ନୂଆଦିଲ୍ଲୀ,୩୧/୦୭: ମହିଳା ଦିନିକିଆ ବିଶ୍ୱକପ ଫାଇନାଲରେ ଏଣ୍ଟ୍ରୀ କରିଛି ଭାରତ । ଅଷ୍ଟ୍ରେଲିଆ ବିପକ୍ଷ ସେମି ଫାଇନାଲରେ ୫ ୱିକେଟରେ ବିଜୟୀ ହୋଇଛି ଟିମ୍ ହର୍ମନପ୍ରୀତ । ସେମି ଫାଇନାଲ ଫାଇଟ୍‌ରେ ଷ୍ଟାର ସାଜିଥିଲେ ଜେମିମା ରୋଡ୍ରିଗ୍ସ । ଏବେ ଜେମିମାଙ୍କ ନାମକୁ କେହି ଭୁଲି ପାରିବେ ନାହିଁ । ବିଶ୍ୱକପ୍ ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତକୁ ରେକର୍ଡ ବିଜୟୀ କରାଇଛନ୍ତି ଜେମିମା । ଭାରତୀୟଙ୍କ ହୃଦୟ ଜିତିଛନ୍ତି ଜେମିମା । ଭାରତର ଏହି ବିଜୟ କେବଳ କ୍ରିକେଟ ପ୍ରଶଂସକଙ୍କ ପାଇଁ ବରଂ ଜେମିମାଙ୍କ ପିତାଙ୍କ ପାଇଁ ମଧ୍ୟ ଗର୍ବର ମୁହୂର୍ତ୍ତ ଥିଲା । ଅଷ୍ଟ୍ରେଲିଆ ବିପକ୍ଷରେ ସେମିଫାଇନାଲ ବିଜୟ ପରେ ଝିଅ ଜେମିମା ବାପାଙ୍କୁ ଭେଟିଥିଲେ । ସେ ଭାବପ୍ରବଣ ହୋଇଯାଇଥିଲା । ବାପାଙ୍କ କାନ୍ଧରେ ମୁଣ୍ଡ ରଖି କାନ୍ଦିଥିଲେ ଜେମିମା । ଆଉ ବାପାଙ୍କ ଆଖିରେ ମଧ୍ୟ ଝିଅ ବିଜୟର ଲୁହ ଧାର ବହି ଯାଇଥିଲା ।

୩୩୯ ରନ୍‌ର ବିଶାଳ ଲକ୍ଷ୍ୟ । ସାମ୍ନାରେ ଥିଲା ଡିଫେଣ୍ଡିଂ ଚାମ୍ପିଅନ ୭ଥରର ଟାଇଟଲ ବିଜେତା ଅଷ୍ଟ୍ରେଲିଆ । ତଥାପି ଭାରତ ହରାଇ ନଥିଲା ମନୋବଳ । ଦୁଇ ଓପନର ଆଉଟ୍‌ ହେବା ପରେ ମଙ୍ଗ ସମ୍ଭାଳିଥିଲେ ଜେମିମା ରୋଡ୍ରିଗ୍ସ ଓ ହର୍ମନପ୍ରୀତ କୌର । ଉଭୟ ଅର୍ଦ୍ଧଶତକ ଅର୍ଜନ କରିବା ସହ ୧୬୭ ରନ୍‌ର ପାର୍ଟନରସିପ୍ ଗଠନ କରିଥିଲେ । ହର୍ମନପ୍ରୀତ, ଦୀପ୍ତି ଶର୍ମା ଓ ରିଚା ଘୋଷ ଆଉଟ୍‌ ହୋଇଥିଲେ । ନୀରବ ନିଶ୍ଚଳ ଜେମିମା ଶେଷ ଯାଏ ଲଢ଼େଇ ଜାରି ରଖି ଶତକ ଅର୍ଜନ କରି ଅଷ୍ଟ୍ରେଲିଆ ଠାରୁ ବିଜୟ ଛଡ଼ାଇ ଆଣିଥିଲେ । ୯ଟି ବଲ୍‌ ବାକି ଥାଇ ଭାରତ ୫ ୱିକେଟ୍‌ରେ ବିଜୟ ହାସଲ କରିଥିଲା ।  ଖୁଣ୍ଟ ଭଳି ଛିଡ଼ା ହୋଇ  ରହିଥିଲେ । ଚୌକା ପରେ ଚୌକା ବର୍ଷା କରି ଦଳର ବିଜୟ ନିଶ୍ଚିତ କରିଥିଲେ । ଅପରାଜିତ ରହି ଦଳକୁ ବିଜୟ ଭେଟି ଦେଲେ । ଐତିହାସିକ ବିଜୟ ସହ ଭାରତ ମହିଳା ଦିନିକିଆ ବିଶ୍ୱକପ୍‌ରେ ଫାଇନାଲରେ ପ୍ରବେଶ କରିଛି । ଜେମିମା ୧୩୪ଟି ବଲ ଖେଳି ୧୨୭ ରନ୍‌ ସହ ୧୪ଟି ଚୌକା ମାରିଥିଲେ । ଅଷ୍ଟ୍ରେଲିଆର ଗର୍ବକୁ ଭାଙ୍ଗି ଭାବବିହ୍ୱଳ ହୋଇଥିଲେ ଜେମିମା । ବାପା ଓ ପରିବାରଙ୍କୁ ଭେଟି ଭାବ ବିହ୍ୱଳ ହୋଇପଡିଥିଲେ । ସତରେ ଜେମିମା ଜଣେ ଜେମ୍‌ । ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଜେମିମା ନୁହେଁ ଜେମି ୱାହା ।

ମୁମ୍ଵାଇର ଇଭାନ ଏବଂ ଲବିତା ରୋଡ୍ରିଗ୍ସଙ୍କ ଝିଅ ଜେମିମା । ଦୁଇ ଭାଇ ଏନୋକ ଏବଂ ଏଲିଙ୍କ ସହ ବଡ଼ ହୋଇଛନ୍ତି ଜେମିମା । ପିତା ଇଭାନ ରୋଡ୍ରିଗ୍ସ ଜଣେ ପୂର୍ବତନ କ୍ଲବ କ୍ରିକେଟର ଏବଂ କୋଚ୍ । ପିତାଙ୍କ ଠାରୁ ଜେମିମାଙ୍କୁ ପ୍ରେରଣା ମିଳିଥିଲା । ପିଲାଟି ଦିନରୁ ସେ ପିତାଙ୍କ ଠାରୁ କ୍ରିକେଟ୍ କୋଚିଂ ନେଉଥିଲେ । ସେହିପରି ତାଙ୍କ ମା' ଜଣେ ନ୍ୟୁଟ୍ରିସନିଷ୍ଟ ଏବଂ ସ୍ପୋର୍ଟସ୍ ଲଭର୍ । ଯାହାକି ଜେମିମାଙ୍କ କ୍ରିକେଟର ହେବାର ଯାତ୍ରାକୁ ସୁଦୃଢ କରିଥିଲା ।