ନୂଆଦିଲ୍ଲୀ, ୧।୪: ପୂର୍ବ ଚୀନ ସାଗରରେ ବଢ଼ୁଥିବା ବିବାଦ ମଧ୍ୟରେ ଜାପାନ ଏକ ବଡ଼ ସାମରିକ ପଦକ୍ଷେପ ଗ୍ରହଣ କରିଛି । ଚୀନର ମୁଖ୍ୟ ଭୂଭାଗ ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରୁଥିବା ଦୂରଗାମୀ ମିସାଇଲ୍କୁ ଜାପାନ ନିଜର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ମୁତୟନ କରିଛି । ଜାପାନର ପ୍ରତିରକ୍ଷା ମନ୍ତ୍ରୀ ଶିଞ୍ଜିରୋ କୋଇଜୁମି ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ରିପୋର୍ଟ ଅନୁଯାୟୀ, ଜାପାନର ଦକ୍ଷିଣ-ପଶ୍ଚିମ ସେନା କ୍ୟାମ୍ପ କୁମାମୋଟୋରେ 'ଟାଇପ୍-୧୨' ମିସାଇଲ୍ ମୁତୟନ କରାଯାଇଛି । ମିତ୍ସୁବିସି ହେଭି ଇଣ୍ଡଷ୍ଟ୍ରିଜ୍ ଦ୍ୱାରା ନିର୍ମିତ ଏହି ମିସାଇଲର କ୍ଷମତାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହାର କ୍ଷମତା ୨୦୦ କିମି ଥିବାବେଳେ ଏବେ ଏହା ୧୦୦୦ କିଲୋମିଟର ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଏହି ମିସାଇଲ୍ ଜଳପଥରେ ଶତ୍ରୁ ଜାହାଜକୁ ଧ୍ୱଂସ କରିବା ସହ ଚୀନର ମୁଖ୍ୟ ସହରଗୁଡ଼ିକରେ ପହଞ୍ଚିବାକୁ ସକ୍ଷମ ।
ଏହା ବି ପଢ଼ନ୍ତୁ... ଏଣିକି ଇନଷ୍ଟାଗ୍ରାମ ଚଲାଇଲେ ଗଣିବେ ଟଙ୍କା ! ଆସୁଛି ନୂଆ ସବସ୍କ୍ରିପସନ ମଡେଲ, ଜାଣନ୍ତୁ କ'ଣ ରହିଛି ଖାସ୍ ଫିଚର୍ସ
"ଆତ୍ମରକ୍ଷା ପାଇଁ ଏହା ଜରୁରୀ" – କୋଇଜୁମି
ଜାପାନ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନର ଜଟିଳ ସୁରକ୍ଷା ପରିବେଶକୁ ଦୃଷ୍ଟିରେ ରଖି ଜାପାନ ନିଜର ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଏହି ପଦକ୍ଷେପ ନେଇଛି । ଏହାଦ୍ୱାରା ଜାପାନକୁ 'ଷ୍ଟାଣ୍ଡଅଫ୍ କାପାବିଲିଟି' ମିଳିଛି, ଅର୍ଥାତ୍ ଶତ୍ରୁର ଆକ୍ରମଣ ପୂର୍ବରୁ ଦୂରରୁ ଥାଇ ଜାପାନ ଶତ୍ରୁ ଘାଟିକୁ ଟାର୍ଗେଟ୍ କରିପାରିବ । ଏହା ଜାପାନର ପୁରୁଣା 'କେବଳ ଆତ୍ମରକ୍ଷା' ନୀତିରେ ଏକ ବଡ଼ ପରିବର୍ତ୍ତନ ବୋଲି କୁହାଯାଉଛି । ଆବାସିକ ଅଞ୍ଚଳ ନିକଟରେ ଏହି ମିସାଇଲ୍ ମୁତୟନ କରାଯାଇଥିବାରୁ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଛନ୍ତି । କେନଗୁନ୍ କ୍ୟାମ୍ପ ବାହାରେ ବିକ୍ଷୋଭ କରି ଲୋକେ କହିଛନ୍ତି ଯେ, ଏହାଦ୍ୱାରା ଉତ୍ତେଜନା ବଢ଼ିବ ଏବଂ ଯୁଦ୍ଧ ପରିସ୍ଥିତିରେ ଏହି ଅଞ୍ଚଳ ଶତ୍ରୁର ପ୍ରଥମ ଟାର୍ଗେଟ୍ ପାଲଟିବ ।
ଚୀନ ଓ ଜାପାନ ମଧ୍ୟରେ ବିବାଦର କାରଣ:
୧. ସାମରିକ ଗତିବିଧି: ଚୀନ, ଋଷ ଏବଂ ଉତ୍ତର କୋରିଆର ବଢ଼ୁଥିବା ସାମରିକ ଶକ୍ତିକୁ ନେଇ ଜାପାନ ଚିନ୍ତାରେ ରହିଛି ।
୨. ତାଇୱାନ ପ୍ରସଙ୍ଗ: ଗତ ନଭେମ୍ବରରେ ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି ସଂକେତ ଦେଇଥିଲେ ଯେ, ଯଦି ଚୀନ ତାଇୱାନ ଉପରେ ଆକ୍ରମଣ କରେ, ତେବେ ଜାପାନ ସେଥିରେ ସାମରିକ ହସ୍ତକ୍ଷେପ କରିପାରେ । ଏହି ବୟାନ ପରଠାରୁ ବେଜିଂ ଏବଂ ଟୋକିଓ ମଧ୍ୟରେ ସମ୍ପର୍କ ସବୁଠାରୁ ଖରାପ ସ୍ଥିତିକୁ ଚାଲିଯାଇଛି । ଜାପାନ ଏବେ ନିଜର ଶାନ୍ତିବାଦୀ ସମ୍ବିଧାନର ପରିସରରୁ ବାହାରି ନିଜ ପ୍ରତିରକ୍ଷା ପାଇଁ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣେଇବା ଆରମ୍ଭ କରିଛି, ଯାହା ଏସିଆର ରାଜନୀତିରେ ଏକ ବଡ଼ ହଲଚଲ ସୃଷ୍ଟି କରିଛି ।