ବେଙ୍ଗାଲୁରୁ: କର୍ଣ୍ଣାଟକର ସମବାୟ ମନ୍ତ୍ରୀ କେ.ଏନ. ରାଜନ୍ନା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ରାଜନ୍ନା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ଭୋଟର ତାଲିକାରେ ହେରଫେର ନେଇ ନିଜ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇ ଚର୍ଚ୍ଚାକୁ ଆସିଥିଲେ ରାଜନ୍ନା । ସେ ସର୍ବସାଧାରଣରେ ସ୍ୱୀକାର କରିଥିଲେ ଯେ, କଂଗ୍ରେସ ସରକାରଙ୍କ କାର୍ଯ୍ୟକାଳରେ ଭୋଟର ତାଲିକାରେ ଅନିୟମିତତା ହୋଇଥିଲା ।
ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଜଣେ ଘନିଷ୍ଠ ସହଯୋଗୀ ରାଜନ୍ନା । ଭୋଟର ତାଲିକା ହେରଫେର ସମ୍ପର୍କରେ ଦଳର ନୀରବତା ଉପରେ ସେ ପ୍ରଶ୍ନ ଉଠାଇଥିଲେ । ରାଜନ୍ନାଙ୍କ ମନ୍ତବ୍ୟ ରାଜନୈତିକ ବିବାଦ ସୃଷ୍ଟି କରିଥିଲା । ପରେ କଂଗ୍ରେସ ହାଇକମାଣ୍ଡ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି । ଗତ ସପ୍ତାହରେ ବେଙ୍ଗାଲୁରୁରେ ଆୟୋଜିତ ଏକ ରାଲିରେ ରାହୁଲ ଗାନ୍ଧୀ ଭାରତୀୟ ନିର୍ବାଚନ କମିଶନ (ECI)ଙ୍କ ଉପରେ ପକ୍ଷପାତିତାର ଅଭିଯୋଗ ଆଣିଥିଲେ । ବେଙ୍ଗାଲୁରୁ ସେଣ୍ଟ୍ରାଲ ଭଳି ପ୍ରମୁଖ ନିର୍ବାଚନମଣ୍ଡଳୀରେ ଦଳର ପରାଜୟ ପାଇଁ ଭୋଟର ତାଲିକାରେ ଥିବା ବିସଙ୍ଗତିକୁ ଦାୟୀ କରିଥିଲେ ।
ସେହି ସମୟରେ ରାଜନ୍ନା ପାଲଟା ଜବାବ ଦେଇ କହିଥିଲେ ଯେ, ଦଳ ମଧ୍ୟ ଦାୟିତ୍ୱ ନେବା ଉଚିତ । ସାମ୍ବାଦିକମାନଙ୍କ ପ୍ରଶ୍ନରେ ରାଜନ୍ନା କହିଥିଲେ, ‘ଆମକୁ ମନେ ରଖିବା ଉଚିତ ଯେ, ଆମ ନିଜ ସରକାର କ୍ଷମତାରେ ଥିବା ସମୟରେ ଭୋଟର ତାଲିକା ସଂଶୋଧନ କରାଯାଇଥିଲା। ସେତେବେଳେ ଆମ ଦଳ କାହିଁକି ଆଖି ବୁଜି ଦେଇଥିଲା ? ଏହା ସତ୍ୟ ଯେ, ଅନିୟମିତତା ହୋଇଛି । କିନ୍ତୁ ଏସବୁ ଆମ ଜାଣତରେ ଘଟିଥିଲା, ଯାହା ଆମ ପାଇଁ ଅପମାନଜନକ ।
ସେ କହିଥିଲେ ଯେ, ଭୋଟର ତାଲିକା ଭଳି ପ୍ରସଙ୍ଗରେ ସମୟୋଚିତ ପଦକ୍ଷେପ ନେବା ଆମର ଦାୟିତ୍ୱ । ଆମେ ଏହାକୁ ତଦାରଖ ନକରିବା ଆମ ପାଇଁ ଲଜ୍ଜାର ବିଷୟ । ସେପଟେ ରାଜନ୍ନାଙ୍କ ମନ୍ତବ୍ୟକୁ ଶିବକୁମାର ଶିବିରର ସଦସ୍ୟମାନେ ଅସ୍ତ୍ର ଭାବରେ ବ୍ୟବହାର କରିଥିଲେ । ତାଙ୍କ ସହ ଅନ୍ୟ ବରିଷ୍ଠ ନେତାଙ୍କ ଉପରେ ଦଳୀୟ ସ୍ୱାର୍ଥ ବିରୁଦ୍ଧରେ କାମ କରିବାର ଅଭିଯୋଗ ଆଣିଥିଲେ । ସିଦ୍ଧରମୈୟା ଏବଂ ଶିବକୁମାରଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚାଲିଥିବା ବଡ଼ ସଂଘର୍ଷ ମଧ୍ୟରେ କର୍ଣ୍ଣାଟକ କଂଗ୍ରେସରେ ଆଭ୍ୟନ୍ତରୀଣ ବିବାଦ ସାମ୍ନାକୁ ଆସିଥିଲା ।