ବେଙ୍ଗାଲୁରୁ,୦୪/୧୧: ଜଣାଶୁଣା କନ୍ନଡ଼ ଫିଲ୍ମ  ନିର୍ଦ୍ଦେଶକ ତଥା ଅଭିନେତା ଗୁରୁ ପ୍ରସାଦଙ୍କ ଝୁଲନ୍ତା ମୃତଦେହ  ରବିବାର ବେଙ୍ଗାଲୁରୁ ସ୍ଥିତ ତାଙ୍କ ଫ୍ଲାଟ୍‌ରୁ ମିଳିଛି । ୩/୪  ଦିନ ତଳେ ସେ ଆତ୍ମହତ୍ୟା  କରିଥିବା ପୁଲିସ ସନ୍ଦେହ  କରୁଛି । ତାଙ୍କୁ ୫୨ ବର୍ଷ ବୟସ  ହୋଇଥିଲା ।ବେଙ୍ଗାଲୁରୁର  ମଦନାୟକନହାଲ୍ଲିଠାରେ  ଥିବା ଏକ ଆପାର୍ଟମେଣ୍ଟରେ  ସେ ପ୍ରାୟ ୮ ମାସ ହେଲା  ଏକୁଟିଆ ରହୁଥିଲେ । ତାଙ୍କ ଫ୍ଲାଟ୍‌ରୁ ଦୁର୍ଗନ୍ଧ ବାହାରିବା ପରେ ଆପାର୍ଟମେଣ୍ଟରେ ରହୁଥିବା ଅନ୍ୟମାନେ ପୁଲିସକୁ  ସୂଚନା ଦେଇଥିଲେ । 

ରିପୋର୍ଟ ଅନୁସାରେ, ଗୁରୁ ପ୍ରସାଦ ଗମ୍ଭୀର ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ । କେତେକ ଲୋକଙ୍କଠାରୁ ସେ ଟଙ୍କା ଧାର ମଧ୍ୟ ଆଣିଥିଲେ । ନିକଟରେ  ତାଙ୍କର ଏକ ଫିଲ୍ମ ‘ରଙ୍ଗନାୟକ’ ଫ୍ଲପ୍‌ ହେବା ପରେ ସେ  ମାନସିକ ବିଷାଦଗ୍ରସ୍ତ ହୋଇପଡ଼ିଥିଲେ । ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବା ପରେ ସେ ନିକଟରେ ଦ୍ୱିତୀୟ ବିବାହ  କରିଥିଲେ । ୨୦୦୬ରେ ତାଙ୍କ ଫିଲ୍ମ ‘ମାତା’ ଏବଂ ୨୦୦୯ରେ  ‘ଏଡେଲୁ ମଞ୍ଜୁନାଥ’ ବକ୍ସ ଅଫିସ୍‌ରେ ହିଟ୍‌ ହୋଇଥିଲା । ସେ  କେତେକ କନ୍ନଡ଼ ରିଅଲିଟି ଶୋ’ରେ ଜଜ୍‌ ମଧ୍ୟ ହୋଇଥିଲେ।