ଭୁବନେଶ୍ବର,୫।୩ : ନୂତନ ନ୍ୟାୟ ବ୍ୟବସ୍ଥା ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ପାଇଁ ମାର୍ଚ୍ଚ ୬ ରୁ ଆରମ୍ଭ ହେବ ନ୍ୟାୟ ସଂହିତା ପ୍ରଦର୍ଶନୀ। ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ଓଡିଶା ପୁଲିସ ପକ୍ଷରୁ ଏହା ଆୟୋଜନ କରାଯିବ। ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହି ପ୍ରଦର୍ଶନୀକୁ ଉଦଘାଟନ କରିବେ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଯୋଗ ଦେବେ । ଜନସାଧାରଣଙ୍କ ନିମନ୍ତେ ମାର୍ଚ୍ଚ ୭ ରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଖୋଲା ରହିବ ବୋଲି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସୂଚନା ଦେଇଛନ୍ତି।
ଡିଜିପି କହିଥିଲେ ଯେ , ଭାରତ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ Bharatiya Nyaya Sanhita (BNS), Bharatiya Nagarik Suraksha Sanhita (BNSS) ଓ Bharatiya Sakshya Adhiniyam (BSA)କୁ ସଂଶୋଧନ କରାଯାଇଛି । ପୀଡ଼ିତଙ୍କ ଅଧିକାର ଓ ସମ୍ମାନକୁ ପ୍ରାଥମିକତା ଦିଆଯାଇ ସମୟ ସୀମା ମଧ୍ୟରେ ତଦନ୍ତ ଓ ବିଚାର ପ୍ରକ୍ରିୟାକୁ ସୁନିଶ୍ଚିତ କରିବା ହେଉଛି ନୂତନ ଆଇନର ମୂଳ ଲକ୍ଷ୍ୟ । ବିଳମ୍ବିତ ନ୍ୟାୟ ମାନେ ନ୍ୟାୟର ଅସ୍ୱୀକାର” — ଏହି ସିଦ୍ଧାନ୍ତକୁ ନୂତନ ଆଇନରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ବୋଲି ଡିଜିପି କହିଥିଲେ ।
ଏହା ବ୍ୟତୀତ e-Sakshya ମାଧ୍ୟମରେ ଡିଜିଟାଲ୍ ପ୍ରମାଣ ପରିଚାଳନା, ମୋବାଇଲ୍ ଫରେନସିକ ୟୁନିଟ୍ , ପ୍ରଯୁକ୍ତି ବିଦ୍ୟା ସହାୟତାରେ ତଦନ୍ତ ପ୍ରକ୍ରିୟା ଆଦି ସଂକ୍ରାନ୍ତରେ ବିଶଦ ଭାବେ ପ୍ରଦର୍ଶନୀରେ ଉପସ୍ଥାପନ କରାଯିବ ।
ଗୃହ ମନ୍ତ୍ରଣାଳୟ ଦ୍ଵାରା ଅନୁମୋଦିତ ୧୦ଟି ଷ୍ଟଲ୍ରେ ଅପରାଧ ସ୍ଥଳ, ୧୧୨ ଜରୁରୀ କାଳୀନ ସହାୟତା, ଥାନାର କାର୍ଯ୍ୟ ପ୍ରଣାଳୀ, ହସ୍ପିଟାଲ୍ ସମନ୍ୱୟ, ଫରେନସିକ ପ୍ରୟୋଗଶାଳା, ପବ୍ଲିକ ପ୍ରସିକ୍ୟୁସନ୍, ଜିଲ୍ଲା ଅଦାଲତ, କାରାଗାର ଓ ହାଇକୋର୍ଟର କାର୍ଯ୍ୟ ଶୈଳୀ ସମ୍ପର୍କରେ ସାଧାରଣ ଲୋକମାନେ ଅବଗତ ହୋଇପାରିବେ ବୋଲି ଡିଜିପି ଆଶା ବ୍ୟକ୍ତ କରିଥିଲେ ।
ଏହା ସହ ନୂତନ ଆଇନ କାର୍ଯ୍ୟକାରୀ ପାଇଁ ସ୍ବତନ୍ତ୍ର ଯୋଜନା, ପୁଲିସ ଆଧୁନିକୀକରଣ ଓ ସଶକ୍ତିକରଣ, ମହିଳା ବିରୋଧୀ ଅପରାଧ ଉପରେ ରୋକ ଲଗାଇବା, ମାଓ ଦମନରେ Special Operations Group (SOG) ର ଭୂମିକା ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ Odisha Disaster Rapid Action Force (ODRAF) ର ଅବଦାନ ଆଦି ସମ୍ପର୍କରେ ମଧ୍ୟ ପ୍ରଦର୍ଶିତ କରାଯିବ ।
ଏହି ସାମ୍ବାଦିକ ସମ୍ମିଳନୀରେ ଡିଜିପି(କ୍ରାଇମବ୍ରାଞ୍ଚ) ବିନୟତୋଷ ମିଶ୍ର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ରେଳବାଇ ଓ ଉପକୂଳ ସୁରକ୍ଷା) ଅରୁଣ ବୋଥ୍ରା ପ୍ରମୁଖ ଉପସ୍ଥିତ ଥିଲେ ।