ବୁର୍ଲା, ୧୧।୧: ରବିବାର ବୁର୍ଲାରେ ଜେଏସ୍‌ଡବ୍ଲ୍ୟୁ ଭିଏସ୍ଏସ୍‌ୟୁଟି ମାରାଥନ୍ ୨୦୨୬ ଆୟୋଜିତ ହୋଇସାରିଛି । ଏହି ମାରାଥନ ବିଶ୍ୱର ୧୨ଟି ଦେଶରେ ସମକାଳୀନ ଭାବେ ଆୟୋଜିତ ହେବାକୁ ଥିବା ଏକ ଆନ୍ତର୍ଜାତୀୟ ପଦକ୍ଷେପର ଅଂଶ । ଏହି ଗୌରବଜନକ ଆୟୋଜନ ପାଇଁ ଭିଏସ୍ଏସ୍‌ୟୁଟିର ଆଲୁମ୍ନି ଗ୍ରୁପ୍ ଏକାଠି ହୋଇ ଭିଏସ୍ଏସ୍‌ୟୁଟିରେ ଏହି ମାରାଥନ ଆୟୋଜନ କରିଛନ୍ତି । ଏହି ମାରାଥନର ମୂଳ ଥିମ୍ ହେଉଛି ଜୀବନକୁ ‘ହଁ’, ନିଶାକୁ ‘ନା’। 

ମାରାଥନରେ ଯୋଗ ଦେଇଥିବା ପ୍ରତିଯୋଗୀ ସକାଳ ୫ଟାରେ ସିଦ୍ଧି ଗେଟ୍‌ରୁ ଆରମ୍ଭ କରି ପୁନର୍ବାର ସେହି ସ୍ଥାନରେ ପହଁଞ୍ଚିଥିଲେ । ପ୍ରାୟ ୨୪୦୦ ଜଣ ପ୍ରତିଯୋଗୀ ଭିଏସ୍ଏସ୍ୟୁଟିଠାରେ ଏବଂ ୧୨ଟି ଦେଶରୁ ପ୍ରାୟ ୧୫୦୦ରୁ ଅଧିକ ଆଲୁମ୍ନି ଭର୍ଚ୍ଚୁଆଲି ଏହି ମାରାଥନରେ ଅଂଶଗ୍ରହଣ କରିଛନ୍ତି । ୧୦୦ରୁ ଅଧିକ ଛାତ୍ରଛାତ୍ରୀ ମାନେ ଭଲ୍ୟୁଣ୍ଟର ଭାବେ ଯୋଗ ଦେଇଥିଲେ । ସମସ୍ତଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଜୁମ୍ୱାର ଆୟୋଜନ ମଧ୍ୟ ହୋଇଥିଲା ।“ଜେଏସ୍‌ଡବ୍ଲ୍ୟୁ ଭିଏସ୍ଏସ୍‌ୟୁଟି ମାରାଥନ୍ କେବଳ ଏକ ଦୌଡ଼ ନୁହେଁ, ଏହା ଭିଏସ୍ଏସ୍‌ୟୁଟିର ଛାତ୍ରଛାତ୍ରୀ ଏବଂ ପ୍ରତ୍ୟେକ ଆଲୁମ୍ନିଙ୍କ ସହ ସୁଦୃଢ଼ ସମ୍ପର୍କର ଗଢ଼ିବାର ଏକ ମାଧ୍ୟମ ହେଇପାରିଛି । ଭିଏସ୍ଏସ୍‌ୟୁଟି ଓଭରସିଜ୍ ଆଲୁମ୍ନି ଗ୍ରୁପ୍ର ସଦସ୍ୟ ନିହାର ରାଉତ୍, ପଦ୍ମଯା ଦାଶ, ରମାକାନ୍ତ ପାଣିଗ୍ରାହୀ, ଶଶୀ ପଣ୍ଡା, ଆଲୁମ୍ନି ସଭାପତି ଅଶେଷ ପାଢ଼ୀ, ବିମଲ କୃଷ୍ଣ ମିଶ୍ର ଏବଂ ଏମ୍ପି ସୁଜୀତ୍ କୁମାର ଏଥିରେ ପରୋକ୍ଷ ଭାବରେ ଜଡ଼ିତ ହୋଇ ସମସ୍ତଙ୍କୁ ପ୍ରୋତ୍ସାହିତ କରିଛନ୍ତି ।

ଭିଏସ୍ଏସ୍ୟୁଟି ସହ ଏହି ମାରାଥନରେ ଭିମସାର୍, ଜିଏମ୍ ବିଶ୍ୱବିଦ୍ୟାଳୟ, ଆଇଆଇଏମ୍ ସମ୍ୱଲପୁର, ଏମ୍ସିଏଲ୍ ଏବଂ ସ୍ଥାନୀୟ ବାସିନ୍ଦା ଯୋଗ ଦେଇଥିଲେ । ମାରାଥନରେ ୫କିମି, ୧୦ କିମି, ୨୧.୨ କିମି ଦୌଡ଼ ରହିଥିଲା । ଏହି ମାରାଥନରେ ସ୍ପ୍ରିଣ୍ଟ କୁଇନ ଦୁତି ଚାନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ତାଙ୍କ ସହ ମଞ୍ଚରେ କୁଳପତି ପ୍ରଫେସର ଦୀପକ କୁମାର ସାହୁ, ଡିନ୍ ଆଲୁମ୍ନି ରିଲେସନ ପ୍ରଫେସର ରମାକାନ୍ତ ପାଣିଗ୍ରାହୀ, ଓଭରସିଜ୍ ଆଲୁମ୍ନି ନିହାର ରାଉତ୍, ଡିନ୍ ଷ୍ଟୁଡେଣ୍ଟ ୱେଲଫେୟାର ରାକେଶ ରୋସନ ଦାଶ ଏବଂ ଉପସଭାପତି(sports) ଡ. ସତ୍ୟବ୍ରତ ଦାସ ଯୋଗ ଦେଇଥିଲେ । ଶେଷରେ ମାରାଥନର ସବୁ ବର୍ଗର ବିଜେତାମାନଙ୍କୁ ଅତିଥିଗଣ ସମ୍ବର୍ଦ୍ଧିତ କରିଥିଲେ ।