ସରିଆସିଲାଣି ୨୦୨୫ । କିନ୍ତୁ ସରିଲାନି ନ୍ୟାୟ ପାଇଁ ନିଜକୁ ଆହୁତି ଦେବା । ସୌମ୍ୟାଶ୍ରୀଙ୍କ ଠାରୁ ଶ୍ରୁତି... ସଭିଙ୍କ କ୍ଷେତ୍ରରେ ନିର୍ଯାତନା ଅସହ୍ୟ ହେଲା । ନ୍ୟାୟ ପାଇଁ ଧାଇଁ ନିରାଶ ହେଲେ । ଶେଷରେ ନିଜକୁ ଜାଳିଦେଲେ । ପୁଲିସର ଅପାରଗତା ପଦାରେ ପଡି଼ଲା । ପୁଲିସର ଆଉ ଏକ ମୁଣ୍ଡବିନ୍ଧାର କାରଣ ସାଜିଲା ବେଳାଭୂମି । ସ୍ୱଳ୍ପ ବ୍ୟବଧାନରେ ବେଳାଭୂମିରେ ଦୁଇଟି ଗଣଦୁଷ୍କର୍ମ ରାଜ୍ୟର ଆଇନଶୃଙ୍ଖଳା ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଥିଲା । ଅବଶ୍ୟ, ପୁଲିସ ଏ ଘଟଣାରେ ସବୁ ଅଭିଯୁକ୍ତଙ୍କୁ ବାନ୍ଧିଥିଲା ।
ନ୍ୟାୟ ଭିକ୍ଷା କରି ଜଳିଗଲେ
ଦୁଇ ସପ୍ତାହ ଧରି କଲେଜ ପ୍ରଶାସନ ବିରୋଧରେ ଲଢ଼ିଥିଲେ ବାଲେଶ୍ୱରର ସୌମ୍ୟାଶ୍ରୀ ବିଶି । ଅଭିଯୋଗ ଥିଲା, ଲୋଲୁପ ଦୃଷ୍ଟି ପକାଇଥିବା ଶିକ୍ଷକରୂପୀ ଦୋଷୀକୁ ଦଣ୍ଡ ଦେବା। ହେଲେ, ତାଙ୍କ ସ୍ୱର କେହି ଶୁଣିଲେନି । ନ୍ୟାୟ ମିଳିଲାନି । ଜୁଲାଇ ୧୨ରେ ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷଙ୍କ ଅଫିସ ସାମ୍ନାରେ ତାଙ୍କ ଆତ୍ମାହୁତିର ଦୃଶ୍ୟ ଯିଏ ଦେଖିଲା, ତା’ର ଲୋମ ଟାଙ୍କୁରି ଉଠିଲା । ନ୍ୟାୟ ପାଇଁ ସୌମ୍ୟାଶ୍ରୀ ପେଟ୍ରୋଲ ଢ଼ାଳି ନିଜକୁ ନିଆଁ ଲଗାଇ ଦେଲେ । ଶରୀର ୯୦-୯୫ ପ୍ରତିଶତ ପୋଡି଼ଗଲା । ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି ହେଲେ ସୌମ୍ୟାଶ୍ରୀ । ଶାସକଠୁ ବିରୋଧୀ । ସବୁ ଦଳର ନେତାମାନେ ଏମ୍ସ ମୁହାଁ ହୋଇଥିଲେ । ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ଅନ୍ୟ ନେତାମନ୍ତ୍ରୀ ବି ତାଙ୍କୁ ଭେଟିଲେ । ୨ ଦିନ ପରେ ଆଖି ବୁଜିଲେ । ନ୍ୟାୟ ପାଇଁ ଲଢି ସୌମ୍ୟାଶ୍ରୀଙ୍କ ସ୍ୱର ସିନା ନିରବୀ ଗଲା । ହେଲେ, ଭୁବନେଶ୍ୱରରୁ ଭୋଗରାଇ ଯାଏଁ ଜଳିଥିଲା ପ୍ରତିବାଦର ନିଆଁ । ବାଲେଶ୍ୱରରୁ ବିଧାନସଭା ଯାଏଁ ତୁମ୍ବିତୋଫାନ ଚାଲିଲା । ଗୃହ ଭିତରେ ଓ ବାହାରେ ବିରୋଧୀଙ୍କ ମୁଖ୍ୟ ପ୍ରସଙ୍ଗ ସାଜିଲା ଏହି ଆତ୍ମଦାହ । ଜାତୀୟ ମହିଳା ଆୟୋଗ ଘଟଣାକୁ ତୀବ୍ର ନିନ୍ଦା କରି ପୁଲିସ ଡିଜିଙ୍କୁ କାର୍ଯ୍ୟାନୁଷ୍ଠାନର ଜବାବ୍ ମାଗିଲେ । ମୁଖ୍ୟ ଅଭିଯୁକ୍ତ ତଥା ଇଣ୍ଟିଗ୍ରେଟେଡ୍ ବିଏଡ୍ ବିଭାଗ ଏଚ୍ଓଡି ସମୀର ସାହୁଙ୍କୁ ପ୍ରଥମେ ପୁଲିସ ବାନ୍ଧିଲା । ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ କମିଟିର ଅନ୍ତରୀଣ ରିପୋର୍ଟ ଆଧାରରେ ପ୍ରିନ୍ସପାଲ ଦିଲ୍ଲୀପ ଘୋଷ ଗିରଫ ହେଲେ।
ଜାଳିଦେଲେ ନା ଜଳିଗଲେ!
