ନୂଆଦିଲ୍ଲୀ ୨୨/୦୪: ବିଶ୍ୱର ଅନେକ ଦେଶରେ ଟ୍ରେନ୍ ୫ ମିନିଟ୍ ବିଳମ୍ବ ହେଲେ ତାକୁ ଏକ ସାଧାରଣ ଘଟଣା ଭାବେ ମନେ କରାଯାଏ । କିନ୍ତୁ ଜାପାନ କଥା କିଛି ଅଲଗା । ଜାପାନରେ ଏଥିଲାଗି ରେଲୱେ ପକ୍ଷରୁ ଯାତ୍ରୀଙ୍କୁ କ୍ଷମାପ୍ରାର୍ଥନା କରାଯାଇଥାଏ । ଦେଶର ହାଇ-ସ୍ପିଡ୍ ରେଳ ପ୍ରଣାଳୀ ଶିଙ୍କାସେନ୍ ନିଜର ସଠିକତା ଏବଂ ସମୟାନୁବର୍ତ୍ତିତା ଲାଗି ବିଶ୍ୱପ୍ରସିଦ୍ଧ । ଏହି ବ୍ୟବସ୍ଥାରେ ସାମାନ୍ୟ ବିଳମ୍ବକୁ ମଧ୍ୟ ଗ୍ରହଣ କରାଯାଇନଥାଏ । ତେଣୁ ରେଲୱେ ପକ୍ଷରୁ ଏଥିଲାଗି ଯାତ୍ରୀମାନଙ୍କୁ କ୍ଷମାପ୍ରାର୍ଥନା କରାଯାଏ । କିଛି କ୍ଷେତ୍ରରେ ଯାତ୍ରୀଙ୍କୁ ବିଳମ୍ବ ସାର୍ଟିଫିକେଟ୍ ମଧ୍ୟ ଜାରି ହୋଇଥାଏ । ସେହି ସାର୍ଟିଫିକେଟ୍ ଏକ ଆନୁଷ୍ଠାନିକ ଦସ୍ତାବିଜ ଯାହାକୁ ଯାତ୍ରୀ ସ୍କୁଲ କିମ୍ବା ନିଜ ଅଫିସରେ ଦେଖାଇ ପାରିବେ ।
ରିପୋର୍ଟ ଅନୁସାରେ, ଜାପାନରେ ଟ୍ରେନ୍ର ବିଳମ୍ବକୁ ମିନିଟ୍ ନୁହେଁ, ବରଂ ସେକେଣ୍ଡ ହିସାବରେ ଦେଖାଯାଏ । ଯଦି କ୍ୱଚିତ୍ କୌଣସି କାରଣବଶତଃ ନିର୍ଦ୍ଧାରିତ ସମୟର କିଛି ସେକେଣ୍ଡ ପୂର୍ବରୁ ଟ୍ରେନ୍ ଷ୍ଟେସନ ଅତିକ୍ରମ କରିଯାଏ ତେବେ ସେଥିଲାଗି ମଧ୍ୟ ରେଳ ବିଭାଗ କ୍ଷମା ମାଗିଥାଏ । ଏଭଳି ସ୍ତରର ସଠିକତା ପୂରା ବ୍ୟବସ୍ଥାର ଅନୁଶାସନ ଏବଂ କଡ଼ା ତତ୍ତ୍ୱାବଧାନର ପରିଣାମ । ଟ୍ରେନ୍ ଡ୍ରାଇଭର ସେକେଣ୍ଡ ହିସାବରେ ସମୟକୁ ପାଳନ କରିଥାନ୍ତି । ତାଙ୍କର ପ୍ରତି ଗତିବିଧି ଉପରେ ନଜର ରଖାଯାଇଥାଏ । କୌଣସି ପ୍ରକାର ଦାୟିତ୍ୱହୀନତା ଗମ୍ଭୀର ପରିଣାମ ଆଣିବାର ଆଶଙ୍କା ଥିବାରୁ ସବୁ ସ୍ତରରେ ସତର୍କତା ଅବଲମ୍ବନ କରାଯାଏ ।
ଅନ୍ୟପଟେ ଜାପାନରେ ସମୟର ଏକ ସାଂସ୍କୃତିକ ମୂଲ୍ୟ ମଧ୍ୟ ରହିଛି । ସେଠାରେ ଲୋକେ ସାର୍ବଜନିକ ପରିବହନ ଉପରେ ଅତ୍ୟଧିକ ନିର୍ଭରଶୀଳ । ଏହା ସେମାନଙ୍କ ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଦେଶରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଟ୍ରେନ୍ର ବ୍ୟବହାର କରୁଥିବାବେଳେ ପରିବହନ ବ୍ୟବସ୍ଥା ଉପରେ ସେମାନଙ୍କର ଅତୁଟ ବିଶ୍ୱାସ ରହିଛି । ସେଥିଯୋଗୁ ହିଁ ଟ୍ରେନ୍ ସାମାନ୍ୟ ବିଳମ୍ବିତ ହେଲେ ସେଠାରେ ଯାତ୍ରୀଙ୍କ ଲାଗି ବିଳମ୍ବ ସାର୍ଟିଫିକେଟ ଜାରି ହୋଇଥାଏ ।
ଆହୁରି ପଢ଼ନ୍ତୁ...କଲେଜକୁ ପିତାଙ୍କ ନିବେଦନ, ସାଇକେଲ୍ରେ ଶୌଚାଳୟ ନେଇ ଝିଅର ନାମ ଲେଖାଇବାକୁ ଅନୁରୋଧ