ଭୁବନେଶ୍ୱର, ୧୩।୫: କଳିଙ୍ଗ ଷ୍ଟୁଡିଓ ପୁନର୍ନିମାଣକୁ ୪-୫ ବର୍ଷ ବିତିଗଲା । ତଥାପି କାମ ସରୁନି କି ଷ୍ଟୁଡିଓ ଖୋଲୁନି । ତାଲାରେ କଳଙ୍କି ଲାଗିଲା ପରି ଷ୍ଟୁଡିଓ ଭାଗ୍ୟରେ ଯେମିତି କଳଙ୍କି ଲାଗି ଯାଇଛି । ତାକୁ ଛଡ଼େଇବାକୁ ମଙ୍ଗଳବାର ପୂର୍ବାହ୍ଣରେ ଷ୍ଟୁଡିଓ ପରିସରରେ ଏକ ବୈଠକ ବସିଥିଲା । ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍ଡିସି) ସହିତ ବିଭିନ୍ନ ସିନେ ସଙ୍ଗଠନର ମୁଖ୍ୟମାନଙ୍କ ସହିତ ଆଲୋଚନା ହୋଇଥିଲା । ସିନେ ସଙ୍ଗଠନର ମୁଖ୍ୟମାନେ ଷ୍ଟୁଡିଓର ନିର୍ମାଣକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ସିନେମା ସୁଟିଂ ଲାଗି ଉପଯୋଗୀ ହୋଇ ନଥିବାରୁ ଓଏଫ୍ଡିସି ପରିଚାଳନା ନିର୍ଦ୍ଦେଶକ (ଏମ୍ଡି)ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ।
ଷ୍ଟୁଡିଓ ଖୋଲିବାକୁ ଓଏଫ୍ଡିସି ପ୍ରସ୍ତୁତ ଥିବା କହୁଥିଲା ବେଳେ ସଙ୍ଗଠନର ମୁଖ୍ୟମାନେ କହିଥିଲେ, ପ୍ରଥମେ ସରକାରଙ୍କ ସହ ଆଲୋଚନା କରାନ୍ତୁ, ତା’ପରେ ନିଷ୍ପତ୍ତି ନିଆଯିବ । ଏପରିକି ଖୋଲିବା ପରେ ବାକି କାମ ସହ ବଳିଥିବା ୩୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏମିତି ଏକ ଦ୍ୱନ୍ଦ୍ୱ ଭିତରେ ବୈଠକ ସରିଥିଲା । ଷ୍ଟୁଡିଓର ଉନ୍ନତୀକରଣ କାର୍ଯ୍ୟ ପାଇଁ ଏକ ୨୭ ଜଣିଆ ଉନ୍ନୟନ କମିଟି ଗଠନ ହୋଇଥିଲା । ଯେଉଁଥିରେ ପ୍ରଯୋଜକ, ନିର୍ଦ୍ଦେଶକ, କଳାକାର, ଟେକ୍ନିସିଆନ୍, କ୍ୟାମେରାମ୍ୟାନ୍, ଡିଷ୍ଟ୍ରିବ୍ୟୁଟର୍, ଆର୍ଟ ଓ ଆକ୍ସନ୍ ଡାଇରେକ୍ଟର, ସାଉଣ୍ଡ୍ ଇଞ୍ଜିନିୟରଙ୍କ ସହ ଚଳଚ୍ଚିତ୍ରର ବିଭିନ୍ନ ବିଭାଗ ଓ ସଙ୍ଗଠନର ମୁଖ୍ୟମାନଙ୍କୁ ସାମିଲ କରାଯାଇଛି । ଯେଉଁମାନେ ଆଗାମୀ ଦିନରେ ଷ୍ଟୁଡିଓ ବିକାଶକୁ ନେଇ ହେବାକୁ ଥିବା ବୈଠକରେ ସାମିଲ ହେବେ । ଏହି ଅବସରରେ ଓଏଫ୍ଡିସି ଏମ୍ଡିଙ୍କ ଉଦ୍ଦେଶ୍ୟରେ ୪ ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରାଯାଇଥିଲା । ଓଏଫ୍ଡିସି ଏମ୍ଡି ଉପସ୍ଥିତ ରହିବା ସହ ଅନ୍ୟ ଅଧିକାରୀ ସମସ୍ତଙ୍କୁ ଷ୍ଟୁଡିଓରେ ଉପଲବ୍ଧ ସୁବିଧାଗୁଡ଼ିକ ବୁଲାଇ ଦେଖାଇଥିଲେ ।
କିନ୍ତୁ ଦାବି ପତ୍ରରେ ଉଲ୍ଲେଖ ରହିଛି କି, ୨ଟି ଅଡିଟୋରିୟମ୍ ବ୍ୟତୀତ ଉପଲବ୍ଧ ସେଟ୍ ମଧ୍ୟରୁ କୌଣସିଟି ଟେଲିଭିଜନ ଓ ସିନେମା ସୁଟିଂ ପାଇଁ ଉପଯୁକ୍ତ ନୁହେଁ । ଭିତରେ ସ୍ଥାନ ବହୁତ କମ୍ । ଖୋଲିବା ପୂର୍ବରୁ ଷ୍ଟୁଡିଓର ରକ୍ଷଣାବେକ୍ଷଣ ପାଇଁ ବାହାରର ଏକ କମ୍ପାନିକୁ ସାଢ଼େ ୬ କୋଟି ଟଙ୍କାରେ ୨ ବର୍ଷ ପାଇଁ ଲିଜ୍ ଦେବାକୁ ନିଷ୍ପତ୍ତିକୁ ବି ବିରୋଧ ହୋଇଛି । ରାଜସ୍ୱ ବୃଦ୍ଧି ଦୃଷ୍ଟିରୁ ଷ୍ଟୁଡିଓର ଏକ ପାଶ୍ୱର୍କୁ ପାର୍କ କରି ଟିକେଟ୍ ବ୍ୟବସ୍ଥା ସହ ମନୋରଞ୍ଜନ ଉଦ୍ଦେଶ୍ୟରେ ଜନସାଧାରଣଙ୍କୁ ପ୍ରବେଶ ସୁଯୋଗ ରହିବ । ଫଳରେ ଅନିୟନ୍ତ୍ରିତ ଶବ୍ଦ ଏବଂ ଭିଡ଼କୁ ନିୟନ୍ତ୍ରଣ କରାଯାଇପାରିବ ନାହିଁ । ଯାହା ସୁଟିଂକୁ ବାଧା ଦେବ । ଏହା ସହିତ ବିବାହ ମଣ୍ଡପ ଶୈଳୀରେ ନିର୍ମିତ ଷ୍ଟୁଡିଓ କମ୍ପେ୍ଲକ୍ସ ଭିତରେ ସ୍ଥାନ ବହୁତ କମ୍ ଯୋଗୁ ଉପଯୋଗୀ ସୁଟିଂ ସ୍ଥାନର ଅଭାବ ପରିଲକ୍ଷିତ ହେଉଛି । କର୍ତ୍ତୃପକ୍ଷଙ୍କୁ ନିବେଦନ, ଚଳଚ୍ଚିତ୍ର ନିର୍ମାଣ ପାଇଁ ଉପଯୁକ୍ତ ତଥା ଅନୁକୂଳ ପରିବେଶ ବା ବାତାବରଣ ସୃଷ୍ଟି କରନ୍ତୁ । ଦାବି ମୁତାବକ ଯେତେବେଳେ ସମସ୍ତ ସୁବିଧା ସମ୍ପୂର୍ଣ୍ଣ ହେବ, ତା'ପରେ ଷ୍ଟୁଡିଓ ଖୋଲବା ଉପରେ ନିଷ୍ପତ୍ତି ନିଆଯାଉ । ଏହା ଉପରେ ପରବର୍ତ୍ତୀ ଆଲୋଚନା ହେବା ନେଇ ଓଏଫ୍ଡିସି ଅଧିକାରୀ କହିଛନ୍ତି ।
ଆହୁରି ପଢ଼ନ୍ତୁ... ଚାଷୀଙ୍କ ପାଇଁ ଖୁସି ଖବର: ୭ ଜିଲ୍ଲାକୁ ମିଳିବ ୨୧ ପ୍ରକାରର ନୂଆ ବିହନ, OUAT ବିକଶିତ କରିଛି ସ୍ୱତନ୍ତ୍ର ‘ନବାନ୍ନ’