ନୂଆଦିଲ୍ଲୀ,୧୮/୧୧: ଯାହା ଅନୁମାନ କରାଯାଉଥିଲା ତାହା ହେଲା । ଗତକାଲି ଆପ୍ ଛାଡିଥିଲେ । ଆଜି ବିଜେପିରେ ମିଶିଲେ । ୨୪ ଘଣ୍ଟା ନପୁରୁଣୁ ପଦ୍ମ ଶିବିରରେ ଯୋଗ ଦେଇଛନ୍ତି ଦିଲ୍ଲୀ ପୂର୍ବତନ ମନ୍ତ୍ରୀ କୈଳାସ ଗେହଲଟ । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଖଟର ଓ ଅନ୍ୟ ବିଜେପି ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି କୈଳାଶ ।

ବିଜେପିରେ ଯୋଗ ଦେବା ପରେ ପ୍ରତିକ୍ରିୟା ଦେଇ କୈଳାଶ ଗେହଲଟ କହିଛନ୍ତି, ଆମ ଆଦମୀ ପାର୍ଟି ଛାଡିବା ସହଜ ପଦକ୍ଷେପ ନଥିଲା । ଗୋଟିଏ ରାତିରେ ନିଷ୍ପତ୍ତି ନେଇନାହିଁ । ଇଡି ଓ ସିବିଆଇ ଚାପରେ ଦଳ ଛାଡିନାହିଁ । ଯେଉଁମାନେ ଏହାକୁ କାହାଣୀ କରୁଛନ୍ତି ସେ ସବୁ ଭୁଲ । ମୁଁ କେବେ କାହା ଚାପରେ ଆସି କାମ କରିନାହିଁ । ୨୦୧୫ରୁ ମୋ ରାଜନୈତିକ ଜୀବନରେ କାହା ଚାପରେ କେବେ କିଛି କରିନାହିଁ । ଓକିଲାତି ଛାଡି ଆମ ଆଦମୀ ପାର୍ଟିରେ ଯୋଗ ଦେଇଥିଲି । ଦଳର ଶକ୍ତିରେ ଆଶା ଦେଖା ଦେଇଥିଲା । ମୋ ଉଦ୍ଦେଶ୍ୟ କେବଳ ଲୋକଙ୍କ ସେବା କରିବା ଥିଲା ।'

ଦିଲ୍ଲୀ ସରକାରରେ ପରିବହନ ମନ୍ତ୍ରୀ ଥିବା କୈଳାଶ ଗେହଲଟ ଗତକାଲି (ରବିବାର) ଆପରୁ ଇସ୍ତଫା ଦେଇଥିଲେ । ସେ ବିଜେପିରେ ଯୋଗ ଦେବେ ବୋଲି ଅନୁମାନ କରାଯାଉଥିଲା । ୨୪ ଘଣ୍ଟା ନପୁରୁଣୁ ସେ ବିଜେପିରେ ଯୋଗ ଦେଇଛନ୍ତି । ଆଗକୁ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ । ଏହା ପୂର୍ବରୁ ବିଜେପିରେ କୈଳାଶ ମିଶିବା ଆପ୍ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ସେପଟେ କୈଲାଶ ଗେହଲଟ ମନ୍ତ୍ରୀ ପଦ ଛାଡ଼ିବା ପରେ ଏହି ସ୍ଥାନ ଖାଲି ପଡିଥିଲା । ଏହି ସ୍ଥାନରେ ଆପ୍ ନେତା ରଘୁବିନ୍ଦର ସୋକିନଙ୍କୁ ଦିଲ୍ଲୀର ପରିବହନ ମନ୍ତ୍ରୀ ପଦ ମିଳିଛି ।