କଣାସ/ଭୁବନେଶ୍ୱର,୨୦/୦୧:  ହଇଜାରେ ମୃତ୍ୟୁ ସଂଖ୍ୟା ୪ ବୃଦ୍ଧି ପାଇଛି । ଶନିବାର ରାତିରେ ଗଡିଶାଗୋଦା ପଞ୍ଚାୟତର ନଈକୂଳପାଟଣା ଗ୍ରାମରେ ଗୁରେଇ  ସେଠୀଙ୍କର(୬୦) ମୃତ୍ୟୁ ହେଇଛି । ପୁର୍ବରୁ  ନୁଆଗାଁ ଗ୍ରାମର ସାରଥ ପ୍ରଧାନ, ସଚଳା ସାହୁ  ଓ ମାଗି ଦଳାଇଙ୍କର ମୃତ୍ୟୁ ହେଇଥିଲା । ଏବେ  ସୁଦ୍ଧା ହଇଜା ୪ ମୁଣ୍ଡ ନେଇଥିବା ବଳେ ଆଉ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ପାଖାପାଖି ଶହେ ଜଣ କଣାସ ବ୍ଲକ୍‌ର ବିଭିନ୍ନ ଗ୍ରାମରେ ଆକ୍ରାନ୍ତ ହେଇଥିବା ବଳେ ଗଡ଼ିଶାଗୋଦା ପଞ୍ଚାୟତର ନୁଆଗାଁ ଓ ଗୋପୀନାଥପୁର  ପଞ୍ଚାୟତର ଜାଗୁଳାଇପଦର ଗ୍ରାମ ଅଧିକ ପ୍ରଭାବିତ ହେଇଛି । ପାଇକମରା କଳାପଦର, ଗୋପୀନାଥପୁର ଗ୍ରାମରେ ଲୋକମାନେ ହଇଜା କବଳରେ ପଡିଛନ୍ତି । 

ରବିବାର ନୂଆଦୋକନ୍ଦା  ଗ୍ରାମର ତିନିଜଣ ବ୍ୟକ୍ତି ହଇଜାରେ ଆକ୍ରାନ୍ତ  ହେଇ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର  ହେଇଛନ୍ତି । କଣାସ ହଇଜା ସ୍ଥିତି ଉପରେ ନଜର  ରଖାଯାଇଛି । ଗତକାଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟରୁ  ସ୍ଥିତି ସମୀକ୍ଷା ପାଇଁ ଦୁଇ ଜଣ ଡାକ୍ତରଙ୍କୁ  ଘଟଣାସ୍ଥଳକୁ ପଠାଯାଇଥିଲା । ସେମାନେ  ରିପୋର୍ଟ ପ୍ରଦାନ କରିଛନ୍ତି ବୋଲି ଜନସ୍ୱାସ୍ଥ୍ୟ  ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି ।  ଘଟଣାସ୍ଥଳରେ ସିଡିଏମ୍‌ଓ ତଦାରଖ ଦାୟିତ୍ୱରେ ଅଛନ୍ତି । ୮ଜଣ ଡାକ୍ତର ନିୟୋଜିତ ରହିଛନ୍ତି ।  ଘଟଣାସ୍ଥଳରୁ ପାଣି ନମୁନା ସଂଗ୍ରହ କରାଯାଇ  ପରୀକ୍ଷା ପାଇଁ ପଠାଯାଇଛି । ବାହାର ପାଣି  ପିଇବା ପାଇଁ ବାରଣ କରାଯାଇଛି । ଲୋକଙ୍କୁ  ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଉଛି ।  

ହଇଜାରେ ମୃତ୍ୟୁ ହୋଇଛି ନା ଅନ୍ୟ କୌଣସି  କାରଣ ରହିଛି ତାହାର ତଦନ୍ତ ଜାରି ରହିଛି  ବୋଲି ସେ କହିଛନ୍ତି ।  ଝାଡ଼ାବାନ୍ତି ଥମିବାର ନାଁ ଧରୁ ନଥିବା ବେଳେ  ଏହା ଧିରେ ଧିରେ ଅନ୍ୟ ଗାଁକୁ ବ୍ୟାପୁଛି । ଯାହା  ଏବେ ପ୍ରଶାସନର ଚିନ୍ତାର କାରଣ ପାଲଟିଛି ।  ନଦୀକୁଳିଆ ଗାଁର ଲୋକମାନଙ୍କ ମଧ୍ୟରେ  ଭୟ ସୃଷ୍ଟି ହେଇଛି । ସ୍ଥିତି ଉଦ୍‌ବେଗଜନକ  ରହିଥିବାରୁ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର  ସମ୍ପୃକ୍ତ ଗାଁକୁ ଧାଁ ଧୌଡ଼ ଲାଗିଛି । 

