ଆଠଗଡ଼,୨୪/୦୫: ଆଠଗଡ଼ କୁଲାଇଲୋ ଅସ୍ଥି ଚିକିତ୍ସା କେନ୍ଦ୍ରର ମୁଖ୍ୟ ପ୍ରତାପରୁଦ୍ର ବେଉରାୟ (ଦେବ ବାବୁ)ଙ୍କ ୮୫ ବର୍ଷ ବୟସରେ ପରଲୋକ ହୋଇଛି। ଦୀର୍ଘ ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ହେତୁ ଶଯ୍ୟାସାୟୀ ଥିଲେ। ଦୀର୍ଘ ତିନି ପୁରୁଷ ଧରି ସେ ଆୟୁର୍ବେଦିକ ଅସ୍ଥି ଚିକିତ୍ସା କରି ସାରା ଓଡ଼ିଶା ସହିତ ଭାରତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ପ୍ରଥମେ ଶିକ୍ଷକତା ଏବଂ ପରେ ବନ ବିଭାଗରେ କର୍ମମୟ ଜୀବନ ଆରମ୍ଭ କରି ଅବସର ପରେ ପୂର୍ଣ୍ଣକାଳୀନ ଅସ୍ଥି ଚିକିତ୍ସାରେ ନିଜକୁ ନିୟୋଜିତ କରିଥିଲେ। କୁଲାଇଲୋ ଠାରେ ନିଜସ୍ୱ ଉଦ୍ୟମରେ ନିଜ ପିତା ଅନନ୍ତ ବେଉରାଙ୍କ ନାମରେ ଏକ ଆୟୁର୍ବେଦିକ ଅସ୍ଥି ଚିକିତ୍ସା କେନ୍ଦ୍ର ଖୋଲି ନିଶୁଳ୍କ ସେବା ପ୍ରଦାନ କରି ଆସୁଥିଲେ। ଆଜି ସନ୍ଧ୍ୟାରେ ସେ ଅତ୍ୟଧିକ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାକୁ ନେଇ ଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ସୂତ୍ରରୁ ଜଣାପଡିଛି। ତାଙ୍କର ବିୟୋଗରେ ଅସ୍ଥି ଚିକିତ୍ସା କ୍ଷେତ୍ରରେ ଏକ ଯୁଗର ଅବସାନ ହୋଇଥିବା ବେଳେ ସମଗ୍ର ଆଠଗଡ଼ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।