ପୁରୀ ୧୧/୦୬: ପୁରାଣ କୁହେ ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀମନ୍ଦିର ନିର୍ମାଣ କରିଥିଲେ । ଏହାକୁ ନେଇ ଗୋଟେ ସମୟରେ ଦ୍ୱନ୍ଦ୍ୱ ଲାଗିଲା । ରାଜା ଗାଲମାଧବ ଦାବି କରିଥିଲେ ଶ୍ରୀମନ୍ଦିର ତାଙ୍କର । ଶେଷରେ ଶ୍ରୀମନ୍ଦିର ପରିସରରେ ଥିବା କଳ୍ପବଟରେ ଆଶ୍ରୟ ନେଇଥିବା କାକ ଓ ଇନ୍ଦ୍ରଦ୍ୟୁମ୍ନରେ ଥିବା କଇଁଚ ସାକ୍ଷୀ ଦେବାରୁ ସମସ୍ତ ବିବାଦ ଟଳି ଇନ୍ଦ୍ରଦ୍ୟୁମ୍ନ ହିଁ ଶ୍ରୀମନ୍ଦିରର ଅସଲ ନିର୍ମାତା ବୋଲି ଧାର୍ଯ୍ୟ ହେଲା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରକୁ ନେଇ ଏଭଳି ରୋଚକ ଜନଶ୍ରୁତି ଆଜି ମଧ୍ୟ ବେଶ୍ ଚର୍ଚ୍ଚିତ ।

ମନ୍ଦିର ଗଢ଼ି ପ୍ରତିଷ୍ଠା ପାଇଁ ବ୍ରହ୍ମାଙ୍କୁ ନିମନ୍ତ୍ରଣ କରିବାକୁ ସ୍ୱର୍ଗକୁ ଚାଲିଗଲେ ରାଜା ଇନ୍ଦ୍ରଦ୍ୟୁମ୍ନ । ଇତିମଧ୍ୟରେ ଗଡ଼ିଗଲା ହଜାର ହଜାର ବର୍ଷ । ଶ୍ରୀମନ୍ଦିର ଅଲୋଡ଼ା ଓ ବିଗ୍ରହ ଅପୂଜା ରହିଲେ । ମନ୍ଦିରକୁ ମାଡ଼ିଗଲା ବାଲିବନ୍ତ । ସେହି ଭିତରେ ଉତ୍କଳର ରାଜା ହେଲେ ଗାଲମାଧବ । ସେ ଦିନେ ସୈନ୍ୟସାମନ୍ତଙ୍କ ସହ ଯିବା ସମୟରେ ବାଲିର ପାହାଡ଼ରେ ଘୋଡ଼ା ଝୁଣ୍ଟିଥିଲା । ରାଜା ଓହ୍ଲାଇ ପରଖିିବାରେ ବାଲିରେ ନୀଳଚକ୍ରର କିଛି ଅଂଶ ଦେଖିଲେ । ରାଜାଙ୍କ ଆଦେଶରେ ସମସ୍ତ ସୈନ୍ୟମାନେ ବାଲି ସଫା କରିବାରୁ ଦେଖାଗଲା ବିଶାଳ ମନ୍ଦିର । ରାଜା ଗାଲମାଧବ ଉକ୍ତ ମନ୍ଦିରରେ ମାଧବଙ୍କୁ ପ୍ରତିଷ୍ଠା କରାଇ ପୂଜାର୍ଚ୍ଚନା କଲେ । କ୍ରମେ ମନ୍ଦିରର ଖ୍ୟାତି ଚାରିଆଡ଼େ ବ୍ୟାପିଗଲା । ଏପଟେ ଇନ୍ଦ୍ରଦ୍ୟୁମ୍ନ ସ୍ୱର୍ଗରୁ ବ୍ରହ୍ମାଙ୍କୁ ଧରି ଶ୍ରୀକ୍ଷେତ୍ରକୁ ଫେରିଲା ବେଳକୁ ଶ୍ରୀମନ୍ଦିରରେ ମାଧବଙ୍କ ପୂଜାର୍ଚ୍ଚନା ଦେଖି ସମସ୍ତ ଖବର ନେଇ ଗାଲମାଧବଙ୍କ ନିକଟରେ ପହଞ୍ଚିଲେ । ଗାଲମାଧବ କହିଲେ ଏହା ତାଙ୍କ ମନ୍ଦିର । ମନ୍ଦିର ନିର୍ମାଣକୁ ନେଇ ବିବାଦ ସୃଷ୍ଟି ହେବାରୁ ଅସଲରେ କିଏ ମନ୍ଦିର ତିଆରିଛନ୍ତି ପ୍ରମାଣ ଖୋଜା ହେଲା ।