ଜୁଲାଇ ମାସରେ ପୁରୀ ଜିଲ୍ଲା ବଳଙ୍ଗାରୁ ଆଉ ଏକ କରୁଣ ଦୃଶ୍ୟ ସାରା ରାଜ୍ୟକୁ ଦୋହଲାଇ ଦେଇଥିଲା । ଜଣେ ୧୫ ବର୍ଷର ନାବାଳିକାକୁ ୩ ଜଣ ଦୁର୍ବୃତ୍ତ ଜାଳିଦେଇଥିବା ଅଭିଯୋଗ ହୋଇଥିଲା । ନାବାଳିକା ଜଣକ ସକାଳୁ ଜଣେ ସମ୍ପର୍କୀୟଙ୍କ ଘରକୁ ବଳଙ୍ଗା-ହରିପୁର କେନାଲ ବନ୍ଧ ରାସ୍ତାରେ ଚାଲିକି ଯିବା ବେଳେ ଏହି ବୀଭତ୍ସ୍ୟକାଣ୍ଡ ଘଟିଥିଲା ବୋଲି ଜଣାପଡ଼ିଥିଲା । ଭୁବନେଶ୍ୱର ଏମ୍ସରୁ ଏୟାର ଆମ୍ବୁଲାନ୍ସ ଯୋଗେ ପୀଡି଼ତାଙ୍କୁ ଦିଲ୍ଲୀ ଏମ୍ସ କୁ ନିଆଗଲା । ୨ ସପ୍ତାହ ଧରି ହସ୍ପିଟାଲ ବେଡ୍ ବଞ୍ଚିବାକୁ ସଂଘର୍ଷ କଲେ ପୀଡି଼ତା। ଅଗଷ୍ଟ ୩ରେ ଆଖି ବୁଜିଲେ । ସେପଟେ ୩ ଦୁର୍ବୃତ୍ତଙ୍କ ଥଳକୂଳ ପାଇଲାନି ପୁଲିସ । ଏମ୍ସରେ ପୀଡ଼ିତାଙ୍କ ବୟାନ ଆଧାରରେ ତଦନ୍ତର ଦିଗ ବଦଳିଲା । କ୍ରାଇମ୍ବ୍ରାଞ୍ଚ ତଦନ୍ତ ସତ୍ତେ୍ୱ ଅନେକ ଦିଗ ଅସମାହିତ ହୋଇ ରହିଗଲା ।
ଅସହ୍ୟ ହେଲା ପ୍ରେମିକର ବ୍ଲାକମେଲିଂ
ପ୍ରେମ କଲା । ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଲା । ଆଉ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ ପାଇଁ ଧମକ ଦେଲା ପ୍ରେମିକ । ନିଜ ଇଜ୍ଜତ ବଞ୍ଚାଇବା ପାଇଁ ପ୍ରେମିକା ଜଣକ କେନ୍ଦ୍ରାପଡ଼ା ଥାନାର ଦ୍ୱାରସ୍ଥ ହେଲେ । ପୁଲିସ ମାମଲା ରୁଜୁ କଲାନି କି କାର୍ଯ୍ୟାନୁଷ୍ଠାନ ନେଲାନି । ଓଲଟି ପ୍ରେମିକ ସହ ସବୁ ସମ୍ପର୍କ କାଟି ଦୂରେଇ ରହିବାକୁ ପରାମର୍ଶ ଦେଲା । ବିଚାରି ପ୍ରେମିକାକୁ ଏହା ଅସହ୍ୟ ହେଲା । ଶେଷରେ ଜୀବନ ହାରିବାକୁ ନିଷ୍ପତ୍ତି ନେଲେ ପ୍ରେମିକା ଜଣକ । ଅଗଷ୍ଟ ୫ ତାରିଖରେ ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଲେ ।
ପ୍ରତାରଣାରୁ ଜୀବନ ହାରିଲେ ନର୍ସିଂ ଛାତ୍ରୀ
