ନୂଆଦିଲ୍ଲୀ – ଆଜିକା ସମୟରେ ଯେଉଁଠି ଲୋକେ ଅଳ୍ପ କିଛି ଟଙ୍କା ଉଧାର ନେଇ ମଧ୍ୟ ଫେରେଇବାକୁ ଭୁଲି ଯାଆନ୍ତି , ସେଠାରେ ତେଲେଙ୍ଗାନାର ଜଗିତ୍ୟାଲ ଜିଲ୍ଲାରୁ ସଚ୍ଚୋଟତା ଓ ବନ୍ଧୁତାର ଏକ ଏମିତି ଉଦାହରଣ ସାମ୍ନାକୁ ଆସିଛି, ଯାହାକି ସମସ୍ତଙ୍କର ହୃଦୟ ଜିତି ନେଇଛି। କେରଳରେ ରହୁଥିବା ଜଣେ ବ୍ୟକ୍ତି ୨୫ ବର୍ଷ ପୂର୍ବେ ନେଇ ଥିବା ଋଣକୁ ଶୁଝିବା ପାଇଁ ଶହ ଶହ କିଲୋମିଟରର ପଥ ଅତିକ୍ରମ କରି ତେଲେଙ୍ଗାନାରେ ପହଞ୍ଚି ଥିଲେ। ଉକ୍ତ ଘଟଣା ପୂରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
କେରଳର ପଲକ୍କଡ ନିବାସୀ ମହମ୍ମଦ ଇସ୍ମାଇଲ ଓ ତେଲେଙ୍ଗାନାର ଜଗିତ୍ୟାଲ ଜିଲ୍ଲାର ଧର୍ମପୁରୀ ନିବାସୀ ଏଡଲା ଲଚ୍ଛନ୍ନ ପ୍ରାୟ ୨୫ ବର୍ଷ ପୂର୍ବେ ସାଉଦୀ ଆରବର ଏକ କମ୍ପାନୀରେ ଏକାଠି କାମ କରୁ ଥିଲେ। ଏହି ସମୟରେ କୌଣସି ବ୍ୟକ୍ତିଗତ ଆବଶ୍ୟକତା ଯୋଗୁଁ ଇସ୍ମାଇଲ ଲଚ୍ଛନ୍ନଙ୍କ ଠାରୁ କିଛି ଟଙ୍କା ଉଧାର ନେଇ ଥିଲେ। ଏହି ସମୟରେ ସେ ଭାରତ ଫେରବା ପରେ ଯେମିତି ହେଉ ଉଧାର ଶୁଝିବାକୁ ପ୍ରତିଶ୍ରୁତି ଦେଇ ଥିଲେ।କିଛି ସମୟ ପରେ ଉଭୟ ନିଜ ନିଜ ରାଜ୍ୟକୁ ଫେରି ଆସି ଥିଲେ। କିନ୍ତୁ ପରିସ୍ଥିତି ଏମିତି ହେଲା ଯେ, ଉଭୟଙ୍କ ସଂପର୍କ ଆଉ ରହି ନଥିଲା। ଇସ୍ମାଇଲଙ୍କ ପାଖରେ ଲଚ୍ଛନ୍ନଙ୍କର ଫୋନ ନମ୍ୱର ନଥିଲା କି ,ସଂପୂର୍ଣ୍ଣ ଠିକଣା ମଧ୍ୟ ନଥିଲା। ଏହା ସତ୍ତ୍ୱେ ସେ ନିଜର ବନ୍ଧୁଙ୍କ ଠାରୁ ନେଇ ଥିବା ଉଧାର ଟଙ୍କାକୁ କେବେ ଭୁଲି ନଥିଲେ। ଅନେକ ବର୍ଷ ଧରି ତାଙ୍କ ମନରେ ଏହି କଥା ରହିଥିଲା ଯେ, କୌଣସି ପ୍ରକାରେ ନିଜ ବନ୍ଧୁଙ୍କ ଟଙ୍କା ଫେରାଇବ।
