ଭୁବନେଶ୍ୱର, ୧୩।୫: ଉଭୟ ଖରିଫ୍ ଓ ରବିରେ ଚାଷ ହେବ । ବିଳମ୍ବରେ ବର୍ଷା ହେଲେ ବି ପାଣିର ଅଭାବକୁ ସହିବ । ଚାଷ ହେବାର ୧୧୫ରୁ ୧୨୦ଦିନ ମଧ୍ୟରେ ଅମଳ ହେବ ଏହି ଧାନ । ହେକ୍ଟର ପିଛା ୬୦ରୁ ୬୫ କୁଇଣ୍ଟାଲ ଧାନ ଅମଳ ହେବ । ଏହା ଅତି ସରୁ ଓ ଛୋଟ ଦାନା ହୋଇଥିବା ବେଳେ ମଧୁମେହ ରୋଗୀମାନେ ଏହାକୁ ଖାଇପାରିବେ । ଏହି ଧାନ କିସମର ନାଁ ରହିଛି ‘ତେଲଙ୍ଗାନା ସୋନା(ଆର୍ଏମ୍ଆର୍ ୧୫୦୪୮)’ । ଚଳିତବର୍ଷ ରବି ଋତୁରେ ସରକାର ଏହି ଧାନ ବିହନ କୃଷକଙ୍କୁ ଯୋଗାଇଦେବେ । କେବଳ ତେଲଙ୍ଗାନା ସୋନା ନୁହେଁ, ପ୍ରାୟ ୨୧ ପ୍ରଜାତିର ଉନ୍ନତ ଧାନବିହନ ଚାଷୀଙ୍କୁ ମିଳିବ । ଯାହା ବିଭିନ୍ନ ଜିଲ୍ଲାରେ ଚାଷ ହେବ । ଧାନର ଅନ୍ତୁଡ଼ିଶାଳ ବୋଲାଉଥିବା କୋରାପୁଟରୁ ନେଇ ନୂଆପଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗିର, ମୟୂରଭଞ୍ଜ ଓ ଉପକୂଳ ପୁରୀ । ଏହି ୭ଟି ଜିଲ୍ଲାରେ ୯ ପ୍ରକାରର ଧାନ ବିହନ ଯୋଗାଇବାକୁ ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଅଣ୍ଟା ଭିଡ଼ିଛନ୍ତି । ଏଥିପାଇଁ ତାଲିକା ବି ଜାରି ହୋଇସାରିଛି ।
ସଅଳ ଅବଧି, ମଧ୍ୟମସଅଳ ଅବଧି ଓ ବିଳମ୍ବ ଅବଧି ଆଦି ତିନିଟି ପର୍ଯ୍ୟାୟରେ ଅମଳ ହେବ ଧାନ । କୋରାପୁଟ ଜିଲ୍ଲାରେ ‘ସିଆର ୮୦୩’, ‘କଳିଙ୍ଗ ୧୨୦୩’, ‘କଳାଚମ୍ପା’, ‘କଳିଙ୍ଗ ୧୨୦୫’, ‘ଏମଟିୟୁ ୧୧୫୬(ତରଙ୍ଗିଣୀ)’ ବିହନ ମିଳିବ । ସେହିପରି ନୂଆପଡ଼ାରେ ‘ସିଆର୧୦୦୯ ସବ-୧’, ‘ଏମଟିୟୁ ୧୧୫୩(ଚନ୍ଦ୍ରା)’, ‘ତେଲଙ୍ଗାନା ସୋନା’, ‘ବୀଣା ୧୧’, ‘ଏମଟିୟୁ ୧୧୫୬(ତରଙ୍ଗିଣୀ)’, ପୁରୀରେ ‘ଡିଆରଆର ୫୩’, ‘ସିଆର ୮୦୩’, ‘ଏମଟିୟୁ ୧୩୧୮’, ‘ହସନ୍ତ’, ‘କଳାଚମ୍ପା’ ବିହନ ଯୋଗାଇଦେବେ ସରକାର । ସମ୍ବଲପୁରରେ ‘ଆଇଆର ୬୪ ସବ-୧’, ‘ସିଆର୧୦୦୯ ସବ-୧’, ‘ସ୍ୱର୍ଣ୍ଣ ଶକ୍ତି’, ‘ନବାନ୍ନ(ଓୟୁଏଟି କଳିଙ୍ଗ ଧାନ)’, ‘ସିଆର ୮୦୫(ନବୀନ ଶକ୍ତି)’, ସୁନ୍ଦରଗଡରେ ‘ଏମଟିୟୁ ୧୨୨୪’, ‘ସ୍ୱର୍ଣ୍ଣ ସମୃଦ୍ଧି’, ‘ପ୍ରୋଟିଜିନ୍’, ବଲାଙ୍ଗିରରେ ‘ବୀଣା ୧୭’, ‘ସିଆର ୪୧୧ (ସ୍ୱର୍ଣ୍ଣାଜଂଳି)’ ଓ ମୟୂରଭଞ୍ଜରେ ‘ବୀଣା ୧୧’,‘ଡିଆରଆର ୪୫’, ‘ସିଆର ୮୦୩’, କେନ୍ଦୁଝରରେ ‘ସିଆର ୯୧୧(ବାସୁଦେବ)’ ଓ ବୌଦ୍ଧରେ ‘ହସନ୍ତ’, ‘କଳାଚମ୍ପା’, ‘ଏମଟିୟୁ୧୧୫୬(ତରଙ୍ଗିଣୀ)’, ‘ସ୍ୱର୍ଣ୍ଣ ସମୃଦ୍ଧି ଧାନ’ ଭଳି ଉନ୍ନତକିସମ ବିହନ ମିଳିବ । ଏହି ୨୧ ପ୍ରଜାତି ବିହନଙ୍କ ମଧ୍ୟରେ ପ୍ରାୟ ୯ଟି ହେଉଛନ୍ତି ସଅଳ କିସମ ପ୍ରଜାତି ।
ସେଗୁଡ଼ିକ ହେଲେ ‘ବୀଣା ୧୧’(୧୧୫ରୁ ୧୨୦ଦିନ), ‘କଳିଙ୍ଗ ୧୨୦୩’, ‘କଳିଙ୍ଗ ୧୨୦୫’(୧୩୦ଦିନ), ‘ଏମଟିୟୁ ୧୨୯୩’, ‘ପ୍ରୋଟିଜିନ’୍ (୧୧୫ରୁ ୧୨୦ଦିନ), ‘ସିଆର ୯୧୧/ବାସୁଦେବ’ ( ୧୨୦ରୁ ୧୨୫ଦିନ), ‘ଏମଟିୟୁ ୧୧୫୩/ଚନ୍ଦ୍ରା’, ‘ଏମଟିୟୁ୧୧୫୬/ ତରଙ୍ଗିଣୀ’ (୧୧୫ରୁ ୧୨୦ଦିନ), ‘ଓୟୁଏଟି କଳିଙ୍ଗ୫/ନବାନ୍ନ’(୧୦୫ରୁ ୧୧୦ଦିନ) ସହ ‘ତେଲଙ୍ଗାନା ସୋନା’ ଆଦି ରହିଛି । ଏମାନଙ୍କ ମଧ୍ୟରେ ସବୁଠୁ ଅଧିକ ପରିମାଣର ପ୍ରୋଟିନ୍(ପୁଷ୍ଟିସାର) ଯୁକ୍ତ ଧାନ ହେଉଛି ‘ଓୟୁଏଟି କଳିଙ୍ଗ୫/ନବାନ୍ନ’ । ଯାହାର ଆକାର ଲମ୍ବା ଓ ସରୁ । ଏହାକୁ ଚାଷ କଲେ ହେକ୍ଟର ପ୍ରତି ୪୫ରୁ ୫୦ କୁଇଣ୍ଟାଲ ଧାନ ଉତ୍ପାଦନ ହେବ । ଗବେଷଣାରୁ ଜଣାପଡ଼ିଛି, ସାଧାରଣ ଧାନ ତୁଳନାରେ ଏଥିରେ ୧୩.୬ ପ୍ରତିଶତ ପୁଷ୍ଟିସାର, ଜିଙ୍କ୍ ଓ ଲୌହ ରହିଛି । ଏହାର କାଣ୍ଡ ବି ଶକ୍ତ । ତେବେ ସମସ୍ତ ବିହନ ରୋଗପୋକ ନିରୋଧୀ । ତେଣୁ ଏହାକୁ ଚାଷ କଲେ, ଚାଷୀ ଅଧିକ ଲାଭବାନ ହେବେ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଆହୁରି ପଢ଼ନ୍ତୁ... ୪ ମାସର ସର୍ବୋଚ୍ଚ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି,ଜାତୀୟ ସ୍ତରଠୁ ଓଡ଼ିଶାରେ ମୁଦ୍ରାସ୍ଫୀତି କମ୍