କେନ୍ଦୁଝର ସଦର ,୨୭/୭(ଆପ୍ର): ମାଇଲେଜ ଭତ୍ତା କଟିବା ନେଇ କେନ୍ଦୁଝରଗଡ଼ ରେଳ କର୍ମଚାରୀଙ୍କ ସାଧାରଣ ସଭା ଅନୁଷ୍ଠିତ ହୋଇଛି। ପୂର୍ବ ନିର୍ଦ୍ଧାରିତ କିଲୋମିଟର ଅନୁଯାୟୀ ଭତ୍ତା ପ୍ରଦାନ କରିବାକୁ କେନ୍ଦୁଝରଗଡ଼ ରେଳ କର୍ମଚାରୀ ଦାବି କରିଛନ୍ତି।
ପୂର୍ବ ତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧା ରୋଡ଼ ମଣ୍ଡଳର କେନ୍ଦୁଝରଗଡ଼ରେ କାର୍ଯ୍ୟରତ ରେଳ ଚାଳକ, ସହଚାଳକ ସମେତ ଟ୍ରେନ ପରିଚାଳକ ମାନଙ୍କ ପୂର୍ବରୁ କେନ୍ଦୁଝର-ଜଖପୁରା ଓ ଜଖପୁରା- କେନ୍ଦୁଝର ରେଳ ପରିଚାଳନା ନିମନ୍ତେ ମିଳୁଥିବା ମାଇଲେଜ ଭତ୍ତାକୁ ଚଳିତ ମାସ ସତର ତାରିଖରୁ ୧୮୨ କିଲୋମିଟର ପରିବର୍ତ୍ତେ ୧୨୫ କିଲୋମିଟର ଭତ୍ତା ପ୍ରଦାନ କରାଯାଉଛି। ଯାହା ଫଳରେ କେନ୍ଦୁଝରଗଡ଼ ଓ ଜଖପୁରାରେ କାର୍ଯ୍ୟରତ ରେଳଚାଳକ, ସହଚାଳକ ଓ ଟ୍ରେନ ପରିଚାଳକ ମାନେ ଘୋର ଆର୍ଥିକ କ୍ଷତି ସହିବା ସହିତ ମାନସିକ ଦୁଶ୍ଚିନ୍ତା ଦେଇ ଗତି କରୁଛନ୍ତି। ସମସ୍ୟାର ସମାଧାନ ନିମନ୍ତେ ପୂର୍ବରୁ ରେଳ କର୍ମଚାରୀ ଓ ବିଭିନ୍ନ ଟ୍ରେଡ଼ ୟୁନିୟନ ତରଫରୁ ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ, ସିନିୟର ଡିଇଓପିଙ୍କ ସମେତ ବିଭିନ୍ନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ।
ପୂର୍ବରୁ ମିଳୁଥିବା ୧୮୨କିଲୋମିଟର ଭତ୍ତାକୁ ପୁନର୍ବାର ପ୍ରଦାନ ନିମନ୍ତେ ଅନୁଷ୍ଠିତ ହୋଇଥିବା ସଭାରେ ପୂର୍ବତଟ ରେଳପଥ ଶ୍ରମିକ ୟୁନିୟନର ସାଧାରଣ ସମ୍ପାଦକ ପିକେ ପାଟଶାଣୀ ଯୋଗ ଦେଇଥିଲେ। କର୍ମଚାରୀଙ୍କ ନ୍ୟାର୍ଯ୍ୟ ଦାବି କିପରି ମିଳି ପାରିବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ମାଇଲେଜ ଭତ୍ତାକୁ ୧୨୫କିଲୋମିଟର ପରିବର୍ତେ୍ତ ୧୮୨କିଲୋମିଟର ପ୍ରଦାନ କରିବା ଓ ଅନ୍ୟ ଡ୍ୟୁଟି ପୂର୍ବରୁ ୧୫ମିନିଟ ପରିବବର୍ତ ଆଗଭଳି ୩୦ମିନିଟ ସମୟ ପ୍ରଦାନ କରିବାକୁ ଦାବି କରିଛନ୍ତି। ଆଗାମୀ ୩୦ତାରିଖ ବୁଧବାର ସମସ୍ତ ରେଳ ଚାଳକ, ସହଚାଳକ ଓ ଟିଏମଆର ମାନେ ସାମୁହିକ ଛୁଟିରେ ଯିବା ସହିତ ଦଶ ଘଟିକାରୁ କର୍ମୀଦଳ ନିୟନ୍ତକ କାର୍ଯ୍ୟାଳୟ ସ୍ନମୁଖରେ ଧାରଣାରେ ବସିବେ। ଶ୍ରମିକ ୟୁନିୟନର ପୂର୍ଣ ସମର୍ଥନରେ ଖୋର୍ଦ୍ଧା ରେଳ ମଣ୍ଡଳର ସିନିୟର ଡ଼ିଇଇଅପିଙ୍କ ସମେତ ସିନିୟର ଡିପିଓ, ଆରପିଏଫ କେନ୍ଦୁଝରଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ ସମୟରେ ରେଳବାଇରେ କାର୍ଯ୍ୟରତ ଅନ୍ୟ ବିଭାଗର କର୍ମଚାରୀ ମାନେ ମଧ୍ୟ ନିଜ ନିଜ ସମସ୍ୟା ବିଷୟରେ ପୂର୍ବତଟ ରେଳପଥର ସାଧାରଣ ସମ୍ପାଦକଙ୍କୁ ଅବଗତ କରାଇଥିବାବେଳେ ସମସ୍ତ ସମସ୍ୟାର ନ୍ୟାୟ ପୂର୍ଣ ସମାଧାନ କରାଯିବ ବୋଲି ଶ୍ରୀଯୁକ୍ତ ପାଟଶାଣୀ କହିଥିଲେ।