କଟକରୋଡ,୧୫/୯: ଚଳିତବର୍ଷ  ନୂତନ ଭାବେ ପ୍ରାୟ ୫ ଏକର ପରିମିତ  ଝାରପଡ଼ା ମେଳଣ ପଡ଼ିଆରେ ମା’ ଦୁର୍ଗାଙ୍କ  ଆବାହନ ପାଇଁ ପ୍ରସ୍ତୁତି ଚାଲିଛି । ମନ୍ତ୍ର  ଧ୍ୱନିରେ କମ୍ପି ଉଠିବ ଝାରପଡ଼ା ଗ୍ରାମ ଓ ଆଖପାଖ ଅଞ୍ଚଳ । ରବିବାର ଏନେଇ ମେଳଣ ପଡିଆରେ ଏକ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ସୂଚନା ଦେଇଛନ୍ତି ଝାରପଡ଼ା ଦୁର୍ଗାପୂଜା ସମିତି କର୍ମକର୍ତ୍ତା । ସଭାପତି ପ୍ରଭାତ କୁମାର ମାର୍ଥା, ଉପସଭାପତି ସୁନୀଲ କୁମାର ଜେନା, ସାଧାରଣ ସମ୍ପାଦକ ପ୍ରକାଶ ସାମନ୍ତରାୟ, ସଂଗଠନ ସମ୍ପାଦକ ସୁରେଶ ଚନ୍ଦ୍ର ଜେନା ଓ  ମୁଖ୍ୟ ଉପଦେଷ୍ଟା ଜଗନ୍ନାଥ ପ୍ରଧାନ ପ୍ରମୁଖ  ଉପସ୍ଥିତ ରହି ତୋରଣର ଅବିକଳ ନକ୍ସା  ପ୍ରଦର୍ଶନ କରିଥିଲେ ।

ଚଳିତଥର ଏଠାରେ ବୌଦ୍ଧଗଡ଼ ଦୁର୍ଗ ନିର୍ମାଣ ହେବ । ମୁଖ୍ୟ ଉପଦେଷ୍ଟା ଶ୍ରୀ ପ୍ରଧାନ କହିଲେ, ଝାରପଡ଼ା  ରାଜଧାନୀର ଏକ ପୁରତନ ଗ୍ରାମ ହେତୁ ଏହାର ଐତିହାସିକ ପୃଷ୍ଠଭୂମି ରହିଛି ।  ପୂର୍ବରୁ ଏହି ଅଞ୍ଚଳ ବୌଦ୍ଧଗଡ଼ ଦୁର୍ଗ ଭାବେ ନାମିତ ଥିବାବେଳେ ଅନେକ ବୀରତ୍ୱର ଗାଥା ବହନ କରିଛି । ଏହାକୁ ପୁନର୍ଜୀବିତ କରିବା ବୌଦ୍ଧଗଡ଼ ଦୁର୍ଗ ତୋରଣ  ନିର୍ମାଣର ମୂଳ ଲକ୍ଷ୍ୟ । ଏହାର  ଉଚ୍ଚତା ୯୦ ଫୁଟ ଓ ଓସାର ୧୨୦  ଫୁଟ ରଖାଯାଇଛି । କଟକର  ଚଗଲା ସାହୁ ଓ ତାଙ୍କ ୪୦  ସହଯୋଗୀ ଏହାର ନିର୍ମାଣ ଦାୟିତ୍ୱରେ ଅଛନ୍ତି । ତୋରଣ ସହିତ ଆଲୋକ ସଜ୍ଜା ଉପରେ ବିଶେଷ  ଗୁରୁତ୍ୱ ଦିଆଯିବ । ମଣ୍ଡପ ଆଖପାଖରେ  ୭ ସୁଉଚ୍ଚ ଓ ୨୦ ମଧ୍ୟମ ଧରଣର  ଏଲ୍‌ଇଡି ଗେଟ୍‌ ରହିବ । ମୃଣ୍ମୟ  ମୂର୍ତ୍ତିଙ୍କ ଉଚ୍ଚତା ୧୦ଫୁଟ  ହେବ ।

ଷଷ୍ଠୀରେ ଝାରପଡ଼ା  ଗ୍ରାମର ଆରାଧ୍ୟ ପତିତପାବନ ମନ୍ଦିରରେ ବେଲବରଣୀ ପୂଜା  ପରେ ଏକ କଳସ ଶୋଭାଯାତ୍ରା  ପୂଜା ସ୍ଥଳରେ ପହଞ୍ଚିବ ।  ସେଠାରେ ଦଶମୀ ପର୍ଯ୍ୟନ୍ତ ଦେବୀଙ୍କ  ଆବାହନ ଯଥାରୀତି ଅନୁଷ୍ଠିତ ହେବ ।  ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ସନ୍ଧ୍ୟାରେ ସାଂସ୍କୃତିକ  କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଶ୍ରଦ୍ଧାଳୁଙ୍କ  ସୁରକ୍ଷିତ ଦର୍ଶନ ପାଇଁ ୭ ପ୍ରବେଶ ପଥ  ରଖାଯିବ । କମିଶନରେଟ ପୁଲିସ ସହ  ୫୦୦ ସ୍ୱେଚ୍ଛାସେବୀ ଏବଂ ମହିଳା ଓ ପୁରୁଷ  ସୁରକ୍ଷାକର୍ମୀ ଭିଡ ନିୟନ୍ତ୍ରଣ, ଶୃଙ୍ଖଳା ରକ୍ଷା  ଓ ଟ୍ରାଫିକ ପରିଚାଳନା କରିବେ । ସିସିଟିଭି  କ୍ୟାମେରା ଲାଗିବା ସହ ଅଗ୍ନି ନିର୍ବାପକ  ବ୍ୟବସ୍ଥା ରହିବ । ଗାଡ଼ି ପାର୍କିଂ ପାଇଁ ୪ ସ୍ଥାନ  ଚିହ୍ନଟ କରାଯାଇଛି । ପାରମ୍ପରିକ ବାଦ୍ୟ  ନୃତ୍ୟରେ ଭସାଣି ଶୋଭାଯାତ୍ରା ସ୍ଥାନୀୟ  ଅଞ୍ଚଳ ପରିକ୍ରମା ପରେ ସହିଦନଗର ଭସାଣି  ଉତ୍ସବରେ ସାମିଲ ହେବ ବୋଲି ସମିତି  ପକ୍ଷରୁ କୁହାଯାଇଛି । ସାମ୍ବାଦିକ ସମ୍ମିଳନୀରେ  ଝାରପଡ଼ା ୱେଲଫେୟାର ଆସୋସିଏସନ  ସଭାପତି ଗୋରାଚାନ୍ଦ ମଙ୍ଗରାଜ, ସଂପାଦକ  ଉମାକାନ୍ତ ଜେନା, କୋଷାଧ୍ୟକ୍ଷ କଲିମଉଦ୍ଦିନ  ଖାନ ଓ ଉପଦେଷ୍ଟା ରବୀନ୍ଦ୍ର କୁମାର ଜେନା ପ୍ରମୁଖ ଉପସ୍ଥିତଥିଲେ।