ନୂଆଦିଲ୍ଲୀ, ୧।୪: ମେଟା ନିଜର ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି । କମ୍ପାନୀ ଏକ ନୂଆ ପ୍ରିମିୟମ ସବସ୍କ୍ରିପସନ ମଡେଲ 'Instagram Plus' ଉପରେ କାମ କରୁଛି, ଯାହା ୟୁଜର୍ସଙ୍କ ଅନୁଭୂତିକୁ ସମ୍ପୂର୍ଣ୍ଣ ବଦଳାଇ ଦେବ । ଏହି ପ୍ଲାନରେ ଏପରି କିଛି ଫିଚର୍ସ ମିଳିବ ଯାହା ବର୍ତ୍ତମାନ ସାଧାରଣ ୟୁଜର୍ସଙ୍କ ପାଇଁ ଉପଲବ୍ଧ ନାହିଁ । ମିଡିଆ ରିପୋର୍ଟ ଅନୁଯାୟୀ, 'Instagram Plus'ର ପରୀକ୍ଷଣ ବର୍ତ୍ତମାନ ମେକ୍ସିକୋ, ଜାପାନ ଏବଂ ଫିଲିପାଇନ୍ସ ଭଳି କିଛି ନିର୍ଦ୍ଦିଷ୍ଟ ଦେଶରେ କରାଯାଉଛି । ବର୍ତ୍ତମାନ ଏହା କେବଳ ସୀମିତ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହୋଇଥିବା ବେଳେ, ଆଗାମୀ ଦିନରେ ଏହାକୁ ବିଶ୍ୱର ଅନ୍ୟ ଦେଶମାନଙ୍କରେ ମଧ୍ୟ ଲଞ୍ଚ କରାଯାଇପାରେ ।
ଏହା ବି ପଢ଼ନ୍ତୁ... ବିମାନ ଯାତ୍ରୀ ଓ ଏୟାରଲାଇନ୍ସକୁ ବଡ଼ ଝଟ୍କା: ୧୧୫% ବଢ଼ିଲା ଜେଟ୍ ଫ୍ୟୁଲ୍ ଦର, ଆକାଶଛୁଆଁ ହେଲା ବିମାନ ଇନ୍ଧନ ମୂଲ୍ୟ
Instagram Plusରେ ମିଳିବ ଏହିସବୁ ସ୍ୱତନ୍ତ୍ର ସୁବିଧା:
ଏହି ପେଡ୍ ସର୍ଭିସର ସବୁଠାରୁ ବଡ଼ ଫିଚର ହେଉଛି ଆପଣ ନିଜର ପରିଚୟ ନଲୁଚାଇ ଯେକୌଣସି ବ୍ୟକ୍ତିଙ୍କ ଷ୍ଟୋରୀ ଦେଖିପାରିବେ । ସେମାନଙ୍କ ଷ୍ଟୋରୀ ଭ୍ୟୁ ଲିଷ୍ଟରେ ଆପଣଙ୍କ ନାମ ଦେଖାଇବ ନାହିଁ । ଆପଣଙ୍କ ଷ୍ଟୋରୀକୁ କିଏ କେତେଥର ଦେଖିଛି, ତାହାର ସୂଚନା ମଧ୍ୟ ଆପଣ ପାଇପାରିବେ । ବର୍ତ୍ତମାନ କେବଳ 'କ୍ଲୋଜ୍ ଫ୍ରେଣ୍ଡ୍ସ' ଲିଷ୍ଟର ସୁବିଧା ଥିବାବେଳେ, ନୂଆ ପ୍ଲାନରେ ଆପଣ ଷ୍ଟୋରୀ ପାଇଁ ଅଲଗା ଅଲଗା ଗ୍ରୁପ୍ ବା ଲିଷ୍ଟ ପ୍ରସ୍ତୁତ କରିପାରିବେ । ୟୁଜର୍ସ ନିଜ ଷ୍ଟୋରୀକୁ ୨୪ ଘଣ୍ଟାରୁ ଅଧିକ ସମୟ ପାଇଁ ରଖିପାରିବେ ଏବଂ ସପ୍ତାହକୁ ଥରେ ନିଜର ଏକ ଷ୍ଟୋରୀକୁ ହାଇଲାଇଟ୍ କରି ସମସ୍ତଙ୍କ ଆଗରେ ପ୍ରଦର୍ଶିତ କରିପାରିବେ ।
ସୁପର୍ ଲାଇକ୍: ଷ୍ଟୋରୀରେ ସାଧାରଣ ଲାଇକ୍ ବଦଳରେ ଏନିମେଟେଡ୍ 'ସୁପରଲାଇକ୍' ପଠାଇବାର ସୁବିଧା ମିଳିବ ।
ସର୍ଚ୍ଚ ଅପସନ୍: ଷ୍ଟୋରୀ ଦେଖିଥିବା ଲୋକଙ୍କ ତାଲିକାରେ ଆପଣ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ସର୍ଚ୍ଚ ମଧ୍ୟ କରିପାରିବେ ।
ମେଟା ଭେରିଫାଇଡ୍ଠାରୁ ଏହା କିପରି ଅଲଗା ?
ସୂଚନାଯୋଗ୍ୟ ଯେ, Instagram Plus ଏବଂ Meta Verified ସମ୍ପୂର୍ଣ୍ଣ ଭିନ୍ନ । 'ଭେରିଫାଇଡ୍' ପ୍ଲାନ୍ ମୁଖ୍ୟତଃ ବ୍ଲୁ-ଟିକ୍ ଏବଂ ସୁରକ୍ଷା ପାଇଁ କ୍ରିଏଟର୍ସଙ୍କୁ ଦିଆଯାଉଥିବା ବେଳେ, 'ଇନଷ୍ଟାଗ୍ରାମ୍ ପ୍ଲସ୍' ସାଧାରଣ ୟୁଜର୍ସଙ୍କ ବ୍ୟବହାରକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି । କମ୍ପାନୀ ପକ୍ଷରୁ ଏପର୍ଯ୍ୟନ୍ତ ଏହାର ମୂଲ୍ୟ ବାବଦରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । କିନ୍ତୁ ରିପୋର୍ଟ ଅନୁଯାୟୀ, ବିଭିନ୍ନ ଦେଶରେ ଏହାର ମାସିକ ସବସ୍କ୍ରିପସନ ଫି' ୧୦୦ ରୁ ୨୦୦ ଟଙ୍କା ମଧ୍ୟରେ ରହିପାରେ । ଭାରତରେ ଏହାର ପ୍ରକୃତ ମୂଲ୍ୟ କେତେ ହେବ, ତାହା ଲଞ୍ଚ ହେବା ପରେ ହିଁ ଜଣାପଡ଼ିବ ।