ନୂଆଦିଲ୍ଲୀ ୦୩/୦୧: ନୂଆ ବର୍ଷର ଶୁଭାରମ୍ଭ ସହିତ ଇଣ୍ଡୋନେସିଆରେ ଏକ ନୂଆ ନିୟମ ଲାଗୁ ହୋଇଛି, ଯାହା ବିଶ୍ୱର ଧ୍ୟାନ ଆକର୍ଷଣ କରିଛି । ଦେଶରେ ଏଣିକି ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା କିମ୍ବା ବିବାହ ନ କରି ଏକାଠି ରହିବା ଅପରାଧ । ୨୦୨୨, ଡିସେମ୍ବର ୬ରେ ଇଣ୍ଡୋନେସିଆ ସଂସଦରେ ସର୍ବସମ୍ମତି କ୍ରମେ ଏହି ବିଲ୍ ପାରିତ ହୋଇଥିଲା । ୨୦୨୩, ଜାନୁଆରୀ ୨ରେ ରାଷ୍ଟ୍ରପତି ଜୋକୋ ୱିଡୋଡୋ ବିଲ୍ରେ ହସ୍ତାକ୍ଷର କରିବା ପରେ ଏହା ଆଇନରେ ରୂପାନ୍ତରିତ ହେଲା । ଏହାର ୩ ବର୍ଷ ପରେ ଅର୍ଥାତ୍ ଗତ ବୁଧବାର (୨ ତାରିଖ) ଏହି ଆଇନ ଦେଶରେ ଲାଗୁ ହୋଇଛି । ସେବେଠୁ ଅଦ୍ୟାବଧି ଜନତା ଓ ପୁଲିସକୁ ନୂଆ ନିୟମର ତାଲିମ ଦିଆଯାଉଥିଲା ।

ଏଠାରେ ଲୋକେ ବିବାହ ପରେ ଅନ୍ୟତ୍ର ଯୌନ ସମ୍ପର୍କ ରଖିଲେ ଏଣିକି ୧ ବର୍ଷ ଯାଏ ଜେଲ ଦଣ୍ଡରେ ଦଣ୍ଡିତ ହେବେ । ଲିଭ୍-ଇନ୍ ରିଲେସନ୍ସିପ୍ କିମ୍ବା ବିବାହ ପୂର୍ବରୁ ଏକାଠି ରହିଲେ, ୬ ମାସ ଜେଲ ଦଣ୍ଡର ପ୍ରାବଧାନ ରହିଛି । ସ୍ୱାମୀ/ସ୍ତ୍ରୀ, ମାତା-ପିତା କିମ୍ବା ପିଲାଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇପାରିବ । ତେବେ ନୂଆ ନିୟମକୁ ନେଇ ସଂଯୁକ୍ତ ରାଷ୍ଟ୍ର ସମେତ ଅନେକ ଦେଶ ଚିନ୍ତା ବ୍ୟକ୍ତ କରିଛନ୍ତି । ବିଶେଷଜ୍ଞଙ୍କ ଅନୁସାରେ, ଏହି ନିୟମ ଲୋକଙ୍କ ଗୋପନୀୟତା ଓ ଅଭିବ୍ୟକ୍ତିରେ ସ୍ୱାଧୀନତାର ଉଲ୍ଲଂଘନ ।