ଭୁବନେଶ୍ୱର,୦୮/୧୦:  ତୋରଣରେ ଝଲସିବ କାଠମାଣ୍ଡୁର ବୁଦ୍ଧ ମନ୍ଦିର । ଏକାମ୍ର କ୍ଷେତ୍ରରେ  ରାଜଧାନୀବାସୀ ପାଇବେ ନେପାଳର  ଅନୁଭୂତି । କେବଳ ସେତିକି ନୁହେଁ, ୪  ଦିନ ଧରି ଚାଲିବ ସାଂସ୍କୃତିକ କାର୍ଯ୍ୟକ୍ରମ ।  ମୁଖ୍ୟ ଆକର୍ଷଣ ସାଜିବ ବରିଷ୍ଠ  ନାଗରିକମାନଙ୍କ ଦ୍ୱାରା ‘ମହିଷାମର୍ଦ୍ଦିନୀ’  ଗୀତିନୀଟ୍ୟ ପରିବେଷଣ । ଯେଉଁଥିରେ  ବରିଷ୍ଠ ନାଗରିକମାନେ ଜୀବନ୍ତ ଅଭିନୟ  କରିବେ । ଏଭଳି ନିଆରା ଢଙ୍ଗରେ ମା’  ଙ୍କୁ ଆବହାନ କରୁଛି ଡୁମୁଡୁମା ଦୁର୍ଗାପୂଜା  ସମିତି । 

ଚଳିତ ବର୍ଷ ଏହି ସମିତି ୨୨ ବର୍ଷରେ  ପଦାର୍ପଣ କରିଛି । ପ୍ରତିବର୍ଷ ଭଳି ଚଳିତ  ବର୍ଷ ତୋରଣରେ ଦର୍ଶକଙ୍କୁ ବିମୋହିତ  କରିବାକୁ ନିର୍ମାଣ ହେଉଛି କାଠମାଣ୍ଡୁର  ବୁଦ୍ଧ ମନ୍ଦିର ସଦୃଶ ତୋରଣ । ଏଥିପାଇଁ  ପ୍ରାୟ ୩୦ ଜଣ ବଙ୍ଗୀୟ କାରିଗର  ଦିନରାତି କାମରେ ଲାଗିଛନ୍ତି । ତୋରଣର  ଓସାର ୬୦ ଫୁଟ ଓ ଉଚ୍ଚତା ୮୦ ଫୁଟ  ରହିବ । ସେହିଭଳି ମା’ ଙ୍କ ପ୍ରତିମା ୧୪  ଫୁଟ ଓ ମେଢ ୧୮ ଫୁଟ ହେବ । ଚଳିତ  ବର୍ଷ ମା’ ଙ୍କ ସହ ପାଶ୍ୱର୍ ଦେବଦେବୀ  ଚାନ୍ଦି ମୁକୁଟ ଓ ରାଣୀହାର ପିନ୍ଧି ଭକ୍ତଙ୍କୁ  ଦର୍ଶନ ଦେବେ । 

ସପ୍ତମୀଠାରୁ ନବମୀ  ପର୍ଯ୍ୟନ୍ତ ମା’ଙ୍କ ପାଖରେ ଅନ୍ନ, ଡାଲମା,  ଖଟା ଓ ଖୀରି ଭୋଗ ହେବ । ନବମୀ  ଦିନ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନ  ବ୍ୟବସ୍ଥା କରାଯାଇଛି । ଦଶମୀ ଦିନ  ରାତିରେ ପଣା ଭୋଗ କରାଯାଇ ମା’ ଙ୍କ  ପୂଜାବିଧି ସମାପ୍ତ କରାଯିବ । ସପ୍ତମୀ  ଦିନ ଗୀତିନାଟ୍ୟ, ଅଷ୍ଟମୀ ଦିନ  ଗ୍ରୁପ୍‌ ଡ୍ୟାନ୍ସ, ନବମୀ ଦିନ  ମେଲୋଡ଼ି, ଦଶମୀରେ  ନୟାଗଡ଼ର ନବରଙ୍ଗୀ  ହାସ୍ୟରସାତ୍ମକ ନାଟକ  ପରିବେଷଣ କରାଯିବ।