ଭୁବନେଶ୍ୱର,୧୨/୦୯: ପୁଣି ଶୁଭିବ କ୍ଲାପ୍... ଟେକ୍... ରିଟେକ୍... । ଚାଲିବ ନନ୍ଷ୍ଟପ୍ ସୁଟିଂ । ଦୀର୍ଘ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି । ଆଉ ମାତ୍ର ୩ ମାସ । ନୂଆ ବର୍ଷରୁ ନୂଆ ରୂପରେ ଲୋକର୍ପଣ ହେବ କଳିଙ୍ଗ ଷ୍ଟୁଡିଓ । ଆସନ୍ତା ଜାନୁଆରୀ ମାସରେ କଳିଙ୍ଗ ଷ୍ଟୁଡିଓର ନିର୍ମାଣ କାମ ଶେଷ ହୋଇ କାର୍ଯ୍ୟକ୍ଷମ ହେବ । ଏଥିପାଇଁ ଜୋର୍ଦାର୍ ପ୍ରସ୍ତୁତି ଚାଲିଛି। ଏହାଦ୍ୱାରା ଓଡ଼ିଆ ସିନେ ନିର୍ମାତାଙ୍କୁ ଏକ ଭଲ ଅବସର ମିଳିବ ବୋଲି ଆଶା କରାଯାଉଛି ।
ଗୁରୁବାର ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟିର ୬ ଜଣିଆ ବିଧାୟକ ପ୍ରତିନିଧି ଦଳ କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କରି ଭିତ୍ତିଭୂମିର ଯାଞ୍ଚ ସାଙ୍ଗକୁ ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ । ଷ୍ଟୁଡିଓର ପୁନରୁଦ୍ଧାର ତଥା ନବୀକରଣ କାର୍ଯ୍ୟ, ଆଧୁନିକୀକରଣ ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଓ ପ୍ରକଳ୍ପ ବିଷୟରେ ଆଲୋଚନା କରିଥିଲେ । ପ୍ରତିନିଧି ଦଳରେ ପେପର୍ସ ଲେଡ୍ ଅନ୍ ଦି ଟେବୁଲ୍ କମିଟିର ଅଧ୍ୟକ୍ଷ ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ବିଧାୟକ ଛବି ମଲ୍ଲିକ, ବିଧାୟକ ଅରବିନ୍ଦ ମହାପାତ୍ର, ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ବିଧାୟକ ରୂପେଶ ପାଣିଗ୍ରାହୀ, ବିଧାୟକ ସତ୍ୟଜିତ୍ ଗମାଙ୍ଗ ସାମିଲ ଥିଲେ । ସେମାନେ କହିଥିଲେ, ଏପର୍ଯ୍ୟନ୍ତ ୪୦% କାମ ସରିଛି, ୨ ମାସରେ ସବୁ କାମ ସରିଯିବ ଆଶା । କମିଟିର ଅଧ୍ୟକ୍ଷ ବିଧାୟକ ଦୁଷ୍ମନ୍ତ ସ୍ୱାଇଁ କହିଲେ, ଆସନ୍ତା ଜାନୁଆରୀ ମାସ ସୁଦ୍ଧା କାମ ଶେଷ ହୋଇ କଳିଙ୍ଗ ଷ୍ଟୁଡିଓ କାର୍ଯ୍ୟକ୍ଷମ ହେବା ନେଇ ଲକ୍ଷ୍ୟ ରହିଛି । ଗତ ଜୁନ୍ ୧ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଷ୍ଟୁଡ଼ିଓ ପରିଦର୍ଶନ କରି ସ୍ଥିତି ସମୀକ୍ଷା ସହ ସ୍ୱତନ୍ତ୍ର ଡିପିଆର୍ ପ୍ରସ୍ତୁତ ଲାଗି ପ୍ରତିଶ୍ରୁତି ଦେଇଥିଲେ ।
ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା କହିଥିଲେ, ବର୍ଷ ଶେଷ ବେଳକୁ ଷ୍ଟୁଡିଓର ସବୁ କାମ ଶେଷ କରି ଏହା ଓଏଫ୍ଡିସି (ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ)କୁ ହସ୍ତାନ୍ତର କରାଯିବ । ଓଏଫ୍ଡିସି ଟେଣ୍ଡର ମାଧ୍ୟମରେ ଷ୍ଟୁଡିଓର ସଫେଇ, ସୁରକ୍ଷା ସହ ଏଡିଟିଂ, ଗ୍ରାଫିକ୍ସ ଓ ଷ୍ଟୁଡିଓର ପରିଚାଳନା ମଧ୍ୟ କୌଣସି ଘରୋଇ ସଂସ୍ଥା ଦ୍ୱାରା କରାଯିବ।
ଇଡ୍କୋ ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ରେଡ୍ଡୀ କହିଥିଲେ, କିପରି ଅନ୍ୟ ରାଜ୍ୟର ପ୍ରଯୋଜକ ଆସି ସୁଟିଂ କରିପାରିବେ, ସେଥିପାଇଁ ବି ପଦକ୍ଷେପ ନିଆଯିବ । ଷ୍ଟୁଡିଓର ଦୁଇଭାଗରୁ ଗୋଟିଏରେ ସୁଟିଂ ଅନ୍ୟଟି ମନୋରଞ୍ଜନ ପାର୍କ ହେବ । ଦର୍ଶକମାନେ ଟିକେଟ୍ କାଟି ଭିତରକୁ ପ୍ରବେଶ ସହ ସୁଟିଂକୁ ଉପଭୋଗ କରିପାରିବେ । ରାଜସ୍ୱ ସୃଷ୍ଟିରେ ଏହା ସହାୟକ ହେବ । କିନ୍ତୁ ସୁଟିଂ ସ୍ପଟ୍କୁ ଦର୍ଶକଙ୍କ ପ୍ରବେଶ ଉପରେ କଟକଣା ରହିବ । ଦର୍ଶକ ଗୋଟିଏ ପାଶ୍ୱର୍ରେ ରହିବେ ଓ ଅନ୍ୟ ପାଶ୍ୱର୍ରେ ସୁଟିଂ ଚାଲିବ ବୋଲି ଶ୍ରୀ ରେଡ୍ଡୀ କହିଥିଲେ ।
ଷ୍ଟୁଡିଓ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ଓଏଫ୍ଡିସି ଅଧ୍ୟକ୍ଷ ସମର୍ଥ ବର୍ମା, ଶିଳ୍ପ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ, ବରିଷ୍ଠ ଅଭିନେତା, ନିର୍ଦ୍ଦେଶକ ଶ୍ରୀତମ୍ ଦାସ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।