ମୁମ୍ବାଇ, ୮।୭: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ୍‌ଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘କ୍ୱିନ୍-୨’ ରିଲିଜ୍ ପୂର୍ବରୁ ଏକ ବଡ଼ ଆଇନଗତ ବିବାଦରେ ଛନ୍ଦି ହୋଇପଡ଼ିଛି । ଫିଲ୍ମର ସୁଟିଂ ଶେଷ ହେବା ମାତ୍ରେ ଏହାକୁ ନେଇ ହାଇକୋର୍ଟରେ ମାମଲା ଦାୟର ହୋଇଛି । ପ୍ରଡକ୍ସନ୍ ହାଉସ୍ ‘ଫାଣ୍ଟମ୍ ଷ୍ଟୁଡିଓଜ୍’ ନିଜର ବୌଦ୍ଧିକ ସମ୍ପତ୍ତିର ବେଆଇନ ବ୍ୟବହାର ଅଭିଯୋଗ ଆଣି ‘ଜିଓଷ୍ଟାର୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍’ ବିରୋଧରେ ବମ୍ବେ ହାଇକୋର୍ଟରେ ୨୫୦ କୋଟି ଟଙ୍କାର ମକଦ୍ଦମା କରିଛି । ଏହା ସହିତ ଫିଲ୍ମର ରିଲିଜ୍ ଉପରେ ରୋକ୍ ଲଗାଇବାକୁ ମଧ୍ୟ ଦାବି କରାଯାଇଛି । 

ଆଇନଗତ ଫାର୍ମ ‘ରଶ୍ମିକାନ୍ତ ଆଣ୍ଡ ପାର୍ଟନର୍ସ’ ଜରିଆରେ ଦାୟର ହୋଇଥିବା ଏହି ମାମଲା ଅନୁସାରେ, ୨୦୧୪ରେ ମୁକ୍ତିପ୍ରାପ୍ତ ସୁପରହିଟ୍ ଫିଲ୍ମ ‘କ୍ୱିନ୍’ର ୫୦ ପ୍ରତିଶତ ଅଧିକାର ଫାଣ୍ଟମ୍ ଷ୍ଟୁଡିଓଜ୍ ପାଖରେ ରହିଛି । ମୂଳ ଫିଲ୍ମ ନିର୍ମାଣ ସମୟରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ, ଏହାର କୌଣସି ବି ସିକ୍ୱେଲ କିମ୍ବା ପ୍ରିକ୍ୱେଲ ନିର୍ମାଣ ପାଇଁ ଫାଣ୍ଟମ୍ ଏବଂ ଜିଓଷ୍ଟାର୍ ଉଭୟଙ୍କର ସମାନ ଅଧିକାର ରହିଛି । ଫାଣ୍ଟମ୍‌ର ଦାବି ଯେ, ଏହି ସିକ୍ୱେଲ ପାଇଁ ସେମାନଙ୍କଠାରୁ କୌଣସି ଅନୁମତି ନିଆଯାଇନାହିଁ । କୋର୍ଟ ଯିବା ପୂର୍ବରୁ ଷ୍ଟୁଡିଓ ପକ୍ଷରୁ ଜିଓଷ୍ଟାର୍ ଏବଂ ନିର୍ଦ୍ଦେଶକ ବିକାଶ ବହଲଙ୍କ ସହ ଆଲୋଚନା କରି ସମାଧାନ ପାଇଁ ଚେଷ୍ଟା କରାଯାଇଥିଲା, କିନ୍ତୁ କୌଣସି ସୁଫଳ ମିଳିନଥିଲା ।

ଜିଓଷ୍ଟାର୍ ରଖିଲା ନିଜର ପକ୍ଷ: "ଏହା ସିକ୍ୱେଲ ନୁହେଁ"