ଜୁଲାଇ ୧୭ରେ ନବରଙ୍ଗପୁରର ଜଣେ ନର୍ସିଂ ଛାତ୍ରୀ ମଧ୍ୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ଏମ୍ସ ରେ ଭର୍ତ୍ତି କରାଯାଇଥିଲା । ଅଗଷ୍ଟ ୮ରେ ସେ ଆଖି ବୁଜିଥିଲେ । ପ୍ରେମରେ ପ୍ରତାରଣା ଓ ଫଟୋଚିତ୍ର ଲିକ୍ ଅଭିଯୋଗରେ ପୁଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କଲା ।
ପ୍ରେମରେ ପ୍ରତାରଣାରୁ ଆତ୍ମଦାହ
ବର୍ଷ ସରିବା ବେଳକୁ ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣାରେ ଘଟିଲା ଆଉ ଏକ ଲୋମହର୍ଷଣକାରୀ ଘଟଣା । ସରବତୀ ଦେବୀ କଲେଜରେ ଯୁକ୍ତ ୩ ପଢ଼ୁଥିବା ଶ୍ରୁତି ଟପ୍ପୋ ଡିସେମ୍ବର ୫ ରାତିରେ ଦେହରେ ନିଆଁ ଲଗାଇ ଦେଇଥିଲେ । ଇସ୍ପାତ ଜେନେରାଲ ହସ୍ପିଟାଲରେ ୩ ଦିନ ଧରି ମୃତ୍ୟୁ ସହ ସଂଘର୍ଷ କରିବା ପରେ ଶ୍ରୁତି ଆଖି ବୁଜିଲେ । ପୁଲିସ ତଦନ୍ତରୁ ଜଣାପଡ଼ିଲା, ପୁରୁଷବନ୍ଧୁ ତାଙ୍କୁ ସବୁବେଳେ ମାନସିକ ନିର୍ଯାତନା ଦେଇ ଆସୁଥିଲେ ।
ପେଟ୍ରୋଲ ଫତୁଆ
ଛାତ୍ରୀ ଓ ଯୁବତୀ ପେଟ୍ରୋଲ ଢ଼ାଳି ନିଆଁ ଲଗାଇବା ଯୋଗୁ ସରକାରଙ୍କ ଚିନ୍ତାରେ ପଡିଲେ । ତୁରନ୍ତ ଫତୁଆ ଜାରି କଲେ, କୌଣସି ପେଟ୍ରୋଲ ପମ୍ପରେ କାହାରିକୁ ପ୍ଲାଷ୍ଟିକ୍ ବୋତଲରେ ତେଲ ଦିଆଯିବନି । ପେଟ୍ରୋଲ ନେବାକୁ ହେଲେ, ଗାଡ଼ି ଆଣିବା ବାଧ୍ୟତାମୂଳକ । ସରକାରଙ୍କ ଏହି ଫତୁଆ ପରେ ସବୁ ପେଟ୍ରୋଲ ପମ୍ପରେ କଡ଼ାକଡ଼ି ଯାଞ୍ଚ କରାଗଲା । ସ୍ଥିତି ଏମିତି ହେଲା ଯେ ଅଧା ରାସ୍ତାରେ ପେଟ୍ରୋଲ ସରୁଥିବା ଗାଡିକୁ ପମ୍ପ ଯାଏଁ ବୋହିକି ଆଣିବାକୁ ପଡିଲା।
ଦୁଷ୍କର୍ମର ପ୍ରତିଶୋଧ ହତ୍ୟା
ମାର୍ଚ୍ଚ ପହିଲାରେ ସୁନ୍ଦରଗଡ଼ ଜିଲ୍ଳା କୁଆଁରମୁଣ୍ଡାରର ଏକ ପ୍ରତିଶୋଧର ଘଟଣା ସାରା ରାଜ୍ୟରେ ଚହଳ ପକାଇଥିଲା । ୨୦୨୩ ମସିହାର ଏକ ଦୁଷ୍କର୍ମ ମାମଲା ପାଇଁ ତେଲିପୋଷ ଗାଁର ରାଜ କୁମାର ଯାଦବ ଓରଫ ଅନୁରାଜ କୁମାରକୁ ଗିରଫ କଲା ପୁଲିସ । ଜେଲ ବି ଗଲେ । ତଥାପି ନ୍ୟାୟିକ ବ୍ୟବସ୍ଥା ଉପରେ ଭରସା ଆସିଲାନି । ସ୍ୱାମୀଙ୍କ ସହ ମିଶି ଦୁଷ୍କର୍ମର ପ୍ରତିଶୋଧ ନେବାକୁ ପ୍ଲାନ କଲେ ପୀଡିତା । ଜାମିନରେ ଜେଲରୁ ମୁକୁଳି ମାମଲାକୁ ରଫାଦଫା କରିବାକୁ ଦମ୍ପତିଙ୍କ ଉପରେ ଚାପ ପକାଇଲା ରାଜ କୁମାର । ଯାହାକି, ଦମ୍ପତିଙ୍କ ପାଇ ଅସହ୍ୟ ହେଲା । ଉଭୟେ ରାଜ କୁମାରକୁ ଲକ୍ଷ୍ୟ କରି ୫ଟି ତୀର ମାରିଥିଲେ । ସେଥିରୁ ୨ଟି ତୀର ଛାତିରେ ଭେଦିବାରୁ ସେ ଘଟଣାସ୍ଥଳରେ ହିଁ ଟଳିପଡି଼ଲେ । ପରେ ଉଭୟେ ମୃତଦେହକୁ ଏକ ପୋଖରୀରେ ଫିଙ୍ଗି ଥାନାରେ ଆତ୍ମସର୍ମପଣ କଲେ । ଆଉ ପ୍ରତିଶୋଧର ପୁରା କାହାଣୀ ପୁଲିସ୍କୁ ଶୁଣାଇଥିଲେ ।
ନବବିବାହିତାଙ୍କୁ ହାଇଦ୍ରାବାଦରେ ଗଣଦୁଷ୍କର୍ମ
କିଛି ଏଡିଟ୍ କରାଯାଇଥିବା ଅଶ୍ଲୀଳ ଫଟୋକୁ ଭାଇରାଲ କରିବା ଧମକରେ ଡାକିଲେ । ନିଶାଯୁକ୍ତ ଖାଦ୍ୟ ଖାଇବାକୁ ଦେଇ ଅପହରଣ କରି ସିଧା ହାଇଦ୍ରାବାଦ ନେଇଗଲେ । ଏକ ଘରେ ନଜରବନ୍ଦୀ କରି ଗଣଦୁଷ୍କର୍ମ କଲେ । ବିରୋଧ କଲେ, ପୀଡ଼ିତାଙ୍କୁ ଗରମ ଖଡ଼ିକାରେ ଚେଙ୍କ ଦେଉଥିଲେ । କେନ୍ଦ୍ରାପଡ଼ାର ନିକିରାଇ ଥାନା ଅଧୀନ ବେଣୀପୁରରୁ ଜଣେ ନବବିବାହିତାଙ୍କ ଏଭଳି ସ୍ପର୍ଶକାତର ଘଟଣା ସାରା ରାଜ୍ୟରେ ଚହଳ ପକାଇଥିଲା ।
ଏମ୍ସରେ ରାଜନେତାଙ୍କ ହୋହଲ୍ଲା
ଯିଏ ବି ଆତ୍ମଦାହ ଉଦ୍ୟମ କଲା କିମ୍ବା ଦୁବୃର୍ତ୍ତମାନେ କାହାକୁ ନିଆଁ ଲଗାଇଦେଲେ । ଅର୍ଦ୍ଧଦଗ୍ଧ ଅବସ୍ଥାରେ ସଭିଏଁ ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି ହେଲେ । ପୀଡି଼ତାମାନେ ଯେତିକି ଦିନ ଏମ୍ସରେ ରହିଲେ, ଶାସକ, ବିରୋଧୀ ଦଳ ନେତା ଓ ସମାଜସେବୀଙ୍କ ଧାଁ ଦୌଡ଼ ଚାଲିଲା । ବିରୋଧୀ ଦଳର ନେତା ଓ କର୍ମୀ ଏମ୍ସରୁ ରଣହୁଙ୍କାର ଦେଇଥିଲେ । ସୌମ୍ୟାଶ୍ରୀ ଓ ବଳଙ୍ଗା ପୀଡି଼ତାଙ୍କ ବେଳେ ଏମ୍ସ ପରିସର ରଣକ୍ଷେତ୍ର ପାଲଟିଥିଲା ।
ଆତ୍ମାହୁତି ନିଆଁରେ ଓଡ଼ିଶା ଜଳିଲା
ସୌମ୍ୟାଶ୍ରୀଙ୍କ ଆତ୍ମଦାହ, ବଳଙ୍ଗାରେ ନାବାଳିକାଙ୍କୁ ଜାଳିଦେବା ଘଟଣାରେ ପୀଡ଼ିତା ନ୍ୟାୟ ଦେବାରେ ବିଫଳ ହେଲା ପୁଲିସ । ଗୋପାଳପୁର ଓ ବାଲିହରଚଣ୍ଡୀ ବେଳାଭୂମିରେ ଗଣବଳାତ୍କାର ଘଟଣାରେ ପୁଲିସର ଅପାରଗତା ପଦାରେ ପଡ଼ିଲା । କେବଳ ବିରୋଧୀ ଦଳ ନୁହେଁ ମହିଳାଙ୍କ ସୁରକ୍ଷା ଦାବିରେ ରାସ୍ତାକୁ ଓହ୍ଲାଇଲେ ସଭିଏଁ । ନ୍ୟାୟ ପାଇଁ ନିଆଁ ପ୍ରସଙ୍ଗ ଓଡ଼ିଶାକୁ ବ୍ୟାପିଲା । ଚକ ଅଖ ବନ୍ଦ କରି ପୀଡ଼ିତାମାନଙ୍କ ପାଇଁ ନ୍ୟାୟ ମାଗିଲେ । ବିଜେଡି ଓ କଂଗ୍ରେସ ନେତା କେବଳ ବିଧାନସଭାରେ ହୁଲୁସ୍ତୁଲ କଲେନି । ଘନଘନ ବିକ୍ଷୋଭ କରି ଗାନ୍ଧିମାର୍ଗରେ ଗର୍ଜିଲେ । ପୁଲିସର ଟିଅର ଗ୍ୟାସ ଓ ପାଣି ମାଡ଼ ବିରୋଧୀଙ୍କ ସ୍ୱରକୁ ଚପାଇ ପାରିଲାନି ।
ବେଳାଭୂମିରେ ଲଜ୍ଜା
ଚଳିତବର୍ଷ ଗୋପାଳପୁର ଓ ପୁରୀ ବେଳାଭୂମି ବେଶ୍ ବଦନାମ ମୁଣ୍ଡାଇଥିଲା । ଦୁଇ ବେଳାଭୂମିରେ ସନ୍ଧ୍ୟାରେ ୨ଟି ଗଣଦୁଷ୍କର୍ମ ଘଟଣା ବେଳାଭୂମିକୁ ଅସୁରକ୍ଷିତ କରି ପକାଇଲା। ପର୍ଯ୍ୟଟକମାନେ ଡରିଲେ । ସତେ ଯେମିତି ସମୁଦ୍ରକୂଳ ଅପରାଧୀଙ୍କ ବିଚରଣ ସ୍ଥଳ ପାଲଟିଥିଲା । ସେପ୍ଟେମ୍ବର ୧୫ ତାରିଖ ରାତିରେ ପୁରୁଷବନ୍ଧୁଙ୍କ ସହ ଗୋପାଳପୁର ବେଳାଭୂମିରେ ବୁଲୁଥିବା କଲେଜ ଛାତ୍ରୀଙ୍କୁ ୧୦ଜଣ ଯୌନ ପିପାସୁ ଘେରିଗଲେ । ଛାତ୍ରୀଙ୍କୁ ଦୁଷ୍କର୍ମ କଲେ । ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ରାଜ୍ୟ ଦୋହଲିଥିଲା । ପୁଲିସ ଗୋଟି ଗୋଟି କରି ସମସ୍ତ ଅଭିଯୁକ୍ତଙ୍କୁ ବାନ୍ଧିଲା । ସେଥିରୁ ୪ଜଣ ନାବାଳକ । ଏହି ଘଟଣାର ୨ଦିନ ପୂର୍ବରୁ ପୁରୀ ବାଲିହରଚଣ୍ଡୀ ପୀଠରୁ ଆଉ ଏକ ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଲା । ପ୍ରେମିକ ସହ ୧୯ ବର୍ଷର ଯୁବତୀ ମା’ଙ୍କ ପୀଠ ନିକଟ ବେଳାଭୂମିରେ ବୁଲୁଥିବା ବେଳେ ୨ଜଣ ଯୌନ ରାକ୍ଷାସଙ୍କ କବଳରେ ପଡି଼ଲେ । ଦିନ ଦ୍ୱିପହରରେ ପ୍ରେମିକକୁ ଗଛରେ ବାନ୍ଧି ଯୁବତୀଙ୍କୁ ଦୁଷ୍କର୍ମ କଲେ । ପୁଲିସର ଏହି ଢିଲା ଆଇନ୍ ଶୃଙ୍ଖଳା ପାଇଁ ସରକାରଙ୍କୁ ଘେରିଥିଲେ ବିରୋଧୀ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦ୍ବେଗ ଦେଖାଇ ବେଳାଭୂମିରେ କଡ଼ା ପାଟ୍ରୋଲିଂ ପାଇଁ ଫତୁଆ ଲଗାଇଲେ । ଗୋପାଳପୁର ବେଳାଭୂମିଟି ଆହୁରି ବଦନାମ ହୋଇଥିଲା, ଯେତେବେଳେ ଆମେରିକା ରାଷ୍ଟ୍ରପତି ଭାରତରେ ମହିଳା ଅସୁରକ୍ଷିତ ବୋଲି ‘ଏକ୍ସ’ରେ ଟ୍ୱିଟ୍ କରି ଦର୍ଶାଇଥିଲେ ।
