ଢେଙ୍କାନାଳ/ଗଁଦିଆ/ଯୋରନ୍ଦା,୧୧/୦୨ : ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମାଗାଦିରେ ବିଶ୍ୱପ୍ରସିଦ୍ଧ ମାଘମେଳା ମଙ୍ଗଳବାରଠୁ ଆରମ୍ଭ ହୋଇଛି। ଜଗତର ମଙ୍ଗଳ ପାଇଁ ମହିମା ସନ୍ନ୍ୟାସୀମାନେ ଝାଡ଼ଦୀପ ପ୍ରଜ୍ଜ୍ୱଳନ କରିବେ। ସନ୍ଧ୍ୟା ୫ଟା ୨୦ ମିନିଟ୍ରେ ଝାଡ଼ରେ ଅଗ୍ନି ସଂଯୋଗ ହେବ । ଗାଦିମନ୍ଦିର, ଧୁନିମନ୍ଦିର, ଶୂନ୍ୟ ମନ୍ଦିର ଓ ଅନ୍ୟାନ୍ୟ ଉପାସନା ପୀଠରେ ମଧ୍ୟ ଝାଡ଼ବତୀ ପ୍ରଜ୍ଜ୍ୱଳନ ପାଇଁ ବୃହତ ଝାଡ଼, ମହଣ ମହଣ ଘିଅ ପ୍ରସ୍ତୁତି ହୋଇ ରହିଛି । ମଙ୍ଗଳବାର ଚତୁର୍ଦ୍ଦଶୀ, ବୁଧବାର ମାଘ ପୂର୍ଣ୍ଣିମା ଦୁଇ ଦିନ ଗାଦି ମନ୍ଦିର, ଅଖଣ୍ଡ ଜ୍ୟୋତି ମନ୍ଦିର ସମେତ ସମସ୍ତ ଉପାସନା ପୀଠରେ ଝାଡ଼ ଜଳିବ। ପୂର୍ଣ୍ଣମୀ ପରଦିନ ଗୁରୁବାର ସ୍ଥାନୀୟ ଅଞ୍ଚଳର ଭକ୍ତ ମାନଙ୍କ ଅନୁରୋଧରେ କେବଳ ଗାଦି ମନ୍ଦିର ପଶ୍ଚିମ ଦ୍ୱାରରେ ଝାଡ଼ ଜଳିବ ବୋଲି ସୂଚନା ଦିଆଯାଇଛି।
ବକ୍କଳଧାରୀ ଓ କୌପୀନଧାରୀ ମହିମା ସମାଜର ଜରୁରୀ ପରିଚାଳନା ବୈଠକ ବସି ନୀତି ଚୂଡ଼ାନ୍ତ କରାଯାଇଛି । ସୋମବାର ସନ୍ଧ୍ୟା ସୁଦ୍ଧା ୨୦ ହଜାରରୁ ଅଧିକ ସାଧୁ, ସନ୍ଥ, ଶ୍ରଦ୍ଧାଳୁଙ୍କ ସମାଗମ ହୋଇସାରିଲାଣି । ମେଳା ପଡ଼ିଆରେ ଅସ୍ଥାୟୀ ଦୋକାନଗୁଡ଼ିକ ପସରା ମେଲାଇଛନ୍ତି । ପ୍ରଶାସନ ଓ ପୁଲିସ୍ ପକ୍ଷରୁ ମେଳା ସୁପରିଚାଳନା ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର, ଗଁଦିଆ ବିଡିଓ ପବିତ୍ର କୁମାର ବେହେରା, ଥାନା ଅଧିକାରୀ ଶାନ୍ତନୁ କୁମାର ପ୍ରଧାନ ମେଳାର ସମ୍ପର୍କରେ ବୁଲି ଦେଖିଛନ୍ତି ।
ଏହି ଖବରଟିକୁ ପଢନ୍ତୁ-ଖଣ୍ଡଗିରି ଯାତ୍ରା ମହାକୁମ୍ଭ : ଆଜି ମଞ୍ଚ ଛାଡ଼ିବେ ୫ ଅପେରା, ଦ୍ୱିତୀୟ ପର୍ଯ୍ୟାୟ ଲଢ଼େଇରେ ସାମିଲ ହେବେ ଆଉ ୫