ଫାଣ୍ଟମ୍ ଷ୍ଟୁଡିଓଜ୍‌ର ଏହି ଗୁରୁତର ଅଭିଯୋଗକୁ ଜିଓଷ୍ଟାର୍ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି । କମ୍ପାନି ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, "ଏହି ନୂଆ ଫିଲ୍ମର କାହାଣୀ ସମ୍ପୂର୍ଣ୍ଣ ମୌଳିକ ଏବଂ ସ୍ୱାଧୀନ । ପୂର୍ବର କୌଣସି ଫିଲ୍ମ ସହ ଏହାର କାହାଣୀ, ଚରିତ୍ର କିମ୍ବା କ୍ରିଏଟିଭ୍ ସମ୍ପର୍କ ନାହିଁ । ଏହା କୌଣସି ପୁରୁଣା ଫିଲ୍ମର ସିକ୍ୱେଲ କିମ୍ବା ପ୍ରିକ୍ୱେଲ ନୁହେଁ ।" ଏହା ସହିତ କମ୍ପାନି କହିଛି ଯେ, 'କ୍ୱିନ୍' ଶବ୍ଦଟି ଇଂରାଜୀ ଭାଷାର ଏକ ସାଧାରଣ ନାମ ଏବଂ ଏହା ଉପରେ କେହି ନିଜର ଏକଛତ୍ର ଅଧିକାର ଦାବି କରିପାରିବେ ନାହିଁ । ବର୍ଷ ଆରମ୍ଭରୁ ‘କ୍ୱିନ୍-୨’ର ସୁଟିଂ ଆରମ୍ଭ ହୋଇଥିବା ବେଳେ ନିକଟରେ ଏହାର ଶେଷ ସୁଟିଂ ହୋଇଥିଲା । ଅଭିନେତ୍ରୀ କଙ୍ଗନା ରଣାୱତ୍ ସୋସିଆଲ ମିଡିଆରେ ନିର୍ଦ୍ଦେଶକ ବିକାଶ ବହଲଙ୍କ ସହ କେକ୍ କାଟି ସୁଟିଂ ଶେଷ ହେବାର ଫଟୋ ମଧ୍ୟ ସେୟାର କରିଥିଲେ । ୨୦୧୪ର ‘କ୍ୱିନ୍’ କଙ୍ଗନାଙ୍କ କ୍ୟାରିୟରର ଏକ ବଡ଼ ଟର୍ନିଂ ପଏଣ୍ଟ ଥିଲା, ଯାହା ୧୦୦ କୋଟିରୁ ଅଧିକ ବ୍ୟବସାୟ କରିବା ସହ ‘ଶ୍ରେଷ୍ଠ ହିନ୍ଦୀ ଫିଚର୍ ଫିଲ୍ମ’ ଭାବେ ଜାତୀୟ ଚଳଚ୍ଚିତ୍ର ସମ୍ମାନ ପାଇଥିଲା ।

ଏହା ବି ପଢ଼ନ୍ତୁ... ହେମା ମାଳିନୀ କହିଲେ ଧର୍ମେନ୍ଦ୍ରଙ୍କ ଶେଷ ଇଚ୍ଛା, ସନୀ ଏବଂ ବବି …

ସୂଚନାଯୋଗ୍ୟ ଯେ, ଫିଲ୍ମ ‘କ୍ୱିନ୍’କୁ ବିକାଶ ବହଲ, ଅନୁରାଗ କଶ୍ୟପ, ବିକ୍ରମାଦିତ୍ୟ ମୋଟୱାନି ଓ ମଧୁ ମାଣ୍ଟେନାଙ୍କ ଦ୍ୱାରା ଗଠିତ ‘ଫାଣ୍ଟମ୍ ଫିଲ୍ମସ’ ପ୍ରଯୋଜନା କରିଥିଲା । ତେବେ ‘ମି-ଠୁ’ ବିବାଦ ପରେ ଅଂଶୀଦାରମାନଙ୍କ ମଧ୍ୟରେ ମତଭେଦ ଯୋଗୁଁ ୨୦୧୯ରେ ଏହା ବନ୍ଦ ହୋଇଯାଇଥିଲା । ପରବର୍ତ୍ତୀ ସମୟରେ ୨୦୨୨ରେ ମଧୁ ମାଣ୍ଟେନା ଏବଂ ଶୀତଲ ତଲୱାରଙ୍କ ଦ୍ୱାରା ଏହାକୁ ‘ଫାଣ୍ଟମ୍ ଷ୍ଟୁଡିଓଜ୍’ ଭାବେ ପୁଣି ଆରମ୍ଭ କରାଯାଇଥିଲା, ଯିଏକି ନିକଟରେ ଜୁନୈଦ୍ ଖାନ ଓ ଖୁସି କପୁରଙ୍କ ଅଭିନୀତ ‘ଲଭ୍ୟାପା’ ଫିଲ୍ମ ନିର୍ମାଣ କରିଛି । ବର୍ତ୍ତମାନ ଏହି ୨୫୦ କୋଟିର ଆଇନଗତ ଲଢ଼େଇ କେଉଁ ମୋଡ଼ ନେଉଛି ଏବଂ ‘କ୍ୱିନ୍-୨’ ସିନେମା ହ ଆସିପାରୁଛି କି ନାହିଁ, ତାହା କୋର୍ଟଙ୍କ ସ୍ପଷ୍ଟୀକରଣ ପରେ ହିଁ ଜଣାପଡ଼ିବ ।