ଭୁବନେଶ୍ୱର,୨୭/୧୨ : କପିଳେଶ୍ୱର ମନ୍ଦିରର ହେବ ନବକଳେବର । ଏଥିପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଦୁଇଟି ପର୍ଯ୍ୟାୟରେ ଆର୍ଥିକ ଅନୁଦାନ ମିଳିବ । ପ୍ରଥମେ ୪୬ ଲକ୍ଷ ଓ ୩ ମାସ ପରେ ଆଉ ୧ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯିବ ବୋଲି ଗୁରୁବାର ମନ୍ଦିର ମରାମତି କାମ ଶୁଭାରମ୍ଭ ଉତ୍ସବରେ ଯୋଗଦେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି । 

ସେ କହିଛନ୍ତି ଯେ ପ୍ରଥମେ ଆମେ ଚେଷ୍ଟା କରି ଏହି ମନ୍ଦିରର ସଂରକ୍ଷଣ ଦାୟିତ୍ୱ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)କୁ ହସ୍ତାନ୍ତର କରିଥିଲୁ । ଏବେ ମନ୍ଦିର ସଂରକ୍ଷଣ ଓ ମରାମତି ପାଇଁ ଆସିଥିବା ପ୍ରଥମ ପର୍ଯ୍ୟାୟ ଟଙ୍କାରେ ପାଣି ଗଳୁଥିବା ସ୍ଥାନର ମରାମତି, ନଷ୍ଟ ହୋଇଥିବା କବାଟ ପରିବର୍ତ୍ତନ, ବିଜୁଳି ପ୍ରତିରୋଧ ବ୍ୟବସ୍ଥା ଆଦି ଅନେକ କାମ କରାଯିବ । ଏଥିସହିତ ଗମନାଗମନ ନିମନ୍ତେ ସାମନ୍ତରାପୁର ଠାରୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଠିକ୍‌ ୩ ମାସ ପରେ ଆଉ ଏକ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯିବ । ମନ୍ଦିର ସଂରକ୍ଷଣ ପାଇଁ ଏଏସ୍‌ଆଇ ଦାୟିତ୍ୱ ନେବା ପରେ ଏହି ଆଦ୍ୟ କାର୍ଯ୍ୟକୁ ନେଇ ଅନେକ ସେବାୟତ ଖୁସି ବ୍ୟକ୍ତ କରିଛନ୍ତି । ଏହି ଉତ୍ସବରେ ଏକାମ୍ର ବିଧାୟକ ବାବୁ ସିଂ, ନେତ୍ରୀ ରଶ୍ମି ମହାପାତ୍ର, ଏଏସ୍‌ଆଇ ଅଧିକାରୀ, ଗ୍ରାମବାସୀ ଓ ପ୍ରଭାତ କୁମାର ମହାନ୍ତିଙ୍କ ସମେତ ଅନେକ ସେବାୟତ ଉପସ୍ଥିତ ଥିଲେ ।