ବୌଦ୍ଧ, ୨୬।୭ : ଜଗା ଦର୍ଶନ ସାରି ଫେରୁଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାରକୁ ଧକ୍କା ଦେଲା ଟ୍ୟାଙ୍କର । ଦୁର୍ଘଟଣାରେ ରୋଡ଼ର ୧୦ ଫୁଟ ତଳକୁ ଖସିପଡିଲା କାର । ଦୁର୍ଘଟଣାରେ ୬ ଜଣ ଗୁରୁତର ହୋଇଛନ୍ତି। ଖୋର୍ଦ୍ଧା–ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ମାଧପୁର ଓ ବାରିଙ୍ଗ ମଧ୍ୟରେ ଦୁର୍ଘଟଣା ଘଟିଛି।
ବୌଦ୍ଧ ପଟରୁ ଭୁବନେଶ୍ୱର ଅଭିମୁଖେ ଏକ ପେଟ୍ରୋଲ ଟ୍ୟାଙ୍କର ଯାଉଥିଲା। ପୁରୀରୁ ଜଗନ୍ନାଥ ଦର୍ଶନ ସାରି ବଲାଙ୍ଗୀର ଫେରୁଥିବା ଏକ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ କାରଟି ରୋଡ଼ କଡରେ ୧୦ ଫୁଟ ଘାଇକୁ ଖସି ପଡ଼ିଥିଲା । କାରରେ ଥିବା ସମସ୍ତ ୬ ଜଣ ଗୁରୁତର ଆହତ ହୋଇଥିଲେ। ଖବର ପାଇ ଆଡନିଗଡ଼ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ୧୦୮ ଆମ୍ବୁଲାନ୍ସ ସହାୟତାରେ ସମସ୍ତ ଆହତଙ୍କୁ ପ୍ରଥମେ ଆଡନିଗଡ଼ ଚିକିତ୍ସାଳୟକୁ ନିଆଯାଇଥିଲା। ପରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ କିଛି ସମୟ ପାଇଁ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାନବାହନ ଚଳାଚଳ ସ୍ୱାଭାବିକ କରିବା ସହ ଟ୍ୟାଙ୍କର ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି ।
ଆହୁରି ପଢନ୍ତୁ : ଲୋୟର ସୁକତେଲ ଡ୍ୟାମରେ ବଢୁଛି ଜଳସ୍ତର, ବର୍ଷା ଜଳ ନିଷ୍କାସନ ପାଇଁ ଖୋଲିଲା ଗେଟ୍