ଜଗତସିଂହପୁର,୩୧/୦୫: ଭାବ ଦୋସ୍ତି ବଢାଇ କୌଶଳରେ ଅଶ୍ଲୀଳ ଫଟୋ, ଭିଡିଓ କରାୟତ କରି ମହିଳାଙ୍କୁ ବ୍ଲାକ୍‌ମେଲ୍ କରି ଆସୁଥିବା ଜଣେ ଯୁବକକୁ ଗିରଫ କରିଛି ଜଗତସିଂହପୁର ସାଇବର ଥାନା ପୁଲିସ । ଗିରଫ ଅଭିଯୁକ୍ତ ହେଉଛନ୍ତି କଟକ ତୁଳସୀପୁର(ପଞ୍ଚମୁଖୀ ହନୁମାନ ମନ୍ଦିର ପାଖ)ର ସ୍ୱପ୍ନକାନ୍ତ ସାମଲ ଓରଫ ଟିକି(୩୩) । ଅଭିଯୁକ୍ତ ଟିକି ପାଖରୁ ଏକ ମୋବାଇଲ ଫୋନ୍‌କୁ ଜବତ କରାଯାଇଛି ।

ଜଗତସିଂହପୁର ଜିଲ୍ଲାର ଜଣେ ବିବାହିତ ମହିଳା ଗତ ୨୮ ତାରିଖରେ ବ୍ଲାକ୍‌ମେଲ୍ କରାଯାଉଥିବା ନେଇ ସାଇବର ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ଥିଲା, ଚାରି ମାସ ତଳେ ଜଣେ ଅପରିଚିତ ବ୍ୟକ୍ତି ବନ୍ଧୁତା ବାନ୍ଧିବା ସହ ମନ୍ଦ ଉଦ୍ଦେଶ୍ୟ ରଖି କୌଶଳରେ ଅଶ୍ଲୀଳ ଭିଡିଓକୁ ରେକର୍ଡ କରି ନାନା ଧମକ ଚମକ ସହ ଟଙ୍କା ମାଗୁଥିଲେଥିଲେ । ମହିଳା ଜଣଙ୍କ ଟଙ୍କା ନଦେବାରୁ ସଂପୃକ୍ତ ଅପରିଚିତ ବ୍ୟକ୍ତି ଉକ୍ତ ଅଶ୍ଲୀଳ ଫଟେ ଓ ଭିଡିଓକୁ ଭାଇରାଲ୍ କରି ଦେଇଥିଲେ । ପୁଲିସ ତଦନ୍ତକୁ ତ୍ୱରାନ୍ୱିତ କରି ଏହା ପଛରେ ସ୍ୱପ୍ନକାନ୍ତଙ୍କ ହାତ ଥିବାର ସୁରାକ୍ ପାଇଥିଲେ ।  ସ୍ୱପ୍ନକାନ୍ତ ଅଭ୍ୟାସଗତ ଭଳି ମହିଳାଙ୍କୁ ଟାର୍ଗେଟ ସହ ଅର୍ଥ ଶୋଷଣ କରୁଥିବା ଜାଣିବାକୁ ପାଇଥିଲେ । ସୋସିଆଲ୍ ମିଡିଆରେ ସ୍ୱପ୍ନକାନ୍ତ ନିଜକୁ ଭିକି ନାମରେ ପରିଚୟ ଦେଇ ମହିଳାଙ୍କ ସହ ଯୋଗସୂତ୍ର ରଖୁଥିଲେ ।

ପ୍ରଥମେ ସେ ମହିଳାଙ୍କ ଫୋନ୍ ନମ୍ବର ସଂଗ୍ରହ କରୁଥିଲେ । ବିଶେଷକରି ଯେଉଁ ମହିଳାଙ୍କ ସ୍ୱାମୀ ଘର ବାହାରେ ରହୁଥିଲେ ସେମାନଙ୍କ ନମ୍ବରକୁ ଯୋଗାଡ଼ ସହ ହ୍ୱାଟସ୍ଆପ୍ର ପ୍ରୋଫାଇଲ୍‌ରେ ରହୁଥିବା ଫଟୋକୁ ସଂଗ୍ରହ କରୁଥିଲେ । ୬/୭ ଦିନ ବିଭିନ୍ନ ଉପାୟରେ କଥାବାର୍ତ୍ତା ଜମାଇବା ପରେ ଉକ୍ତ କଥୋନକଥନର ଅଡିଓକୁ ରେକର୍ଡିଂ କରି ରଖୁଥିଲେ । ପରେ ପରେ ଅଶ୍ଲୀଳ ଭିଡିଓ କଲ୍ କରିବାକୁ ପ୍ରବର୍ତ୍ତାଉ ଥିଲେ, ନଚେତ୍ ପୂର୍ବର ଅଡିଓ ରେକରର୍ଡିଂକୁ ସେମାନଙ୍କ ସ୍ୱାମୀଙ୍କ ପାଖକୁ ପଠାଇବାର ଧମକ ଦେଉଥିଲେ । ଯେଉଁ ମହିଳା ଭୟଭୀତ ହୋଇ ଏହି ସର୍ତ୍ତରେ ରାଜି ହେଉଥିଲେ ସେମାନଙ୍କର ଅଶ୍ଲୀଳ ଭିଡିଓ ଓ ଫଟୋକୁ ସ୍ୱପ୍ନକାନ୍ତ ଅନାୟାସାରେ ହାତମୁଠାକୁ ଆଣି ଟଙ୍କା ପାଇଁ ବ୍ଲାକ୍‌ମେଲ୍ ଆରମ୍ଭ କରି ଦେଉଥିଲେ ।

ଅଧିକ ପଢ଼ନ୍ତୁ :- Jatra Controversy: ଯାତ୍ରାପାର୍ଟି ହିରୋଇନ୍ କରିବାକୁ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ, ଟଙ୍କା ନଦେବାରୁ ଅଶ୍ଲୀଳ ଭିଡ଼ିଓ ଭାଇରାଲ ଧମକ

ଅଭିଯୋଗକାରିଣୀ ମହିଳାଙ୍କ କ୍ଷେତ୍ରରେ ବି ଅଭିଯୁକ୍ତ ସ୍ୱପ୍ନକାନ୍ତ ନାନା ପ୍ରକାରର ବ୍ଲାକ୍‌ମେଲ୍ କରିଥିଲେ । ଲକ୍ଷେ ଟଙ୍କା ଦାବି କରିଥିଲେ । ସଂପୃକ୍ତା ମହିଳା ଅଭିଯୁକ୍ତଙ୍କ କୌଣସି ସର୍ତ୍ତରେ ରାଜି ହେବା ପରିବର୍ତ୍ତେ ଦୂରତା ରକ୍ଷା କରିଥିଲେ । ଏଥିରେ ଉତ୍‌କ୍ଷୀପ୍ତ ରହି ସ୍ୱପ୍ନକାନ୍ତ ସେଇ ମହିଳାଙ୍କ ଅଶ୍ଲୀଳ ଫଟୋ, ଭିଡିଓକୁ ଭାଇରାଲ୍ କରିଥିଲେ । ଏହି ଘଟଣାରେ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏସ୍‌ପି  ଅଙ୍କିତ କୁମାର ବର୍ମା, ଡିଏସ୍‌ପି  ରଶ୍ମୀରଞ୍ଜନ ଦାଶ ଉପସ୍ଥିତ ରହିଥିଲେ।