୩ ହକି କୋଚ୍ଙ୍କୁ କୁକର୍ମ
ହକି ଶିଖାଇବା ଆଳରେ ୬ ମାସ ଧରି ଲୋଲୁପ ଦୃଷ୍ଟି ପକାଇଥିଲେ କୋଚ୍ । ତାଲିମ ବେଳେ ନାନା ନିର୍ଯାତନା ଦେଉଥିଲେ । ଉପହାର ବାହାନାରେ ଜୁଲାଇ ୩ରେ ଯାଜପୁରର ଏକ ଲଜକୁ ଡାକିନେଇ ଗଣଦୁଷ୍କର୍ମ କଲେ । ନାବାଳିକା ହକି ଖେଳାଳି ଜଣକ ଯାଜପୁର ହକି ପ୍ରଶିକ୍ଷଣ କେନ୍ଦ୍ରର ୩ଜଣ କୋଚ ନାଁରେ ଏଭଳି ସାଂଘାତିକ ଅଭିଯୋଗ ଆଣିଲେ। କ୍ରୀଡ଼ା ବିଭାଗ କିଛି କାର୍ଯ୍ୟାନୁଷ୍ଠାନ ନେଲାନି । ଅଭିଯୋଗ କ୍ରମେ ଯାଜପୁର ଟାଉନ୍ ଥାନା ପୁଲିସ ୩ଜଣ ହକି କୋଚ୍ଙ୍କୁ ଗିରଫ କରିଥିଲା ।
ଗଣଦୁଷ୍କର୍ମ ପରେ ଦୁଷ୍କର୍ମ
ଜୁଲାଇ ୨୦ ରାତିରେ ସାଙ୍ଗର ଜନ୍ମଦିନ ପାଳି ଘରକୁ ଫେରୁଥିବା ଜଣେ ନାବାଳିକା ମାଲକାନଗିରି ସହର ନିକଟ ଜଙ୍ଗଲରେ ଗଣଦୁଷ୍କର୍ମ ଶିକାର ହେଲେ । ୩ଜଣ ବଳାତ୍କାରୀଙ୍କ କବଳରୁ ଖସି ସେ ଏକ ଟ୍ରକକୁ ଲିଫ୍ଟ ମାଗିଲେ । ଡ୍ରାଇଭର ଜଣକ ନାବାଳିକାକୁ ବଞ୍ଚାଇବା ବଦଳରେ ଦୁଷ୍କର୍ମ କଲା । ପୁଲିସ ଟ୍ରକ ଡ୍ରାଇଭର ସମେତ ୪ଜଣଙ୍କୁ ଗିରଫ କରିଥିଲା।
ଧରାହେଲା ସେକ୍ସ ରାକେଟ୍
ଝାରଖଣ୍ଡର ଜଣେ ୧୭ ବର୍ଷର ନାବାଳିକା କିଛି ଦୁର୍ବୃତ୍ତଙ୍କ ଗଣଦୁଷ୍କର୍ମ ଶିକାର ହୋଇ ଗୁରୁତର ହୋଇପଡ଼ିଲେ । ଆଉ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଜଣେ ମହିଳା ନେଇ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରି ଛାଡ଼ି ଚାଲିଯାଇଥିଲେ । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି କ୍ୟାପିଟାଲ ଥାନା ପୁଲିସ ଘଯଣାର ତଦନ୍ତ କରି ଏକ ବଡ଼ ସେକ୍ସ ରାକେଟ୍ର ପର୍ଦ୍ଦାଫାଶ କରିଥିଲା । ପୁଲିସ ଲକ୍ଷ୍ମୀସାଗରର ଏକ ରଙ୍ଗଶାଳାରୁ ୩ ରୂପଜୀବୀଙ୍କୁ ଉଦ୍ଧାର କଲା । ରାଣୀ ମହୁମାଛି ଓ ଘର ମାଲିକଙ୍କ ସହ ୪ଜଣ ଗିରଫ ହେଲେ ।
