ପୁରୀ,୦୯/୦୧: ‘ଏହା ମୋର ଠାକୁରଙ୍କୁ ଶେଷ ଦେଖା । ୮ ବର୍ଷ ପୂର୍ବେ ଆସିଥିଲି । ବୟସ ବଢ଼ିବା ସଙ୍ଗେ ଶରୀର ଥରୁଛି । ଦୁଇ ଜଣ ଦୁଇ ପଟୁ ଧରିଲେ ଭିଡ଼ରେ ପାଦେ ଆଗଉଛି । ଠେଲାଠେଲିରେ ପଶି ମୋର ପୋଷାକ ଚିରିଗଲା । ଆମେ ବହୁତ୍ ନେହୁରା ହେଲୁ । ଜଗୁଥିବା ପୁଲିସ କର୍ମୀଙ୍କୁ କହିଲୁ । କେହି ଆମକୁ ସାହାଯ୍ୟ କଲେନି । ଜୀବନ ଚାଲିଗଲା ଭଳି ଲାଗୁଥାଏ । ଯେତେ ଯାହା ହେଲେ ତାଙ୍କୁ ଟିକିଏ ନଦେଖି ଫେରିବି କିପରି! ଶ୍ରୀଜଗନ୍ନାଥ ଯିଏ ଶ୍ରୀକୃଷ୍ଣ ସିଏ । ଗଉଡ଼ ପିଲାଟା । ନନ୍ଦ ରାଜାଙ୍କ ପୁଅ । ଏତେ କଷ୍ଟରେ ତାଙ୍କ ପାଖକୁ ଆସିଲି... ଟିକିଏ ଦର୍ଶନ ଦେବନି!’ ମହାପ୍ରଭୁଙ୍କ ପ୍ରତି ଗଭୀର ଭାବ ଭକ୍ତି ତଥା ବାତ୍ସଲ୍ୟ ମମତା ଭରା ହୃଦୟରେ ଏଭଳି ହୃଦୟସ୍ପର୍ଶୀ ଅନୁଭୂତି ବଖାଣିଛନ୍ତି ଭୁବନେଶ୍ୱରରୁ ଆସିଥିବା କଲ୍ୟାଣୀ ମହାନ୍ତି । ଶ୍ରୀମନ୍ଦିରରେ ଦର୍ଶନ ସାରି ଭିଡ଼ରୁ ଅନ୍ତରଙ୍ଗ ସହ ବାହାରି ଆସି ଅଣନିଃଶ୍ୱାସୀ ହୋଇପଡ଼ୁଥିବା କଲ୍ୟାଣୀ ଏହା କହିଛନ୍ତି ।
ପଶ୍ଚିମବଙ୍ଗରୁ ଆସିଥିବା ସିପ୍ରା ଦତ୍ତ ତାଙ୍କ ସାଥିମାନେ ଅଭିଯୋଗ କରିଛନ୍ତି, ଆମଠାରୁ ଭଗବାନଙ୍କୁ ଦୂରେଇ ଦିଆଯାଉଛି । ୧୯୭୮ ମସିହାରୁ ଆମେ ଠାକୁରଙ୍କ ନିକଟକୁ ଆସୁଛୁ । ସେତେବେଳେ ବହୁତ୍ ଭଲ ଠାକୁର ଦର୍ଶନ ମିଳୁଥିଲା । ଆମେ ଗର୍ଭଗୃହକୁ ଯାଇ ରତ୍ନବେଦିଙ୍କୁ ପରିକ୍ରମା କରିପାରୁଥିଲୁ । ଏବେ ତାହା ସମ୍ଭବ ହେଉ ନାହିଁ । ବଡ଼ ମନ କଷ୍ଟ ହେଉଛି । ଜଗନ୍ନାଥ ମହାପ୍ରଭୁ ଆମର ପ୍ରାଣର ଠାକୁର । ଆଗେ ଭିତରୁ ତଡ଼ିଦେଲେ । ଟିକିଏ ଦୂରରେ ଥାଇ ଦର୍ଶନ କରିବାକୁ କହିଲେ । ଏବେ ଏତେ ଦୂରରୁ ଦର୍ଶନ କରାଉଛନ୍ତି ଠାକୁରଙ୍କୁ ଦେଖିବା