ବେଙ୍ଗାଲୁରୁ ୦୭/୦୪, ଦେଶ ପାଇଁ  ସମାନ ନାଗରିକ ସଂହିତା (ୟୁସିସି)ର  ଆବଶ୍ୟକତା ରହିଛି । ଯାହାଫଳରେ ସବୁ ନାଗରିକ ବିଶେଷକରି ମହିଳାମାନଙ୍କୁ ସମାନ ଅଧିକାର ମିଳିପାରିବ ବୋଲି କର୍ଣ୍ଣାଟକ  ହାଇକୋର୍ଟ କହିଛନ୍ତି । ଏଥିସହ ହାଇକୋର୍ଟ ମିଳିତ ଭାବେ ଏଭଳି ଆଇନ ଆଣିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । 

ବିଚାରପତି ହଞ୍ଚାଟେ ସଞ୍ଜିବ କୁମାରଙ୍କ  ଜଣିକିଆ ଖଣ୍ଡପୀଠ ଏକ ପାରିବାରିକ ବିବାଦ  ମାମଲାର ଶୁଣାଣି କରିବା ଅବସରରେ ଏହା କହିଛନ୍ତି। ଏହି ମାମଲା ମୁସଲିମ ମହିଳା  ଶେହନାଜ ବେଗମ୍‌ଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପତ୍ତି  ଭାଗବଣ୍ଟାକୁ ନେଇ ଜଡିତ । ଯେଉଁଥିରେ ତାଙ୍କ  ଭାଇ-ଭଉଣୀ ଓ ସ୍ୱାମୀଙ୍କ ମଧ୍ୟରେ ବିବାଦ ଲାଗି  ରହିଛି । ମାମଲାର ଶୁଣାଣି ବେଳେ ଜଷ୍ଟିସ କୁମାର ମୁସଲିମ ପର୍ସନାଲ ଲ ଉପରେ ପ୍ରଶ୍ନ ଉଠାଇବା  ସହ କହିଛନ୍ତି ଏହି ଆଇନ ମହିଳାଙ୍କ ସହ  ଭେଦଭାବ କରୁଛି । ହିନ୍ଦୁ ଆଇନରେ ପୁଅଙ୍କ ଭଳି  ଝିଅଙ୍କୁ ସମାନ ଜନ୍ମଗତ ଅଧିକାର ଓ ପ୍ରତିଷ୍ଠା  ମିଳୁଥିଲା ବେଳେ ମୁସଲିମ୍‌ ଆଇନରେ ଏହା  ନାହିଁ । ତେଣୁ ୟୁସିସି ଦ୍ୱାରା ହିଁ ସମ୍ବିଧାନ ପ୍ରଦତ୍ତ  ସମାନତା ଅଧିକାର ସମ୍ଭବ ହୋଇପାରିବ ।  ଜାତିଗତ ଓ ଧର୍ମଗତ ଆଇନର ଊଦ୍ଧ୍ୱର୍ରେ ୟୁସିସି  ଲାଗୁ କରାଯିବା ଫଳରେ ସମ୍ବିଧାନର ଧାରା  ୧୪ର ଉଦ୍ଦେଶ୍ୟ ସଫଳ ହେବ । ୟୁସିସି ଆଣି  ତାକୁ ପ୍ରଭାବୀ ଢ଼ଙ୍ଗରେ କାର୍ଯ୍ୟକାରୀ କରାଯିବା  ଫଳରେ ମହିଳାଙ୍କୁ ନ୍ୟାୟ ମିଳିବା ସହ ଜାତି,  ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମାନତା ଅଧିକାରର  ସ୍ୱପ୍ନ ସାକାର ହୋଇପାରିବ । 

ଜଷ୍ଟିସ କୁମାର ଆହୁରି ମଧ୍ୟ କହିଛନ୍ତି ଯେ  ଗୋଆ ଓ ଉତ୍ତରାଖଣ୍ଡରେ ୟୁସିସି ଦିଗରେ ବଡ  ପଦକ୍ଷେପ ନିଆଯାଇଛି । କେନ୍ଦ୍ର ସରକାର ଓ ବାକି ସବୁ ରାଜ୍ୟ ମଧ୍ୟ ଏ ଦିଗରେ ପଦକ୍ଷେପ  ନେବା ଆବଶ୍ୟକ । ବ୍ୟବସ୍ଥାପକ ସଭାରେ  ୟୁସିସିକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । ବ୍ୟବସ୍ଥାପକ ସଭାର କିଛି ସଦସ୍ୟ ଏହାକୁ  ବିରୋଧ କରିଥିଲା ବେଳେ ଚିଠା କମିଟିର  ଅଧ୍ୟକ୍ଷ ଡକ୍ଟର ବି.ଆର ଆମ୍ବେଦକର ୟୁସିସିକୁ  ଦୃଢ଼ ସମର୍ଥନ କରିଥିଲେ । ଲୌହମାନବ  ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଡକ୍ଟର ରାଜେନ୍ଦ୍ର  ପ୍ରସାଦ, ଟି କ୍ରିଷ୍ନାମାଚାରୀ ଓ ମୌଲାନା  ହସ୍‌ରତ ମୋହାନିଙ୍କ ଭଳି ନେତାମାନେ  ତାକୁ ସମର୍ଥନ କରିଥିଲେ । ସୁପ୍ରିମକୋର୍ଟ  ମଧ୍ୟ ପୂର୍ବରୁ ବିଭିନ୍ନ ମାମଲାର ଶୁଣାଣି ବେଳେ  ଦେଶ ପାଇଁ ୟୁସିସିର ଆବଶ୍ୟକତା ଥିବା  ଦର୍ଶାଇଥିଲେ ବୋଲି ଜଷ୍ଟିସ କୁମାର କହିଛନ୍ତି ।