ବର୍ଷକରେ ୯୧୮୧ ଅସଦାଚରଣ
ବିଧାନସଭାର ତଥ୍ୟ ଅନୁସାରେ, ଗତବର୍ଷ ଜୁନରୁ ଗତ ଜୁଲାଇ ଶେଷ ସୁଦ୍ଧା ମୋଟ ୨୯୩୩ଜଣ ମହିଳା ଦୁଷ୍କର୍ମ ଶିକାର ହୋଇଛନ୍ତି । ୧୭୪ଜଣଙ୍କ ଉପରେ ଦୁଷ୍କର୍ମ ଉଦ୍ୟମ ହୋଇଥିଲା । ୯୧୮୧ଜଣ ମହିଳା ଅସଦାଚରଣର ଶିକାର ହୋଇଥିଲେ । ୧୨୭୮ଜଣଙ୍କୁ ଯୌନ ନିର୍ଯାତନା ଦିଆଯାଇଥିଲା । ୨୦୨୦ରେ ୨୯୮୪ଟି, ୨୦୨୧ରେ ୩୩୨୭ଟି, ୨୦୨୨ରେ ୩୧୮୪ଟି, ୨୦୨୩ରେ ୨୮୨୬ଟି, ୨୦୨୪ରେ ୩୦୫୪ଟି ଦୁଷ୍କର୍ମର ଶିକାର ହୋଇଥିଲେ ।
୧୧ ମାସରେ ଜଳିଗଲେ ୫୩ ଜଣ ମହିଳା
କେଉଁଠି ଯୌତୁକ ନିଆଁରେ ନବବିବାହିତ ବଧୂ ଜଳିଗଲା । କିଏ ନ୍ୟାୟ ପାଇଁ ନିଜକୁ ଜାଳିଦେଲା । ଆକସ୍ମିକ ଭାବେ ନିଆଁର ଆଁରେ ଆଉ କିଛିଙ୍କ ଜୀବନ ଚାଲିଗଲା । ଏମିତି ଭାବେ ୧୧ ମାସରେ ଓଡ଼ିଶାରେ ୫୩ ଜଣ ମହିଳଙ୍କ ଜୀବନ ଯାଇଛି । ବିଭିନ୍ନ ଥାନାରେ ୧୧ଟି ଯୌତୁକ ଜନିତ ମାମଲା ରୁଜୁ ହୋଇଛି । ରୋଷେଇ ବେଳେ ଓ ଅନ୍ୟ କାରଣରୁ ଅଗ୍ନିକାଣ୍ଡରେ ୨୭ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିଲା ।
କିଛି ଚର୍ଚ୍ଚିତ ଅପରାଧ
- ମାର୍ଚ୍ଚ ୧୯: ବରଗଡ଼ ଟାଉନ୍ରୁ ନାବାଳିକାଙ୍କୁ ଅପହରଣ କରିନେଲେ ପୁରୁଷବନ୍ଧୁ । ୩ଦିନ ପରେ ହୀରାକୁଦ ଜଳଭଣ୍ଡାରରୁ ଗଳିତ ମୃତଦେହ ମିଳିଥିଲା । ଗଣବଳାତ୍କାର ଓ ହତ୍ୟା ଅଭିଯୋଗରେ ସମ୍ବଲପୁର ଥାନା ପୁଲିସ ପୁରୁଷବନ୍ଧୁ ଓ ସହଯୋଗୀକୁ ଗିରଫ କରିଥିଲା ।
- ଜୁନ୍ ୨୪: ମନ୍ଦିରରୁ ଫେରିବା ରାସ୍ତାରେ ଲିଫ୍ଟ ଦେବା ଆଳରେ ମୟୁରଭଞ୍ଜ କରଞ୍ଜିଆର କୁଇତା ଢ଼ାବା ନିକଟରେ ଜଣେ ୩୫ ବର୍ଷର ମହିଳା ଗଣଦୁଷ୍କର୍ମର ଶିକାର ହୋଇଥିଲେ ।
- ଜୁଲାଇ ୩: ଜଣେ ମହିଳା ଅନୁଗୁଳ ଛେଣ୍ଡିପଦାରୁ ଭଣଜା ସହ ବାଇକ୍ରେ ଯିବା ବେଳେ ଚାରବାଟି ନିକଟରେ ୩ଜଣ ଶ୍ରମିକ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ । ପୁଲିସ ୩ଜଣଙ୍କୁ ଗିରଫ କରିଥିଲା ।