ଅଧିକ ପଢ଼ନ୍ତୁ :- Rath Khala Update : ଚଉଦ ନାହାକା ବୁଲି ୨ୟ ଭୂଇଁ ଉଠିଲା, ଆଗକୁ ତୃତୀୟ ଭୂଇଁ ଟୁଙ୍ଗୁରା ହେବ

ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଜା ଗାଲମାଧବଙ୍କ ବିବାଦର ମଧ୍ୟସ୍ଥି ରହିଲେ ବ୍ରହ୍ମା । ଏତେ ଗୁଡ଼ା ବର୍ଷ ବିତିଯାଇଥିବାରୁ ଇନ୍ଦ୍ରଦ୍ୟୁମ୍ନଙ୍କୁ ଜାଣିଥିବା କିଏ ଥିବେ ଯେ ସାକ୍ଷୀ ଦେବେ! କାଳଜୟୀ କଳ୍ପବଟ ପାଖରେ ପହଞ୍ଚିଲା ବେଳକୁ ବହୁ କାଳରୁ ସେଠାରେ ଆଶ୍ରୟ ନେଇଥିବା ଭୁଷଣ୍ଡକାକ କହିଲେ, ଶ୍ରୀମନ୍ଦିର ନିର୍ମାଣ ଆରମ୍ଭରୁ ଶେଷ ସେ ଦେଖିଛନ୍ତି ଓ ରାଜା ଇନ୍ଦ୍ରଦ୍ୟୁମ୍ନ ଏହାର ନିର୍ମାତା । ଗୋଟିଏ ସାକ୍ଷୀ ଯଥେଷ୍ଟ ନୁହେଁ କହିଲେ ଗାଲମାଧବ । ୨ୟ ସାକ୍ଷୀ ପାଇଁ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀଠାରେ ପହଞ୍ଚିଲା ବେଳକୁ ଖରା ପୋଉଁଥିବା କଇଁଛମାନେ ପାଣି ଭିତରକୁ ଚାଲିଗଲେ । ବ୍ରହ୍ମା ସେମାନଙ୍କୁ ଡାକିବାରୁ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଦେଖି କଇଁଛମାନେ ଭୟରେ ଲୁଚିଥିବା କହିଲେ । ଇନ୍ଦ୍ରଦ୍ୟୁମ୍ନ ଶ୍ରୀମନ୍ଦିର ତୋଳିବାକୁ ଆମକୁ ପଥର ବୁହାଇ ମଣିଷରୁ କୁର୍ମ କରିଦେଲେ । ରାଜା କାଳେ ପୁଣି ଆମକୁ ପଥର ବୋହିବାକୁ ଡାକିବେ ଭାବି ଭୟରେ ଲୁଚିଥିବା କଇଁଛମାନେ କହିଲେ । ସମସ୍ତେ ଏହା ଶୁଣିବା ପରେ ସ୍ଥିର ହେଲା ରାଜା ଇନ୍ଦ୍ରଦ୍ୟୁମ୍ନ ହିଁ ଶ୍ରୀମନ୍ଦିରର ଅସଲ ନିର୍ମାତା ଓ ସେବେଠାରୁ ରାଜା ଗାଲମାଧବ ‘ଗାଲୁଆ ଗାଲମାଧବ’ ବୋଲି ପରିଚିତ ହୋଇଥିବା ଲେଖକ ଭାଗୀରଥି ନେପାକ ଉଲ୍ଲେଖ କରନ୍ତି ।