ନୂଆଦିଲ୍ଲୀ,୨୬/୪ : ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ଲାଗି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ହେଲେ ଗୋଟିଏ ଜନ୍ମରେ ଅତ୍ୟାଚାର ଏଭଳି ହେଲା ଯେ ସ୍ତ୍ରୀ ସହି ପାରିଲେନି । ଯାହାକୁ ସାତ ଜନ୍ମ ପାଇଁ ସାଥି ହୋଇ ରହିବାକୁ ସାକ୍ଷୀ କରିଥିଲେ ତାକୁ ନିଜ ହାତରେ ହତ୍ୟା କଲେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନର ଜୈସଲମେରରେ। ରବିବାର ଜିଲ୍ଲାର ସାଙ୍କଡ଼ା ଥାନା ଅଞ୍ଚଳରେ ଅବସ୍ଥିତ ଲୁଣା ଖୁର୍ଦ ଗାଁରେ ଘଟିଛି ଏହି ଘଟଣା । ବିବାହର ୧୨ବର୍ଷ ପରେ ଜଣେ ସ୍ତ୍ରୀ ତାଙ୍କ ମଦ୍ୟପ ସ୍ୱାମୀଙ୍କୁ ହତ୍ୟା କରିଛି । ହତ୍ୟା ଅଭିଯୋଗରେ ମହିଳାଙ୍କୁ ହେପାଜତକୁ ନିଆଯାଇଛି । ଏହି ଘଟଣା ଗାଁରେ ଆଲୋଡ଼ନ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ଏହି ଘଟଣା ଘରୋଇ ହିଂସାର ପରିଣାମ। ମୃତକ ହନୁମାନ ରାମ ତାଙ୍କ ଘର ବାରଣ୍ଡାରେ ଶୋଇଥିଲେ । ସେତେବେଳେ ତାଙ୍କ ସ୍ତ୍ରୀ ଆମକା ବିଳମ୍ବିତ ରାତିରେ ଏକ ଲୁହା ରଡ୍ ନେଇ ପହଞ୍ଚିଲେ ଏବଂ ତାଙ୍କୁ ଗଭୀର ନିଦ୍ରାରେ ଶୋଇଥିବା ଦେଖି ତାଙ୍କ ମୁଣ୍ଡରେ ଏକ ଶକ୍ତ ଆଘାତ ଦେଇ ଆକ୍ରମଣ କଲେ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଲା ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହେଲା। ହନୁମାନ ରାମ ପ୍ରାୟ ୧୨ ବର୍ଷ ପୂର୍ବେ ବିବାହ କରିଥିଲେ ଏବଂ ସେ ୪ଟି ସନ୍ତାନ ଥିଲେ। ସେ ଦୀର୍ଘଦିନ ଧରି ମଦ୍ୟପାନ କରି ତାଙ୍କ ସ୍ତ୍ରୀଙ୍କୁ ହଇରାଣ କରିଆସୁଥିଲେ।
ସାଙ୍କଡ଼ା ପୋଲିସ ଷ୍ଟେସନ୍ ଇନଚାର୍ଜ ରଣସିଂହ ସୋଢା କହିଛନ୍ତି ଯେ, ରବିବାର ସକାଳେ ଖବରପାଇବା ପରେ ସେ ପୋଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ। ଘଟଣାର ଗମ୍ଭୀରତାକୁ ବିଚାର କରି ପୋଲିସ ଅଧୀକ୍ଷକ ଅଭିଷେକ ଶିବହରେ ଏବଂ ପୋକରଣ ସିଓ ଭବାନୀ ସିଂହ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଯାଞ୍ଚ କରିଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି ଯେ ଘରୋଇ ହିଂସା କାରଣରୁ ଏଭଳି କିଛି ହୋଇଥାଏପାରେ ।