ଚନ୍ଦନେଶ୍ଵର, ୨୭|୫(ଆ.ପ୍ର): ସୁବର୍ଣ୍ଣରେଖା ନଦୀ ଉପରେ ପନ୍ତେଇ ଘାଟ ନିକଟରେ ନିର୍ମାଣ ହେଉଥିବା ତୃତୀୟ ପୋଲକୁ ନେଇ ଘଟିଛି ଅଘଟଣ । ନିର୍ମାଣ କାର୍ଯ୍ୟରେ ନିୟୋଜିତ ଜଣେ ଜେସିବି ଡ୍ରାଇଭରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି। ମୃତକ ଜଣକ ଅନୁଗୁଳ ଜିଲ୍ଲାର ସୁବ୍ରତ କୁମାର ସାହୁ (୨୦)ବୋଲି ଜଣାପଡିଛି।
ଖବର ମୁତାବକ, ବାଲେଶ୍ବର ଜିଲ୍ଲା ଭୋଗରାଇ ଓ ବାଲିଆପାଳ ବ୍ଲକ ମଧ୍ଯରେ ଦୂରତା କମାଇବା ଓ ଲୋକଙ୍କ ସୁବିଧା ପାଇଁ ପ୍ରାୟ ୨ଶହ କୋଟି ଟଙ୍କା ବ୍ୟୟ ଅଟକଳରେ ୩ବର୍ଷ ପୂର୍ବରୁ ନଦୀ ଉପରେ ଏକ ସେତୁ ନିର୍ମାଣ ଚାଲିଛି। ଏଲଆଣ୍ଡଟି କମ୍ପାନୀ ଏହାର କାର୍ଯ୍ୟଭାର ନେଇଛି। ସୁବ୍ରତ ଗତକାଲି (ସୋମବାର) କାର୍ଯ୍ୟ ସାରି ରୁମକୁ ଆସି କବାଟ ବନ୍ଦ କରି ଘରେ ଥିଲେ। ସାଥୀ ଶ୍ରମିକ ରଞ୍ଜନ ନାୟକ ଆସି କବାଟ ଖୋଲିବାକୁ କହିଥିଲେ ମଧ୍ୟ ଭିତରୁ କୌଣସି ଉତର ମିଳି ନଥିଲା। ବାଧ୍ୟ ହୋଇ କବାଟ ଭାଙ୍ଗି ଭିତରେ ପଶିବା ବେଳକୁ ଫ୍ୟାନରେ ସୁବ୍ରତଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ଖବର ପାଇ ମୃତକଙ୍କ ପିଉସା ବିଜନ ଦାସ ଓ ମାମୁଁ ବୁଦ୍ଧ ଚନ୍ଦ୍ର ବେହେରା ଘଟଣାସ୍ଥଳରେ ପହଂଚିଛନ୍ତି।