ପାଟନା, ୨/୧୨ : ବିହାରରେ ଗଠନ ହୋଇସାରିଛି ନୂଆ ସରକାର। ସୋମବାର ରାଜ୍ୟର ୧୮ତମ ବିଧାନସଭାର ପ୍ରଥମ ଅଧିବେଶନ ବସିଥିଲା । ବିଧାନସଭାରେ ନୂଆ କରି ନିର୍ବାଚିତ ହୋଇଥିବା ବିଧାୟକମାନେ ଶପଥ ପାଠ କରିଥିଲେ । ବିହାରର ସବୁଠୁ ଯୁବ ବିଧାୟିକା ମୈଥିଲି ଠାକୁର ମୈଥିଲି ଭାଷାରେ ଶପଥ ପାଠ କରି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ । କିନ୍ତୁ ନବାଦା ବିଧାୟିକା ତଥା ବାହୁବଳୀ ନେତା ରାଜବଲ୍ଲଭ ଯାବଦଙ୍କ ସ୍ତ୍ରୀ ବିଭା ଦେବୀ (ଜେଡିୟୁ) ତାଙ୍କ ଶପଥ ପତ୍ର ପଢ଼ି ନ ପାରିବା ସଭିଁଙ୍କୁ ଚକିତ କରିଥିଲା । ସେ ବହୁ କଷ୍ଟରେ ଗୋଟିଏ ଦୁଇଟି ଶବ୍ଦ କହୁଥିଲେ ଏବଂ ବାରମ୍ବାର ଅଟକୁଥିଲେ । ସେଥିରେ ଲେଖାଥିବା ଶବ୍ଦକୁ ସେ ଉଚ୍ଚାରଣ କରିପାରି ନ ଥିଲେ । ଶପଥ ପତ୍ର ପଢ଼ି ନ ପାରିବାରୁ ପାଖରେ ଥିବା ବିଧାୟିକା ମନୋରମା ଦେବୀ ତାଙ୍କୁ ଶବ୍ଦ ଉଚାଚଣ କରି କହିଥିଲେ । ପରେ ଖଣ୍ଡି ଖଣ୍ଡି ଶବ୍ଦରେ ବିଭା ଦେବୀ ଯେନତେନ ଭାବେ ଶପଥ ପୂରା କରିଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏଥିରେ ଅନେକ ସୋସିଆଲ ମିଡିଆ ୟୁଜର୍ସ କମେଣ୍ଟ ଦେଇଛନ୍ତି । ଶିକ୍ଷିତ ହୋଇ ନ ଥିବା ବିଧାୟିକା କିପରି ତାଙ୍କ ଅଞ୍ଚଳର ଉନ୍ନତି କରିବେ ବୋଲି ଅନେକେ କହିଛନ୍ତି ।

ବିଭା ଦେବୀ ଆର୍‌ଜେଡିର କୌଶଳ ଯାଦବଙ୍କୁ ୨୭,୫୯୪ ଭୋଟ୍‌ରେ ପରାଜିତ କରିଥିଲେ । ସେହିପରି ବେତିୟାର ବିଜେପି ବିଧାୟିକା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀ ଭୁଲ୍‌ ଭାବେ ଶପଥ ପାଠ କରିଥିଲେ । ବାଚସ୍ପତି ତାଙ୍କୁ ତୁରନ୍ତ ଅଟକାଇ ଠିକ୍‌ ଢଙ୍ଗରେ ଶପଥ ପାଠ କରାଇଥିଲେ । ଏହା ଭିତରେ କିଛି ରୋଚକ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ମନ୍ତ୍ରୀମାନଙ୍କ ଶପଥଗ୍ରହଣ ବେଳେ ସମ୍ରାଟ ଚୌଧୁରୀ ଯେତେବେଳେ ଶପଥ ନେଲେ ବିରୋଧୀ ନେତା ତେଜସ୍ୱୀ ଯାଦବ ସିଟ୍‌ରୁ ଉଠି ତାଙ୍କୁ ଅଭିବାଦନ ଜଣାଇଥିଲେ । ସେହିପରି ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ ।