ରାଇ ଦାମୋଦର ବନ୍ଦନା
"ଜୟ ଜୟ ଦାମୋଦର ମୂରତି,
ଜୟ ଜୟ ରମଣ ଯଦୁପତି।
ଜୟ ନିଳାଦ୍ରୀ ନୀଳଗିରି ବାସୀ,
ଜୟ ଜଗନ୍ନାଥ ହୃଷୀକେଶୀ।
ଶୁଣ ସୁଜନେ କରି ଏକମନ,
ଏହୁ ବାଳ ଧୂପ ବୋଲି ଗହନ।
କୋଟି ଜନ୍ମର ପାତକେ ଖଣ୍ଡିବୁ,
ଅନ୍ତେ ବୈକୁଣ୍ଠପୁରକୁ ଗମିବୁ।"
ପୁରୀ, ୩/୧୦ : କାର୍ତ୍ତିକ ମାସରେ ଶ୍ରୀଜୀଉମାନଙ୍କ ରାଧା ଦାମୋଦର ବେଶ ହୋଇଥାଏ। ଏହି ବେଶ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ। ଏହି ବେଶରେ ମହାପ୍ରଭୁଙ୍କୁ ଏକ ବିଶେଷ ଭୋଗ ଲାଗିଥାଏ ଯାହା ବାଳ ଧୂପ ନାମରେ ପରିଚିତ । ସକାଳ ଧୂପ ପରେ ବାଳଧୂପ ନୀତିରେ ସାଧାରଣତ କୋରା , ଦୋଭଜା , ଲିଆ , ଅଦା , ଖଇ , ନଡିଆ , ଖୁଦି , ଚାଉଳିଆ , ସେଓ , କମଳା , କଦଳୀ , କାକୁଡ଼ି , ପଇଡ଼ ଆଦି ଭୋଗ ହୋଇଥାଏ । ପରମ୍ପରା ଅନୁଯାୟୀ ଏହି ସମୟରେ ବଡ଼ ଛତା ମଠ ତରଫରୁ ସଙ୍ଗୀତ ଗାନ ଓ ରାଧାକାନ୍ତ ମଠ ତରଫରୁ ସଂକୀର୍ତ୍ତନ ହୋଇଥାଏ।
ଭକ୍ତ କ୍ରନ୍ଦନରେ ଶ୍ରୀଜଗନ୍ନାଥ ହୋଇ ଉଠନ୍ତି କଳ୍ପତରୁ । କେବେ ବିଦୁର ଘରେ ଶାଗ ପଖାଳ ଖାନ୍ତି କେବେ ଦ୍ରୌପଦୀକୁ କୋଟି ବସ୍ତ୍ର ପ୍ରଦାନ କରନ୍ତି । ଭକ୍ତ ସେବକ ତଳିଛ ମହାପାତ୍ର କଥା ରଖିବା ପାଇଁ ମହାପ୍ରଭୁ ଶିରରେ ଚୁଳବି ଅଣିଦେଇଥିଲେ । ଏହି ବାଳ ଧୂପ ସମ୍ପର୍କରେ ଏକ ଜନଶ୍ରୁତି ରହିଛି । ଗଜପତି ପ୍ରତାପରୁଦ୍ରଦେବଙ୍କ ଶାସନ ସମୟ । ଏକଦା ତଳୁଚ୍ଛ ନାରାୟଣ ମହାପାତ୍ର ନାମରେ ଜଣେ ସେବକ ଦ୍ୱିପ୍ରହର ଧୂପ ଶେଷ ପରେ ମଇଲମ କରି ମହାପ୍ରଭୁଙ୍କ ନାସାରୁ ଗୁଣାଟି ନେଇ ଲାବଣ୍ୟବତୀ ଦେବଦାସୀଙ୍କୁ ପ୍ରଦାନ କଲେ। ଏହି ଘଟଣା ପରେ, ରାଜକର୍ମଚାରୀଙ୍କଠାରୁ ଖବର ପାଇ ଗଜପତି ମହାରାଜା ସନ୍ଧ୍ୟା ଆଳତି ସମୟରେ ଶ୍ରୀମନ୍ଦିରକୁ ବିଜେ କଲେ। ଗଜପତିଙ୍କ ବିଜେ ଖବର ଶୁଣି, ସେଦିନର ପାଳିଆ ପୁଷ୍ପାଳକ ଥିବା ତଳିଛ ମହାପାତ୍ର ଲାବଣ୍ୟବତୀଙ୍କଠାରୁ ଗୁଣାଟିକୁ ତୁରନ୍ତ ନେଇଆସି ସିଂହାସନ ପାଖରେ ରଖିଦେଲେ। ଯଥାସମୟରେ ସନ୍ଧ୍ୟା ଆଳତି ଦର୍ଶନ ସାରି ରାଜା ଫେରିବା ବେଳେ ତଳିଛ ମହାପାତ୍ର ଗୁଣାଟିକୁ ରାଜାଙ୍କ ହାତକୁ ବଢ଼ାଇ ଦେଲେ। ଗଜପତି ମହାରାଜା ଶ୍ରୀନଅରରେ ପହଞ୍ଚି ମହାରାଣୀଙ୍କୁ ଗୁଣାଟିକୁ ଉପହାର ଦେଲେ।
ରାଣୀ ଗୁଣାଟିକୁ ନେବା ସମୟରେ ଦେଖିଲେ, ସେଥିରେ ଏକ ଲମ୍ବା କେଶ ଲାଗିଛି। ମନଦୁଃଖରେ ସେ ରାଜାଙ୍କୁ ସେକଥା ଜଣାଇଲେ। ତଳିଛଙ୍କୁ ସଙ୍ଗେସଙ୍ଗେ ଶ୍ରୀନଅରକୁ ଡକାଗଲା। ସେବାରେ ତ୍ରୁଟି କରିଥିବାରୁ ସେ ଦଣ୍ଡ ପାଇବେ ବୋଲି ତାଗିଦ କରାଗଲା। ତଳିଛ ରକ୍ଷା ପାଇବାକୁ କହିଲେ-
" ମଣିମା ମହାପ୍ରଭୁଙ୍କ ତ୍ରିମୁଣ୍ଡିରେ କେଶ ଅଛି "
ମହାପ୍ରଭୁଙ୍କ ଶ୍ରୀମସ୍ତକରେ କେଶଗୁଚ୍ଛ ରହିଛି । ଏକଥା ଶୁଣି ରାଜା ଆଶ୍ଚର୍ଯ୍ୟ ଚକିତ ହୋଇ କହିଲେ- ଆସନ୍ତାକାଲି ସକାଳ ଧୂପ ସମୟରେ ଆମ୍ଭେ ପ୍ରତ୍ୟକ୍ଷ ହୋଇ ପ୍ରଭୁଙ୍କ କେଶ ଦେଖିବୁ । ସେବକ ଏହାଜାଣି ତାର ନିଦ ହଜିଗଲା, ଆକୁଳତା ବଢିଗଲା ଧାର ଧାର ହୋଇ ଲୁହ ଝରିଲା । ତଳୁଚ୍ଛ ନାରାୟଣ ମହାପାତ୍ର ବିଷାଦଗ୍ରସ୍ତ ହୋଇ ମହାପ୍ରଭୁଙ୍କ ନିକଟରେ ଶରଣା ଗତ ହେଲେ ଓ ନିଜର କର୍ମ ନିମନ୍ତେ ଅନୁତାପ କରିବା ସହ ପ୍ରାର୍ଥନା ମଧ୍ୟ କଲେ ।
"ଭଲା ଜଗନ୍ନାଥଙ୍କ କଥା ଥାଉ।
ଆମ୍ଭ ଜାତି ଜୀବନ ପଛେ ଯାଉ ।।
ଆଉ ପ୍ରଭୁ ପଣ କେତେ ବେଳେକୁ।
ଯାହା ନୋହେଲା ଏମନ୍ତକାଳକୁ।।
କେହି ଡାକନ୍ତି ରଖ ନାରାୟଣ ।
