ମୁମ୍ବାଇ,୦୪/୦୧; ଜଣାଶୁଣା ଟିଭି ଦମ୍ପତି ଜୟ ଭାନୁଶାଳୀ ଏବଂ ମାହି ବିଜ୍ ଅଲଗା ହୋଇଛନ୍ତି । ବିବାହର ୧୫ ବର୍ଷ ପରେ ବୈବାହିକ ସମ୍ପର୍କକୁ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି ଜୟ-ମାହି । କିଛି ଦିନ ଧରି ସେମାନଙ୍କ ସମ୍ପର୍କରେ ଫାଟ ପଡିଥିବା ନେଇ ଚର୍ଚ୍ଚା ହେଉଥିଲା । ଆଜି ତାହା ସତ ହୋଇଛି । ଛାଡପତ୍ର ଖବରକୁ ସୋସିଆଲ ମିଡିଆରେ ଜୟ ନିଶ୍ଚିତ କରିଛନ୍ତି । ଦୁହିଁଙ୍କର ଗୋଟିଏ ଝିଅ ଅଛନ୍ତି ତାଙ୍କ ନାମ ତାରା ।

'ନାଟକ ନୁହେଁ ଶାନ୍ତି ବାଟ ବାଛିଲୁ'- ଛାଡ଼ପତ୍ର ଖବର ନିଶ୍ଚିନ୍ତ କରି ଇନଷ୍ଟାଗ୍ରାମ ପୋଷ୍ଟରେ ଜୟ ଲେଖିଛନ୍ତି,"ଆମେ ଜୀବନ ଯାତ୍ରାରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ । କିନ୍ତୁ ଆମେ ପରସ୍ପରକୁ ସମର୍ଥନ କରିବୁ । ଶାନ୍ତି, ପ୍ରଗତି, କରୁଣା ଏବଂ ମାନବିକତା ସର୍ବଦା ଆମ ଉଭୟଙ୍କ ପାଇଁ ମୌଳିକ ନୀତି ହୋଇ ଆସିଛି । ଆମେ ଆମ ପିଲାମାନେ, ତାରା, ଖୁସି ଏବଂ ରାଜବୀରଙ୍କ ପାଇଁ ସର୍ବୋତ୍ତମ ପିତାମାତା ହେବାକୁ ଚେଷ୍ଟା କରିବୁ ଏବଂ ଏକାଠି ଆମେ ସେମାନଙ୍କ ସର୍ବୋତ୍ତମ ସ୍ୱାର୍ଥ ପାଇଁ ନିଷ୍ପତ୍ତି ନେବୁ । ଯଦିଓ ଆମେ ଅଲଗା ହେଉଛୁ, ଆମ ବିଚ୍ଛେଦରେ କିଛି ସମସ୍ୟା ନାହିଁ ।  କହି ଖଳନାୟକ ନାହାନ୍ତି କୌଣସି ନକାରାତ୍ମକତା ନାହିଁ । ଆପଣ କୌଣସି ଦ୍ୱନ୍ଦ୍ୱ ପ୍ରସାର କରିବା ପୂର୍ବରୁ, ଦୟାକରି ବିଚାର କରନ୍ତୁ ଯେ, ଆମେ ଏହାକୁ ନାଟକୀୟ ହେବାକୁ ଦେଇନାହୁଁ ଏବଂ ଶାନ୍ତିର ପଥ ବାଛିଛୁ । ଆମେ ପୂର୍ବ ପରି ବନ୍ଧୁ ହୋଇ ରହିବୁ ଏବଂ ପରସ୍ପରକୁ ସମ୍ମାନ କରିବୁ। "

୧୫ ବର୍ଷ ପରେ ତୁଟିଲା ସମ୍ପର୍କ- ଜୟ ଭାନୁଶାଳୀ ଏବଂ ମାହି ବିଜ୍ ୨୦୧୧ ମସିହାରେ ବିବାହ କରିଥିଲେ । ୨୦୧୭ ମସିହାରେ ସେମାନେ ରାଜବୀର ଏବଂ ଖୁସି ନାମକ ଦୁଇଟି ସନ୍ତାନକୁ ପୋଷ୍ୟ ଭାବରେ ଗ୍ରହଣ କରିଥିଲେ । ୨୦୧୯ ମସିହାରେ ମାହି ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଯାହାଙ୍କ ନାମ ତାରା । ଏବେ ୧୫ ବର୍ଷର ବିବାହ ପରେ, ଏହି ଦମ୍ପତି ଅଲଗା ହୋଇଛନ୍ତି ଏବଂ ସେମାନଙ୍କ ପିଲାମାନଙ୍କୁ ସହ-ପାଳନ କରିବେ । ମାହି ବିଜ୍ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ସମାନ କାହାଣୀ ପୋଷ୍ଟ କରିଛନ୍ତି । ବର୍ତ୍ତମାନ, କାର୍ଯ୍ୟ କ୍ଷେତ୍ରରେ, ଜୟ ଭାନୁଶାଳୀ ଟିଭି ଶୋ' 'ହମ୍ ରହେଁ ନା ରହେଁ ହମ୍'ର କାମ କରୁଛନ୍ତି । ଏହି ସମୟରେ, ମାହି ବିଜ୍ 'ସେହର ହୋନେ କୋ ହୈ' ଧାରାବାହିକରେ କାମ କରୁଛନ୍ତି ।