ବେଙ୍ଗାଲୁରୁ, ୯।୭: କର୍ଣ୍ଣାଟକର ଉତ୍ତର କନ୍ନଡ଼ ଜିଲ୍ଲାରୁ ଏକ ହୃଦୟବିଦାରକ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଏକ ଦ୍ରୁତଗାମୀ ଟ୍ରକ୍ ଏବଂ କ୍ରୁଜର ଗାଡ଼ି ମଧ୍ୟରେ ସାଂଘାତିକ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ହିଁ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅନ୍ୟ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣାଟି ଉତ୍ତର କନ୍ନଡ଼ ଜିଲ୍ଲା ୟେଲ୍ଲାପୁରା ତାଲୁକାର ଅରାବଲ୍ ଘାଟି ନିକଟରେ ଘଟିଛି । ଏକ କ୍ରୁଜର ଗାଡ଼ିରେ ମୋଟ ୯ ଜଣ ଯାତ୍ରୀ ଧାରୱାଡ୍‌ରୁ ଅଙ୍କୋଲା ଅଭିମୁଖେ ଯାଉଥିଲେ । ସେମାନେ ବୁଧବାର ବିଳମ୍ବିତ ରାତିରେ ଧର୍ମସ୍ଥଳ ଏବଂ ଚିକମଗାଲୁର ଭ୍ରମଣ ପାଇଁ ବାହାରିଥିଲେ ।

ଏହା ବି ପଢ଼ନ୍ତୁ... "ଗୋଟିଏ କମେଣ୍ଟ... ସିଧା ଜେଲ ! ସୋସିଆଲ ମିଡିଆରେ ଲେଖିବା ପୂର୍ବରୁ ଜାଣନ୍ତୁ କଠୋର ନିୟମ।"

ତେବେ ଗାଡ଼ିଟି ଅରାବଲ୍ ଘାଟିର ବାଲଗର ଅଞ୍ଚଳରେ ପହଞ୍ଚିବା ସମୟରେ, ସାମ୍ନା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ସହ ଜୋରଦାର ଧକ୍କା ହୋଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ କ୍ରୁଜର ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ଚୁରମାର୍ ହୋଇଯାଇଥିଲା । ଗାଡ଼ିର ମାଡ଼ ଏତେ ଶକ୍ତ ଥିଲା ଯେ, କ୍ରୁଜର ଭିତରେ ଥିବା ଲୋକଙ୍କୁ ବାହାରିବାକୁ ସୁଯୋଗ ସୁଦ୍ଧା ମିଳିନଥିଲା । ଫଳରେ ୭ ଜଣଙ୍କର ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଉଡ଼ିଯାଇଥିଲା। ସ୍ଥାନୀୟ ଲୋକ ଏବଂ ପୋଲିସ ସାହାଯ୍ୟରେ ଗୁରୁତର ୨ ଜଣଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି । ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ୟେଲ୍ଲାପୁର ସରକାରୀ ମାଲଖାନାକୁ ପଠାଯାଇଛି ।

ଗାଡ଼ିରେ ଥିବା ସମସ୍ତ ଯୁବକ ପ୍ରସିଦ୍ଧ ଫୁଡ୍ ଡେଲିଭରି ଆପ୍ ସ୍ୱିଗିରେ ପାର୍ଟ-ଟାଇମ୍ ଡେଲିଭରି ବୟ ଭାବେ କାମ କରୁଥିଲେ । ଏହି ଭୟଙ୍କର ଦୁର୍ଘଟଣା ପରେ ୟେଲ୍ଲାପୁର ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି । ଟ୍ରକ୍ ଚାଳକର ବେପରୁଆ ଗାଡ଼ି ଚାଳନା କିମ୍ବା ଘାଟି ରାସ୍ତାରେ ନିୟନ୍ତ୍ରଣ ହରାଇବା ଯୋଗୁଁ ଏହି ଅଘଟଣ ଘଟିଥାଇପାରେ ବୋଲି ପ୍ରାଥମିକ ଅନୁମାନ କରାଯାଉଛି । ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।