ନୂଆଦିଲ୍ଲୀ,୨୪/୧୨:  ରାଜସ୍ଥାନ ଜୟପୁରରେ ଭୟଙ୍କର ଦୁର୍ଘଟଣା। ବସ୍‌କୁ  ମୁହାଁମୁହିଁ  ଧକ୍କା ଦେଲା ଟ୍ରକ । ଫଳରେ ୧୦ ଜଣ ଆହତ ହୋଇଥିବା ସୂଚନା । ତେବେ ସମସ୍ତ ଆହତଙ୍କୁ ସବାଇ ମାନସିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ରାଜସ୍ଥାନର ଜୟପୁର-ଅଜମେର ରାଜପଥରେ ଅବସ୍ଥିତ ହୋଟେଲ ହାଇୱେ କିଙ୍ଗ ନିକଟରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। 

 ସୂଚନା ଅନୁଯାୟୀ, ଜୟପୁର ଜିଲ୍ଲା ଅନ୍ତର୍ଗତ ଚାନ୍ଦପୋଲରୁ ବାଗୁରୁ ଯାଉଥିବା JCTSL ବସ୍ ସହିତ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଏବଂ ପ୍ରଶାସନ ଦଳ ଘଟଣାସ୍ଥଳରେ ପହଞ୍ଚିଥିବା ଘଟଣାର ତଦନ୍ତ ଜାରି ରହିଛି। ପ୍ରକାଶ ଥାଉକି, ଗତ କିଛି ଦିନ ହେବ ରାଜସ୍ଥାନରେ କ୍ରମାଗତ ଭାବରେ ଦୁର୍ଘଟଣା ଘଟୁଛି। ଏହାର କିଛି ଦିନ ପୂର୍ବରୁ ରାଜସ୍ଥାନର ଡାଉସା ଠାରେ ଏକ କାର ଉପରେ ଟ୍ରକ ଓଲଟି ପଡ଼ିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଥିଲେ। ଏନେଇ ଡେପୁଟି ପୋଲିସ ଅଧୀକ୍ଷକ ଦୀପକ କୁମାର ମୀନା କହିଛନ୍ତି ଯେ, ଜୟପୁରରୁ ଭାରତପୁର ଯାଉଥିବା ଟ୍ରକ ବାଲାଜୀ ମୋର୍ ନିକଟରେ ନିୟନ୍ତ୍ରଣ ହରାଇ କାର ଉପରେ ଓଲଟି ପଡିଥିଲା। ଫଳରେ  କାରରେ ଥିବା ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ସେହିପରି ୪ ଦିନ ପୂର୍ବରୁ ଡିସେମ୍ବର ୨୦ରେ ଜୟପୁର-ଅଜମେର ରାଜପଥରେ ଏକ ଭୟଙ୍କର ଦୁର୍ଘଟଣା ଘଟି ୧୪ ଜଣଙ୍କର ମୃତ୍ୟୁ ଘଟିଥିଲା।