ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚ୍ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡରେ ଖେଳାଯାଉଛି । ଏହି ମ୍ୟାଚ୍ର ପ୍ରଥମ ଦିନରେ ଟିମ୍ ଇଣ୍ଡିଆ ଟସ୍ ହାରି ବ୍ୟାଟିଂ କରିଥିଲା। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତୀୟ ଦଳ ୪ ୱିକେଟ୍ ହରାଇ ୨୬୪ ରନ୍ କରିଛି । ଏହି ସମୟରେ ଯଶସ୍ୱୀ ଜୟସ୍ୱାଲ ଏବଂ ସାଇ ସୁଦର୍ଶନ ଅର୍ଦ୍ଧଶତକ ହାସଲ କରିବାରେ ସଫଳ ହୋଇଛନ୍ତି । ଆଜିର ମ୍ୟାଚ୍ରେ ରିଷଭ ପନ୍ତ ଗୁରୁତର ଆହତ ହୋଇଛନ୍ତି ।
ଯଶସ୍ୱୀ ଜୟସ୍ୱାଲ ଏବଂ ସାଇ ସୁଦର୍ଶନଙ୍କ ବ୍ୟତୀତ କେଏଲ ରାହୁଲ ୪୬ ରନ୍ କରି ଆଉଟ ହୋଇଥିଲେ । ଶୁଭମନ ଗିଲ ୧୨, ରିଷଭ ପନ୍ତ ୩୭ (ରିଟାୟର୍ଡ ହର୍ଟ) କରିଥିଲେ । ରବୀନ୍ଦ୍ର ଜାଡେଜା ଏବଂ ଶାର୍ଦ୍ଦୁଳ ଠାକୁ ଉଭୟ ୧୯ ରନ୍ କରିବା ସହ ନଟଆଉଟ୍ ଥିଲେ । ସେପଟେ ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ସ ୨ଟି ଓ୍ବିକେଟ ନେଇଥିବା ବେଳେ କ୍ରିସ ଓକ୍ସ ଏବଂ ଲିଆମ ଡାଉସନ୍ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
ଭାରତ ଏହା ପୂର୍ବରୁ ମାଞ୍ଚେଷ୍ଟରରେ ଇଂଲଣ୍ଡ ବିପକ୍ଷରେ ୯ଟି ଟେଷ୍ଟ ଖେଳିଛି । ଯେଉଁଥିରେ ଭାରତ ୪ଟିରେ ପରାସ୍ତ ହୋଇଛି ଏବଂ ୫ଟି ଡ୍ର କରିଛି। ଏହାର ଅର୍ଥ ହେଉଛି ଭାରତ ମାଞ୍ଚେଷ୍ଟରରେ ଗୋଟିଏ ବି ଟେଷ୍ଟ ଜିତି ନାହିଁ। ଭାରତୀୟ ଦଳ ୧୯୩୬ ମସିହାରେ ମାଞ୍ଚେଷ୍ଟରରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିଥିଲା । ଏହି ମ୍ୟାଚ୍ ଡ୍ର ହୋଇଥିଲା। ଏହା ପରେ, ୧୯୪୬ ମସିହାରେ ଏଠାରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା ଏବଂ ତାହା ମଧ୍ୟ ଡ୍ର ଥିଲା। ଏହା ପରେ, ୧୯୫୨ ମସିହାରେ ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା, ଯାହାକୁ ଇଂଲଣ୍ଡ ଏକ ଇନିଂସ ଏବଂ ୨୦୭ ରନର ବିଶାଳ ବ୍ୟବଧାନରେ ଜିତିଥିଲା ।
୧୯୫୯ ମସିହାରେ ମାଞ୍ଚେଷ୍ଟରରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍ ଇଂଲଣ୍ଡ ଭାରତ ବିପକ୍ଷରେ ୧୭୧ ରନରେ ଜିତିଥିଲା। ୧୯୭୧ ମସିହାରେ ଖେଳାଯାଇଥିବା ପଞ୍ଚମ ଟେଷ୍ଟ ମ୍ୟାଚ୍ ଦୁଇ ଦଳ ମଧ୍ୟରେ ଡ୍ର ଥିଲା । ୧୯୭୪ ମସିହାରେ, ଭାରତ ଏବଂ ଇଂଲଣ୍ଡ ଷଷ୍ଠ ଥର ପାଇଁ ମୁହାଁମୁହିଁ ହୋଇଥିଲେ । ଇଂଲଣ୍ଡ ଏହି ମ୍ୟାଚକୁ ୧୧୩ ରନରେ ଜିତିଥିଲା। ୧୯୮୨ ଏବଂ ୧୯୯୦ ମସିହାରେ ଖେଳାଯାଇଥିବା ପରବର୍ତ୍ତୀ ଦୁଇଟି ଟେଷ୍ଟ ମ୍ୟାଚ୍ ଡ୍ର ଥିଲା। ଏଠାରେ ଖେଳାଯାଇଥିବା ଶେଷ ଟେଷ୍ଟ ମ୍ୟାଚ୍ ୨୦୧୪ ରେ ହୋଇଥିଲା । ଏହି ମ୍ୟାଚକୁ ଇଂଲଣ୍ଡ ଏକ ଇନିଂସ ଏବଂ ୫୪ ରନରେ ଜିତିଥିଲା ।