ଆହେ ନୃପତି ମାନ ଉଦ୍ଧାରଣ ।।
କେହୁ ବୋଲେ ଗଜେନ୍ଦ୍ର ମୋକ୍ଷଦାତା ।
ରଖ ଶ୍ରୀ ଜଗନ୍ନାଥ ଫେଡ଼ି ଚିନ୍ତା ।। "
ପ୍ରାର୍ଥନା କରି ତଳୁଚ୍ଛ ସେହି ଦିନ ରାତ୍ରୀରେ ଶୟନ କଲେ। ଭକ୍ତଙ୍କ ବ୍ୟାକୁଳତା ମହାପ୍ରଭୁଙ୍କୁ ଅସ୍ଥିର କଲା । ରାତ୍ରୀ ୩ ଘଡ଼ିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କୁ ସ୍ୱପ୍ନରେ କୁହନ୍ତି ,
" ଆଜ୍ଞାଦେଲେ ହୋ ଭାଲୁଛ କାହିଁକି।
ଆମ୍ଭ ତ୍ରିମୁଣ୍ଡିରେ ବାଳ ନାହିଁକି ।।
ଚୂଳ ଯଶୋଦା ବନ୍ଧୁଥିଲେ କାହିଁ ।
ଯେବେ ଆମ୍ଭ ତ୍ରିମୁଣ୍ଡିରେ ବାଳ ନାହିଁ।।
କୌଶଲ୍ୟା କେଉଁ ବାଳ ବାନ୍ଧିଲେ ।
କେଉଁ ରୂପେ ଗଭାମାନ ଖଞ୍ଜିଲେ ।।
ତୁମ୍ଭେ ଜାଣୁ ଜାଣୁ ବଣା ହେଉଛ ।
ଏହା ବିଚାରି ଧଉର୍ଯ୍ୟ ନୋହୁଛ ।।
ରାଜା ବାଳକୁ କରିଛି କଟାଳ ।
କାଲି ସକାଳୁ ଦେଖଇବ ବାଳ।। "
ଏହା ସ୍ୱପ୍ନରେ ଦେଖି ତଳୁଚ୍ଛ ଉଠିବସିଲେ , ମହାପ୍ରଭୁଙ୍କୁ ନମସ୍କାର କରି ନିଜ ନିତ୍ୟ କର୍ମ ସାରି ଦେଉଳକୁ ବାହାରିଲେ ସେବା ପୂଜା କରିବା ଲାଗି। ତତ୍ପର ଦିନ ଅବକାଶ ନୀତି ବଢି ମହାପ୍ରଭୁଙ୍କ ରାଧାଦାମୋଦର ବେଶ ହେଲା । ଏଣେ ମହାପ୍ରଭୁଙ୍କ ତ୍ରିମୁଣ୍ଡିରେ ବାଳ ଦେଖି ସମସ୍ତେ ଆଚମ୍ୱିତ । ସକାଳ ଧୂପ ବଢ଼ିଲା ପରେ ଗଜପତି ଆସି ବଡ଼ଦେଉଳର ପହଁଚିଲେ ତଳୁଚ୍ଛଙ୍କ ମିଥ୍ୟାକୁ ପରୀକ୍ଷା କରିବା ଲାଗି। ଏହି ସମୟରେ ତଳୁଚ୍ଛ ଆସି ଗଜପତିଙ୍କୁ ଗର୍ଭଗୃହ ମଧ୍ୟକୁ ନେଇଗଲେ ଓ ତାଙ୍କୁ ତ୍ରିମୁଣ୍ଡିରେ ବାଳ ଦେଖାଇଲେ।