ରବିବାର  ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା  ଓ ଉପଜିଲ୍ଲାପାଳ ରାଜକିଶୋର ଜେନା,  ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ରୂପଭାନୁ ମିଶ୍ର ନୂଆଗାଁ, ତହସିଲଦାର ହିମାଂଶୁ ଶେଖର ଗିରି,  ଜଳଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ରଞ୍ଜନ  କୁମାର ସାମନ୍ତରାୟ, ଡିପିଏଚଓ ଡାକ୍ତର ବିରଜା  ଶଙ୍କର ରଥ, ଡିପିଏମ୍‌ପି ନାରାୟଣ ରାଓ,  ଏପିଡେମିଓଲୋଜିଷ୍ଟ ଶିଳ୍ପୀ ଦାସ, ଭେଷଜ  ବିଶେଷଜ୍ଞ ସହ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର  ସମ୍ବିତ ରଞ୍ଜନ ଜେନା ସହ ୩୦ ଜଣ ସ୍ୱାସ୍ଥ୍ୟ  କର୍ମୀ ଆଶାକର୍ମୀ ଓ ଅଙ୍ଗନବାଡ଼ିକର୍ମୀମାନେ  ନଈକୂଳପାଟଣା ଓ ଜାଗୁଳାଇପଦର ଗ୍ରାମକୁ  ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ଗାଁ ଲୋକଙ୍କ ସହ ଆଲୋଚନା କରିଥିଲେ । ମୃତକଙ୍କ ପରିବାର ଲୋକଙ୍କୁ ଭେଟିଥିଲେ । ମେଡିକାଲ ଟିମ୍‌ ସହ  ରୋଗ ନିରାକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା  କରିଥିଲେ । ନଦୀର ବିଷାକ୍ତ ଜଳକୁ ପିଇବା, ଗାଧେଇବା କାର୍ଯ୍ୟରେ ବ୍ୟବହାର କରିବାକୁ  ବାରଣ କରିଥିଲେ । 

ନଳକୂପ ପାଣି କିମ୍ବା ଟ୍ୟାଙ୍କର ଯୋଗେ ଯୋଗାଣ ହେଉଥିବା ପାଣିକୁ ବ୍ୟବହାର  କରିବା ପାଇଁ ପରାମର୍ଶ ଦେଇଥିଲେ । ମେଡିକାଲ  ଟିମ୍‌କୁ ଯଥା ସମ୍ଭବ ସେବା ଯୋଗାଇ ଦେବା  ଉପରେ ଗୁରୁତ୍ୱ ଦିଆଯାଇଛି । ନଦୀର ପାଣି  ବିଷାକ୍ତ ହେଇଯାଇଥିବାରୁ ଉପରୁ ପାଣି ଛାଡିବାକୁ ବ୍ୟବସ୍ଥା କରିବା ପାଇଁ ସ୍ଥିର ହେଇଥିଲା ।  ସଂକ୍ରମଣ ଅଧିକ ଥିବାରୁ ନଦୀକୁ ଗ୍ରାମର ଲୋକମାନେ ନ ଯିବା ପାଇଁ ଜାଗୁଳାଇପଦର ଓ ନୂଆଗାଁର ଆଠଜଣ ଲେଖାଏ ସ୍ୱେଚ୍ଛାସେବୀଙ୍କୁ ଦାୟିତ୍ୱ ଦିଆଯାଇଛି । 

ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ  ହଇଜା ପ୍ରବଣ ନୂଆଗାଁ ଓ ଜାଗୁଳାଇପଦରକୁ  ଯାଇ ଲୋକମାନଙ୍କୁ ଭେଟିବା ସହ  ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ରବିବାର ମଧ୍ୟ ଜାଗୁଳାଇ ପଦର ଗ୍ରାମର  ବିଳାସ ବେହେରା, ଗୁନ ମଲ୍ଲିକ, କଖାରୁବସ୍ତର  ଶୁଭମ ମହାପାତ୍ର, ନୂଆଗାଁର କୋତରୀ ଦଳାଇ ଓ ଦୋକନ୍ଦାର ପାର୍ବତୀ ଦଳାଇ କଣାସ  ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।