ସମ୍ଭବ ହେଉ ନାହିଁ । ମହାପ୍ରଭୁଙ୍କ ଠାରୁ ଆମକୁ ଦୂରେଇ ଦିଆଯାଉଛି । ଶ୍ରୀମନ୍ଦିର ପରିଚାଳନା କମିଟି ଆମ ସମସ୍ୟା ବୁଝିବା କଥା । ହେଲେ ସେମାନେ ଠେଙ୍ଗା ଧରି ଠିଆ ହୋଇ ଭକ୍ତ ଓ ଭଗବାନଙ୍କ ଭିତରେ ଦୂରତା ସୃଷ୍ଟି କରୁଛନ୍ତି ।
୭୫ ବର୍ଷୀୟା ଝୁନୁ ମଜୁମଦାର କୁହନ୍ତି ଧକ୍କାଧକ୍କିରେ ଆମେ ବୟସ୍କ ଲୋକେ କିଭଳି ଦୁର୍ଦ୍ଦଶା ଭୋଗୁଛୁ କେହି ଦେଖିବାକୁ ନାହାନ୍ତି । ପଣ୍ଡାଙ୍କ ସହିତ ଯାଇଥିଲୁ । ଟୁଲ୍ ପକାଇ ଦର୍ଶନ କରାଇଲେ । ତଥାପି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଭଲରେ ଦେଖିପାରିଲୁନି । ଶ୍ରୀଜଗନ୍ନାଥ ଓ ସୁଭଦ୍ରାଙ୍କୁ ଦେଖିଲୁ । ଶ୍ରୀବଳଭଦ୍ରଙ୍କୁ ଅଧା ଦେଖି ହେଲା । ଶ୍ରୀମନ୍ଦିର ଭିତର ଉଚା ପାହାଚ ଚଢ଼ି ହେଉନି । ରେଲିଂ ମଧ୍ୟ ନାହିଁ ଧରି ଧରି ଆଗେଇବାକୁ । ପୁଣି ପ୍ରବଳ ଭିଡ଼ରେ ଯୁବକ ଯୁବତୀଙ୍କ ସହ ବୃଦ୍ଧବୃଦ୍ଧା ସମସ୍ତେ ଏକାକାର । ସମସ୍ତଙ୍କୁ ଏକକାଳୀନ ନଛାଡ଼ି କିଛି କିଛି ଶ୍ରଦ୍ଧାଳୁଙ୍କୁ ଦର୍ଶନ କରାଇ ଛାଡ଼ି ପାରନ୍ତେ । ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିବା କଥା । ବିଶ୍ୱରେ ଏହା ଶ୍ରେଷ୍ଠ ଧର୍ମସ୍ଥଳୀ । କିଏ କେତେ ଆଡ଼ୁ ଆସୁଛନ୍ତି । ବୟସ୍କଙ୍କ ଅଭିଳାଷ ମୃତ୍ୟୁ ପୂର୍ବରୁ ଥରେ ଜଗାକାଳିଆଙ୍କୁ ଦେଖିବେ । ପୁଣି ଶ୍ରୀମନ୍ଦିରର ଚମତ୍କାରିତା କୋଟି କୋଟି ଶ୍ରଦ୍ଧାଳୁଙ୍କୁ ଏଠାକୁ ଟାଣି ଆଣୁଛି । ଠାକୁରଙ୍କ ଦର୍ଶନରେ ସେମାନଙ୍କ କୌଣସି ସମସ୍ୟା ରହିବା କଥା ନୁହେଁ । ଠାକୁର ଦର୍ଶନ ଉଦ୍ଦେଶ୍ୟରେ ବୃଦ୍ଧବୃଦ୍ଧାଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ବ୍ୟବସ୍ଥା କରିବା କଥା ।