ଗଜପତି ମହାପ୍ରଭୁଙ୍କ ତ୍ରିମୁଣ୍ଡିରେ ବାଳ ଦେଖି ଆଶ୍ଚର୍ଯ୍ୟ ହେଲେ ତେବେ ତାଙ୍କୁ ସନ୍ଦେହ ହୋଇଥିଲା ତେଣୁ ସେ କିଛି ବାଳକୁ ଓପାଡି ଦେଇଥିଲେ । ଧାର ଧାର ହୋଇ ରକ୍ତ ବହିଆସି ଶ୍ରିମୁଖକୁ ସିକ୍ତ କଲା । ଗଜପତିଙ୍କ ଜ୍ଞାନ ହଜିଗଲା, ଅପରାଧି ମନେକାରି ବିଳାପ କାରିବାକୁ ଲାଗିଲେ ।
" ଧରି ତ୍ରିମୁଣ୍ଡି ଠାରୁ ସେ ଚିକୁର ।
ଟେକି ଦିଅନ୍ତେ କର୍କଶି ଉପର।।
ତତ କ୍ଷଣେ ରୁଧିର ଜର ଜର ।
ବହି ପଡିଲା ଶ୍ରୀମୁଖ ମଣ୍ଡଳ।।
ଯେହ୍ନେ କଳା ମେଘରୁ ରଙ୍ଗଜଳ ।
ବହି ପଡିଲା ଶ୍ରୀମୁଖ ମଣ୍ଡଳ।।
ଦେଖି ନୃପତିର ଜ୍ଞାନ ବୁଡ଼ିଲା ।
କାଟିଦେଲା ବୃକ୍ଷ ପ୍ରାୟ ପଡିଲା।।
ପଡି ଶିରେ ତାଡ଼ଇ ବେନି ପାଣି।
ବାବୁ କି ଅପରାଧ କଲି ନଜାଣି।।
କ୍ରୋଧେ ବୋବାଳି ପାଡି ଥରହର।
ଏବେ କେମନ୍ତେ ରହିବ ରୁଧିର।।"
ତଳୁଚ୍ଛଙ୍କ ପାର୍ଥନାରେ ରକ୍ତ କ୍ଷରଣ ବନ୍ଦ ହେଲା । ଶ୍ରିନହରରେ ମହାରାଜ ଦୁ୍ଃଖ ଓ ସନ୍ତପାରେ ରହିଲା ପରେ ତୃତୀୟ ଦିନ ରାତିରେ ମହାପ୍ରଭୁ ରାଜାଗ୍କୁ ସ୍ବପ୍ନରେ ଅଜ୍ଞାଦେଲେ -
ଏବେ ଅପରାଧ କ୍ଷମା ହେଲା ।
ତୋର ବାଳ ଅପ୍ରାଧେ ବାଳଭୋଗ କର ।।
ସେହିଦିନଠାରୁ ଏଯାଏ, ଶ୍ରୀମନ୍ଦିରରେ କାର୍ତ୍ତିକ ମାସରେ ବାଳଧୂପ ଭୋଗ ଅନୁଷ୍ଠିତ ହୋଇଆସୁଅଛି। ଭକ୍ତ ନିମନ୍ତେ ମହାପ୍ରଭୁଙ୍କ ଏହି ଅଦ୍ଭୁତ ଲୀଳାକୁ ମନେ ରଖିବାକୁ ଯାଇ ସେହି ଦିନ ଠାରୁ ବାଳ ଧୂପର ପ୍ରଚଳନ ହେଲା ଯାହା ସକାଳ ଧୂପ ପରେ ହୋଇଥାଏ। ସକାଳ ଧୂପ ସମୟରେ ଷୋଡଶ ଉପଚାର ରେ ମଣୋହି ହେଲା ପରେ ପୂଜାପଣ୍ଡା ସେମିତି ସିଂହାସନ ଉପରେ ବସିଥାନ୍ତି । ତଳେ ମହାପ୍ରସାଦ ଉଠି ପାଣି ପଡିଲା ପରେ ବାଳଧୂପ ପଞ୍ଚ ଉପଚାର ରେ ଅନୁଷ୍ଠିତ ହୋଇଥାଏ । ପରମ୍ପରାକ୍ରମେ ବାଳଧୁପ ନିର୍ଦ୍ଧଷ୍ଟ ମଠ ମଧ୍ୟ ବାଳଧୁପ ନିମନ୍ତେ ଭୋଗସାମଗ୍ରି ଶ୍ରୀମନ୍ଦିରକୁ ପଠାଯାଉଛି ।