯେହେତୁ ଏହାର କୌଣସି ଟିକା ବା ଔଷଧ ନାହିଁ, ତେଣୁ ସଚେତନତା ହିଁ ଆମକୁ ବଞ୍ଚାଇପାରିବ । ସ୍ୱଚ୍ଛ ରୁହନ୍ତୁ ଏବଂ ସତର୍କ ରୁହନ୍ତୁ ।

ଆହୁରି ପଢ଼ନ୍ତୁ... ବୈଜ୍ଞାନିକଙ୍କୁ ମିଳିଲା କରୋନାର ନୂଆ ଭାରିଆଣ୍ଟ ; ହନ୍ତା ଭାଇରସକୁ ନେଇ ବଢ଼ିଲା ଚିନ୍ତା