ନୂଆଦିଲ୍ଲୀ,୦୧/୧୧:ଦୀପାବଳିରେ ଉତ୍ତରପ୍ରଦେଶର କାନପୁରରେ  ଅଘଟଣ । ଘରେ ଜଳଥିବା ଦୀପରୁ ନିଆଁ ବ୍ୟାପି ଚାଲିଗଲା ୩ ଜୀବନ । ପ୍ରତିଷ୍ଠିତ ବିସ୍କୁଟ ବ୍ୟବସାୟୀ  ଶ୍ୟାମ ଦସାନୀ, ତାଙ୍କ ପତ୍ନୀ ଓ ଘରୋଇ ସହାୟିକାଙ୍କୁ ମୃତ୍ୟୁ ହୋଇଥିବା ଜଣାପଡିଛି ।  ସମସ୍ତେ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ସୂଚନା ମିଳିଛି। 

ସୂଚନା ମୁତାବକ,ଗତ ରାତିରେ ଶ୍ୟାମ ଦସାନୀଙ୍କ ପରିବାର ହସଖୁସିରେ ଦୀପାବଳି ପାଳନ କରିଥିବାବେଳେ ଘରେ ପୂଜାର୍ଚ୍ଚନା ବି କରିଥିଲେ। ଏହାପରେ ଘରେ ଥିବା ମନ୍ଦିର ସମ୍ମୁଖରେ ଦୀପ ଜଳୁଥିବା ବେଳେ ପରିବାର ଲୋକେ ଶୋଇପଡିଥିଲେ।  ଘରେ କେବଳ ଶ୍ୟାମ ଦସାନୀ, ତାଙ୍କ ପତ୍ନୀ ଓ ଘରୋଇ ସହାୟିକା ହିଁ ଥିଲେ। ତାଙ୍କ ପୁଅ କୌଣସି କାମରେ ବାହାରକୁ ଯାଇଥିବାରୁ ସେ ଏହି ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଛନ୍ତି। ତେବେ କିଛି ସମୟ ପରେ ଦୀପ ନିଆଁ ପରଦାକୁ ବ୍ୟାପି ଘରେ ମାଡ଼ି ଯାଇଥିଲା। ଫଳରେ ଘର ହୁତୁହୁତୁ ହୋଇ ଜଳିବା ସହ ଚାରିଆଡ଼ ଧୂଆଁମୟ ହୋଇ ଯାଇଥିଲା। ଶ୍ୟାମ ଦସାନୀଙ୍କ ପରିବାର ଲୋକଙ୍କ ନିଦ ଭାଙ୍ଗିବା ପରେ ସେମାନେ ଆଉ ବାହାରିବାକୁ ବାଟ ପାଇ ନ ଥିଲେ। ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇ ଯାଇଥିଲା। ଖବର ପାଇ ପୁଲିସ୍‌ ଓ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତକୁ କରିଛନ୍ତି। ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ ମୃତଦେହ ଘରୁ ଉଦ୍ଧାର କରି  ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।