ନୂଆଦିଲ୍ଲୀ,୨୪/୦୩; ଆଇପିଏଲ-୧୯ ପୂର୍ବରୁ ୫ଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ପେସ୍ ବୋଲର ଯଶପ୍ରୀତ ବୁମରା ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀର ଉତ୍କର୍ଷ କେନ୍ଦ୍ରରେ ପହଞ୍ଚିବା ଖବର କ୍ରିକେଟ୍ ପ୍ରେମୀଙ୍କୁ ଚିନ୍ତାରେ ପକାଇ ଦେଇଛି । ସେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଯୋଗ ଦେବା ପୂର୍ବରୁ ବିସିସିଆଇ ଉତ୍କର୍ଷ କେନ୍ଦ୍ରରେ ଯୋଗ ଦେଇଥିଲେ । ଅବଶ୍ୟ ଏହା ପଛର କାରଣ ଜଣାପଡ଼ିନାହିଁ । ସେ ଆହତ ଥିବା ଭଳି ଖବର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବିସିସିଆଇ ପକ୍ଷରୁ ତାଙ୍କ ଫିଟ୍ନେସ୍ ଯାଞ୍ଚ କରାଯାଇଥିବା ଅନୁମାନ କରାଯାଉଛି । ଟି-ଟ୍ୱେଣ୍ଟି ବିଶ୍ୱକପ୍ ପରେ ବୁମରା ଭାରତୀୟ ଦଳର କୌଣସି ବିଜୟ ଉତ୍ସବରେ ଯୋଗ ଦେଇ ନଥିଲେ । ଏପରିକି ବିସିସିଆଇର ବାର୍ଷିକ ପୁରସ୍କାର ଉତ୍ସବରେ ମଧ୍ୟ ଅନୁପସ୍ଥିତ ଥିଲେ । ଗତ ଶନିବାର ଅନୁଷ୍ଠିତ ମୁମ୍ବାଇ ଇଣ୍ଡିଆନ୍ସର ‘ମିକ୍ସ’ ଇଭେଣ୍ଟରେ ମଧ୍ୟ ସାମିଲ ହୋଇ ନଥିଲେ । ସୂଚନାଯୋଗ୍ୟ, ବୁମରା ଭାରତୀୟ ଦଳର ଏକମାତ୍ର ସବୁ ଫର୍ମାଟ୍ ପେସ୍ ବୋଲର । ପୂର୍ବରୁ ମଧ୍ୟ ସେ ଗୁରୁତର ଆହତ ହୋଇ ପାଖାପାଖି ବର୍ଷେ କାଳ କ୍ରିକେଟ୍ରୁ ଦୂରେଇ ରହିଥିଲେ । ତେଣୁ ବିସିସିଆଇ ନିୟମିତ ଭାବେ ତାଙ୍କ ଫିଟ୍ନେସ୍ ପରୀକ୍ଷା କରୁଛି ।
ଏହା ବି ପଢନ୍ତୁ...ଖେଳାଳିଙ୍କ ମନ୍ମାନୀ ଖତମ୍...ଆଇପିଏଲ ପାଇଁ ବିସିସିଆଇର ନୂଆ ନିୟମ, ‘ଇମ୍ପାକ୍ଟ ପ୍ଲେୟାର’ ରୁଲକୁ ନେଇ ଅସନ୍ତୁଷ୍ଟ ବାପୁ
ଆକାଶ ଦୀପଙ୍କ ସ୍ଥାନରେ ସୌରଭ
କୋଲକାତା ନାଇଟ୍ ରାଇଡର୍ସ ଦଳର ପ୍ରମୁଖ ପେସ୍ ବୋଲର ଆକାଶ ଦୀପ ଆହତ ହୋଇ ଆଗାମୀ ଆଇପିଏଲରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ନାଇଟ୍ ରାଇଡର୍ସ ବିଦର୍ଭ ରଣଜୀ ଦଳର ବାମ ହାତି ପେସ୍ ବୋଲର ସୌରଭ ଦୁବେଙ୍କୁ ଚୁକ୍ତି କରିଛି । ସେ ଇତି ମଧ୍ୟରେ ଦଳ ସହ ଯୋଗ ଦେଇ ଅଭ୍ୟାସ ଆରମ୍ଭ କରିଛନ୍ତି । ଆକାଶ ଦୀପ ସମ୍ପ୍ରତି ଜାତୀୟ କ୍ରିକେଟ୍ ଏକାଡେମୀର ଉତ୍କର୍ଷ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ଫିଟ୍ ହେବା ପାଇଁ ଅତି କମ୍ରେ ୩ ମାସ ସମୟ ଲାଗିବ । ସୌରଭ ମାତ୍ର ୧୧ଟି ଲିଷ୍ଟ ଏ’ ମ୍ୟାଚ ଖେଳି ୧୭ଟି ୱିକେଟ୍ ନେଇଛନ୍ତି । ମାତ୍ର ସେ ଉଭୟ ଦିଗରେ ବଲ୍ ସୁଇଂ କରାଇବାର କ୍ଷମତା ରଖିଛନ୍ତି ।
ଗତ ନିଲାମରେ ତାଙ୍କୁ କୌଣସି ଫ୍ରାଞ୍ଚାଇଜ କିଣିବା ପାଇଁ ଆଗ୍ରହ ଦେଖାଇ ନଥିଲେ । ତଥାପି ତାଙ୍କୁ ଚୁକ୍ତି କରି ନାଇଟ୍ ରାଇଡର୍ସ ଅନେକ ଆବଶ୍ୟକତା ପୂରଣ କରିଛି । ମୁସ୍ତାଫିଜୁର ରେହମାନ ବିଦା ହେବା ପରଠୁ ନାଇଟ ରାଇଡର୍ସ ଦଳରେ ବାମ ହାତି ପେସ୍ ବୋଲରଙ୍କ ଅଭାବ ରହିଥିଲା । ସୌରଭ ଏହି ସ୍ଥାନ ପୂରଣ କରିବେ ବୋଲି ନାଇଟ୍ ରାଇଡର୍ସ ଆଶା ବାନ୍ଧିଛି । ଅବଶ୍ୟ ମୁସ୍ତାଫିଜୁରଙ୍କ ସ୍ଥାନରେ ନାଇଟ୍ ରାଇଡର୍ସ ଜିମ୍ବାୱେର ବ୍ଲେସିଂ ମୁଜରବାନୀଙ୍କୁ ଚୁକ୍ତି କରିଛି ।