ବାଙ୍ଗାଲୋର, ୧୯/୨ : ପୂର୍ବରୁ କୁହାଯାଉଥିଲା କି, ଚାଷ କାମ ଯାହାର କେଡ଼େ ସୁଖ ତାହାର । କିନ୍ତୁ ଏବେ ଯୁବପିଢ଼ିମାନେ ଚାଷରୁ ଧିରେ ଧିରେ ମୁହଁ ଫେରାଉଛନ୍ତି । ଆଉ ଯେଉଁମାନେ ଚାଷ କରି ପରିବାର ପୋଷୁଛନ୍ତି ସେମାନେ କେତେ କଷ୍ଟରେ ଚଳୁଛନ୍ତି ତାହା ସମସ୍ତଙ୍କୁ ବେଶ ଭଲଭାବେ ଜଣା । ତେବେ ଚାଷ କରୁଥିବା ପୁଅଙ୍କୁ ବାହା ହେବାକୁ ଝିଅମାନେ ରାଜି ହେଉନଥିବା କୁହାଯାଉଛି । ଯେଉଁ କାରଣରୁ କର୍ଣ୍ଣାଟକର ରଙ୍ଗାନାଥ ନାମକ ଜଣେ ବିଧାୟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କୁ ଏନେଇ ଏକ ଚିଠି ଲେଖିଛନ୍ତି । ଯେଉଁଥିରେ ସେ ପ୍ରକାଶ କରିଛନ୍ତି କି, ଚାଷ କାମ କରୁଥିବା ପୁଅଙ୍କୁ ବିବାହ କରିବାକୁ ରାଜିଥିବା ଝିଅଙ୍କୁ ଭତ୍ତା ଦିଆଯାଉ ।

କୁନିଗଲ ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇଥିବା ରଙ୍ଗନାଥ ଚିଠିରେ ପ୍ରକାଶ କରିଛନ୍ତି କି, ଗାଁରେ ରହୁଥିବା ଚାଷୀ ପୁଅକୁ ବାହା ହେବାକୁ ଝିଅ ମିଳୁନାହାନ୍ତି । ଏପରିକି ୩୦ରୁ ବର୍ଷରୁ ଅଧିକ ହୋଇଗଲେ ଆଉ ବାହାଘର ପାଇଁ ଝିଅ ରାଜି ହେଉନାହାନ୍ତି । ଯେଉଁକାରଣରୁ ଅନେକ ଚାଷ କାମ କରୁଥିବା ପୁଅମାନେ ମଧ୍ୟ ଅବିବାହିତ ରହିଯାଉଛନ୍ତି । ଅନ୍ନଦାତାଙ୍କୁ ବିବାହ କରିବାକୁ ରାଜି ହେଉଥିବା ଝିଅଙ୍କ ପାଇଁ ଏକ ସ୍ବତନ୍ତ୍ର ମାନ୍ୟତା ସହ ସ୍ବତନ୍ତ୍ର ଭତ୍ତା ପ୍ରଦାନ କଲେ ଝିଅମାନେ ବିବାହ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ ବୋଲି ସେ ଚିଠିରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଅନେକ ଚାଷୀ ପରିବାର ପକ୍ଷରୁ ଅଭିଯୋଗ ହୋଇଛି କି, ଝିଅ ଖୋଜିବାରେ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚାଷୀମାନେ ବିଭିନ୍ନ ସମୟରେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଏଣୁ ସରକାରଙ୍କ ପକ୍ଷରୁ ଏଭଳି କିଛି ସ୍ବତନ୍ତ୍ର ସୁବିଧା ପ୍ରଦାନ କରାଯାଉ ।

ଏହାସହ ପଢ଼ନ୍ତୁ : ଅବସର ପରେ WWE ଫାଇଟର ହୋଇଥାନ୍ତେ ଫ୍ଲିଣ୍ଟଫ୍, କିନ୍ତୁ...