ଭୋପାଳ,୦୧/୦୫; ମଧ୍ୟପ୍ରଦେଶର ଜବଲପୁରରୁ ପ୍ରାୟ ୪୦ କିଲୋମିଟର ଦୂରରେ ନର୍ମଦା ନଦୀର ବର୍ଗୀ ଡ୍ୟାମରେ ଏକ କ୍ରୁଜ୍ ଡଙ୍ଗା ବୁଡ଼ିଯାଇଛି । ଏପର୍ଯ୍ୟନ୍ତ ୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏକ ମୃତଦେହଟି ସେଠାରେ ଉପସ୍ଥିତ ଉଦ୍ଧାରକାରୀ ଦଳଙ୍କ ଆଖିରେ ଲୁହ ଆଣିଦେଇଛି । ମୃତଦେହଟି ଜଣେ ମହିଳାଙ୍କର ଥିଲା ଯିଏ ତାଙ୍କ ୪ ବର୍ଷର ଶିଶୁକୁ କୋଳରେ ଧରିଥିଲେ । ପିଲାଟି ତାଙ୍କ ମା' କୁ ଜୋରରେ ଧରିଥିଲା। ଉଦ୍ଧାରକାରୀମାନେ ମା' ଏବଂ ଶିଶୁର ମୃତଦେହକୁ କୂଳକୁ ଆଣିବା ସମୟରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ସେ ଦୃଶ୍ୟ ଦେଖି ସମସ୍ତଙ୍କ ଛାତି ଫାଟିଯାଇଥିଲା । ଉଭୟ ଲାଇଫ୍ ଜ୍ୟାକେଟ୍ ପିନ୍ଧିଥିଲେ, କିନ୍ତୁ ଦୁର୍ଘଟଣାରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଆଉ ମୃତ୍ୟୁ ବି ମା' ପାଖରୁ ପିଲାକୁ ଅଲଗା କରିପାରିନଥିଲା । ଶେଷ ନିଶ୍ୱାସ ଯାଏ ପିଲାକୁ ଜାବୁଡ଼ି ଧରିଥିଲା ମା' ।

ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ବୋଟଟି ଡ୍ୟାମ ମଝିରେ ଥିବା ବେଳେ ହଠାତ୍ ଝଡ଼ ତୋଫାନ ମାଡ଼ି ଆସିଥିଲା । ଫଳରେ ବୋଟକୁ ନିୟନ୍ତ୍ରଣ କରିବା ଚାଳକଙ୍କ ପାଇଁ ସମ୍ଭବ ହୋଇନଥିଲା । ତେଣୁ ବୋଟଟି ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା । ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ଅନ୍ୟପଟେ ପ୍ରଶାସନର ବିଫଳତା ପାଇଁ ଦୁର୍ଘଟଣା ଘଟିଥିଲା ସ୍ଥାନୀୟ ଲୋକ ଦାୟୀ କରିଛନ୍ତି । ଝଡ଼ ତୋଫାନ ନେଇ ସତର୍ତ କରାଯାଇଥିଲା ହେଲେ ତାକୁ ଅଣଦେଖା କରି ପ୍ରଶାସନ ଡ୍ୟାମ କ୍ରୁଜ୍ ବୋଟ୍ ପରିଚାଳନା  ଜାରି ରଖିଥିବା ଅଭିଯୋଗ ହୋଇଛି ।ଗତ ୨୪ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରିପୋର୍ଟ ଅନୁସାରେ, ଓଲଟି ପଡ଼ିଥିବା କ୍ରୁଜ୍ ଡଙ୍ଗାଟି ବର୍ଗୀ ଡ୍ୟାମ୍‌ରେ ପ୍ରାୟ ୨୦ ଫୁଟ ଗଭୀରରେ ଫସି ରହିଛି ଏବଂ ଏହାକୁ ଉଦ୍ଧାର କରିବା ପାଇଁ ବୁଡ଼ାଳି, ଡଙ୍ଗା ଏବଂ ଭାରୀ ଯନ୍ତ୍ରପାତି ନିୟୋଜିତ କରାଯାଇଛି । ଡଙ୍ଗାଟିକୁ କୂଳ ନିକଟକୁ ଟାଣିବା ଏବଂ ଏହାର ବୁଡ଼ି ରହିଥିବା ସ୍ଥାନଗୁଡ଼ିକ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପ୍ରୟାସ ଚାଲିଛି । ଅଧିକାରୀମାନେ କହିଛନ୍ତି ଯେ, ମୃତ୍ୟୁ ପରେ ମଧ୍ୟ ପରସ୍ପରକୁ ଲାଗି ରହିଥିବା ଜଣେ ମା' ଏବଂ ତାଙ୍କ ପିଲାର ପ୍ରତିଛବି ଉଦ୍ଧାର ସ୍ଥଳରେ ଥିବା ଲୋକଙ୍କୁ କନ୍ଦାଇ ଦେଇଥିଲା । ବର୍ଗୀ ବନ୍ଧ ନର୍ମଦା ନଦୀ ଉପରେ ନିର୍ମିତ ପ୍ରାରମ୍ଭିକ ପ୍ରମୁଖ ପ୍ରକଳ୍ପ ମଧ୍ୟରୁ ଗୋଟିଏ। ଏହାର ନିର୍ମାଣ କାର୍ଯ୍ୟ ୧୯୭୪ ମସିହାରେ ଆରମ୍ଭ ହୋଇଥିଲା ଏବଂ ୧୯୯୦ ମସିହାରେ ଜାତୀୟ ରାଜପଥ ୭ ନିକଟସ୍ଥ ବର୍ଗୀ ଗ୍ରାମ ନିକଟରେ ସମାପ୍ତ ହୋଇଥିଲା ।

​​​​​​​

ଏହା ବି ପଢନ୍ତୁ...CEEWର ସତର୍କ ଘଣ୍ଟି; ପ୍ରତିବର୍ଷ ୪୦ ଦିନ ଅଧିକ ହିଟ୍ ଡେ; ଆଗାମୀ ୨୦ ବର୍ଷ କିପରି ରହିବ ପାଗ ?  

ଗୁରୁବାର ସନ୍ଧ୍ୟାରେ ଏହି ଦୁଃଖଦ ଘଟଣା ଘଟିଛି । ମଧ୍ୟପ୍ରଦେଶ ପର୍ଯ୍ୟଟନର ଏକ କ୍ରୁଜ୍ ଡଙ୍ଗା, ପ୍ରାୟ ୪୦ ରୁ ୪୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ହଠାତ୍ ଝଡ଼ ଆସିବା ପରେ ନଦୀବନ୍ଧରୁ ପ୍ରାୟ ୩୦୦ ମିଟର ଦୂରରେ ଓଲଟି ପଡ଼ିଥିଲା । ପ୍ରାୟ ୪୦ କିଲୋମିଟର ବେଗରେ ପ୍ରବଳ ପବନ ଏବଂ ପ୍ରବଳ ବର୍ଷା ଯୋଗୁଁ ଡଙ୍ଗାଟି ନିୟନ୍ତ୍ରଣ ହରାଇ  ବୁଡ଼ି ଯାଇଥିଲା । ରିପୋର୍ଟ ଲେଖାଯିବା ସୁଦ୍ଧା ୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏବେ ବି ଅନେକ ନିଖୋଜ ଅଛନ୍ତି ।