ଥିରୁଅନନ୍ତପୁରମ୍, ୨୯।୧: ହୋସାନାଗାରରୁ ବେଙ୍ଗାଲୁରୁ ଯାଉଥିବା ଏକ ଘରୋଇ ସ୍ଲିପର୍ ବସ୍ରେ ହଠାତ୍ ନିଆଁ ଲାଗିଯାଇଥିଲା । ସୌଭାଗ୍ୟବଶତଃ ବସ୍ରେ ଥିବା ସମସ୍ତ ଯାତ୍ରୀ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ଅନ୍ୟ ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଅଧିକାରୀଙ୍କ ଅନୁଯାୟୀ, ମଙ୍ଗଳବାର ବିଳମ୍ୱିତ ରାତିରେ ହୋସାନାଗାରା ତାଲୁକର ଅର୍ସାଲୁ-ସୁଦୁର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଘରୋଇ ସ୍ଲିପର୍ ବସ୍ଟି ହୋସାନାଗାରାରୁ ଶିବମେଗା ଦେଇ ବେଙ୍ଗାଲୁରୁ ଯାତ୍ରା କରୁଥିଲା । ଅଧିକାରୀମାନେ କହିଛନ୍ତି ଯେ, ଡ୍ରାଇଭରଙ୍କ କ୍ୟାବିନରୁ ହଠାତ୍ ଧୂଆଁ ବାହାରୁଥିବା ଦେଖି ଭୟଭୀତ ହୋଇ ବସ୍ ଉପରୁ ନିୟନ୍ତ୍ରଣ ହରାଇଥିଲେ । ନିୟନ୍ତ୍ରଣ ହରାଇ ବସ୍ଟି ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇଥି ଫଳରେ ବସ୍ରେ ନିଆଁ ଲାଗିଥିଲା ।
ଜୀବନ ବଞ୍ଚାଇଲା ଜରୁରୀକାଳୀନ ପ୍ରସ୍ଥାନ:
ବସ୍ରେ ନିଆଁ ଲାଗିବା ପରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଯାତ୍ରୀମାନେ ସମୟ ମଧ୍ୟରେ ଜରୁରୀକାଳିନ ପ୍ରସ୍ଥାନ ଦ୍ୱାର ବ୍ୟବହାର କରି ଜଳୁଥିବା ବସ୍ରୁ ଡେଇଁ ପଡ଼ିଥିଲେ । କିଛି ସମୟ ମଧ୍ୟରେ ବସ୍ଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ । ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୁନିଶ୍ଚିତ କରିଛନ୍ତି ଯେ, “ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଡ୍ରାଇଭର ସମେତ ଛଅ ଜଣ ଆହତ ହୋଇଛନ୍ତି । ଆହତଙ୍କ ଚିକିତ୍ସା ଚାଲିଛି ।” ରିପନପେଟ୍ ପୁଲିସ ଷ୍ଟେସନର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରିଛନ୍ତି । ପୁଲିସ କହିଛି ଯେ, ଅଧିକ ତଦନ୍ତ ଚାଲିଛି । ଏହା ବ୍ୟତୀତ ଅଗ୍ନିକାଣ୍ଡର ସଠିକ୍ କାରଣ ନିର୍ଣ୍ଣୟ କରିବାକୁ ଘଟଣାର ଏକ ବିସୃତ ରିପୋର୍ଟ ଦାଖଲ କରିବାକୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି ।
ଆହୁରି ପଢ଼ନ୍ତୁ... ୬ ଫୁଟ୍ ବରଫ ତଳେ ଫସିଥିଲେ ୨୦ରୁ ଅଧିକ ସେନା, ରକ୍ଷକ ସାଜିଲେ ଗାଁ ଲୋକ