- ଜୁଲାଇ ୨୧: ଜନ୍ମଦିନରେ ଯୋଗ ଦେବାକୁ ଯାଉଥିବା ୧୮ ବର୍ଷ ଯୁବତୀ ଜଗତସିଂହପୁରରେ ଗଣଦୁଷ୍କର୍ମ ଶିକାର ହେଲେ । ଜଗତସିଂହପୁର ସଦର ଥାନା ପୁଲିସ ୨ଜଣଙ୍କୁ ବାନ୍ଧିଥିଲା । ଅଭିଯୁକ୍ତଦ୍ୱୟଙ୍କୁ ସହଯୋଗ କରିଥିବା ଅନ୍ୟଜଣେ ଯୁବତୀଙ୍କୁ ପୁଲିସ ଗିରଫ କରିଥିଲା ।
- ଅଗଷ୍ଟ ୯: କେନ୍ଦ୍ରାପଡ଼ା ରାଜନଗରରେ ରାକ୍ଷୀ ପୂର୍ଣ୍ଣିମାରେ ଖୁଦୁରୁକୁଣୀ ଓଷା ପାଇଁ ମୂର୍ତ୍ତି କିଣିବାକୁ ଯିବା ବେଳେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ପିଶାଚ ପିଉସା ବଳାତ୍କାର କଲା । ୪ ମଦ୍ୟପ ଏହାର ଭିଡିଓ ସୁଟିଂ କରି ବ୍ଲାକମେଲ କରି ଛାତ୍ରୀଙ୍କୁ ଗଣଦୁଷ୍କର୍ମ କଲେ ।
- ସେପ୍ଟେମ୍ବର ୧୦: ଜଣେ ଉଦୀୟମାନ କଣ୍ଠଶିଳ୍ପୀଙ୍କୁ ସଙ୍ଗୀତ ନିର୍ଦ୍ଦେଶକଙ୍କୁ ଭେଟାଇବା ଆଳରେ ରାଜଧାନୀର ଏକ ଲଜକୁ ଡାକି କୋଲ୍ଡଡ୍ରିଙ୍କ୍ସରେ ନିଶା ମିଶାଇ ତାଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ କମିଶନରେଟ୍ ପୁଲିସ ୨ଜଣଙ୍କୁ ଗିରଫ କରିଥିଲା ।
- ଅକ୍ଟୋବର ୨୨: ମୟୁରଭଞ୍ଜ ରାସଗୋବିନ୍ଦପୁର ନଳଗଜା ଗାଁର ଯାତ୍ରା ଦେଖି ଫେରିବା ବେଳେ ୨ଜଣ ଆଦିବାସୀ ନାବାଳିକାଙ୍କୁ ୮ ଯୁବକ ବାଇକ୍ରେ ଟେକିନେଲେ । ଟିକପଡ଼ା କେନାଲ ବନ୍ଧରେ ଗଣବଳାତ୍କାର ପରେ ନଳଗଜା କଲେଜ ପଡ଼ିଆରେ ଫିଙ୍ଗିକି ପଳାଇଲେ । ଅକ୍ଟୋବର ୨୮ରେ ବଲାଙ୍ଗୀର ଦେଓଗାଁର ଗୋଏଲପିଟା-ଡୁମେରଯୋର ରାସ୍ତାକଡ଼ ଜମିରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ଶବ ମିଳିଥିଲା । ଦୁର୍ବୃତ୍ତମାନେ ତାଙ୍କୁ ଦୁଷ୍କର୍ମ କରି ଜାଳିଦେଇଥିବା ପୁଲିସ ତଦନ୍ତରୁ ଜଣାପଡ଼ିଥିଲା ।
- ନଭେମ୍ବର ୧୮: ଖୋର୍ଦ୍ଧା ବାଘମାରୀରେ କଲେଜରୁ ଫେରିବା ବେଳେ ଜଣେ ନାବାଳିକାକୁ କାରରେ ଅପହରଣ କରି ଗଣଦୁଷ୍କର୍ମ କଲେ । ୨ଦିନ ପରେ ଦୁଷ୍କର୍ମମାନେ ଖୋର୍ଦ୍ଧା ମେଡିକାଲରେ ପୀଡ଼ିତାକୁ ଛାଡି଼କି ପଳାଇଥିଲେ । ପୁଲିସ ଏଯାବତ୍ କାହାରିକୁ ଗିରଫ କରିପାରିନି ।