ନିକଟରେ ଇସ୍ମାଇଲ ନିଷ୍ପତ୍ତି ନେଲେ ଯେ, ଏବେ ଯେମିତି ହେଉ ସେ ନିଜର ପ୍ରତିଶ୍ରୁତି ପୂରଣ କରିବେ। ଲଚ୍ଛନ୍ନଙ୍କ ଗାଁ ଧର୍ମପୁରୀ ବୋଲି ଏତିକି ସେ ଜାଣି ଥିଲେ। ଏହାକୁ ଏକ ସୁରାକ୍ ଆଧାରରେ ସେ ଗୁଗଲରେ ତଲାସୀ ଆରମ୍ଭ କରି ଦେଲେ ଏବଂ ଶେଷରେ ତେଲେଙ୍ଗାନାର ଦଗିତ୍ୟାଲ ଜିଲ୍ଲାରେ ପହଞ୍ଚି ଗଲେ। ସେଠାରେ ସ୍ଥାନୀୟ ଲୋକଙ୍କୁ ପଚରା ପଚରି କରି ସେ ଅନେକ ଚେଷ୍ଟା କରିବା ପରେ ଲଚ୍ଛନ୍ନଙ୍କର ଠିକଣା ଜାଣି ପାରିଲେ। ଯେବେ ଇସ୍ମାଇଲ ଘରେ ପହଞ୍ଚିଲେ , ସେତେବେଳେ ଲଚ୍ଛନ୍ନ କାମ କରିବାକୁ ଗଲ୍ଫ ଦେଶରେ ଥିଲେ। ଏହି ସ୍ଥିତିରେ ସେ ପରିବାରର ସଦସ୍ୟଙ୍କୁ ସାକ୍ଷାତ କଲେ ଏବଂ ନିଜର ପରିଚୟ ଦେଲେ। ପରେ ଲଚ୍ଛନ୍ନଙ୍କ ସହ ଫୋନରେ କଥାବାର୍ତ୍ତା କରାଗଲା। ପ୍ରଥମେ ତ ଲଚ୍ଛନ୍ନର ଉଧାର ଦେଇ ଥିବା କଥା ମନେ ନଥିଲା, କିନ୍ତୁ ଯେତେବେଳେ ସେ ନିଜର ପୁରୁଣା ବନ୍ଧୁଙ୍କ ସ୍ୱର ଶୁଣିଲେ , ସେ ଭାବପ୍ରବଣ ହୋଇ ଗଲେ ଏବଂ ଦୁହେଁ ଦୀର୍ଘ ସମୟ ଯାଏ ପରସ୍ପରର ସୁଖଦୁଃଖ ବୁଝିଲେ।
ଆହୁରି ମଧ୍ୟ ପଢନ୍ତୁ - ଘରେ ପାଣି ପଶି ଯାଉଛି, ପାଠ ପଢି ପାରୁନି ...ଡିଏମ୍ ଅଙ୍କଲ , ପ୍ଲିଜ୍ ଡ୍ରେନ୍ ତିଆରି କରାନ୍ତୁ
ଏହାପରେ ଇସ୍ମାଇଲ ଲଚ୍ଛନ୍ନଙ୍କ ପରିବାରକୁ ୨୫ହଜାର ଟଙ୍କା ନଗଦ ପ୍ରଦାନ କଲେ। ସେ କହିଥିଲେ, ଏତେ ବର୍ଷ ହେବ ତାଙ୍କ ମନରେ ଏହି ଋଣ ବୋଝ ହୋଇ ରହି ଥିଲା ଏବଂ ଏବେ ଏହାକୁ ଶୁଝି ଶାନ୍ତି ମିଳିଲା। ଲଚ୍ଛନ୍ନଙ୍କ ପରିବାର ମଧ୍ୟ ଇସ୍ମାଇଲଙ୍କ ସଚ୍ଚୋଟତା ଓ ବନ୍ଧୁତାର ଭାବନାକୁ ଖୁବ୍ ପ୍ରଶଂସା କରି ଥିଲେ। ଆଜି ଯେବେ ଲୋକେ ଉଧାର ନେଇ ଫେରାନ୍ତି ନାହିଁ, ଏମିତି ସମୟରେ ୨୫ ବର୍ଷର ପୁରୁଣା ପ୍ରତିଶ୍ରୁତି ପାଳନ କରିବା ପାଇଁ କେରଳରୁ ତେଲେଙ୍ଗାନାରେ ପହଞ୍ଚି ଉଧାର ଶୁଝିଥିବା ମହମ୍ମଦ ଇସ୍ମାଇଲ ସାବ୍ୟସ୍ତ କରି ଦେଲେ ଯେ, ପ୍ରକୃତ ବନ୍ଧୁତା , ସଚ୍ଚୋଟତା ଓ ପ୍ରତିଶ୍ରୁତି ସମୟ ଠାରୁ ବହୁତ ବଡ଼।
ସେମାନଙ୍କର ଏହି କାହାଣୀ ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ଲୋକେ ଏହାକୁ ମାନବିକତା ତଥ ପ୍ରତିଶ୍ରୁତିର ଏକ ପ୍ରେରଣାଦାୟକ ଉଦାହରଣ ବୋଲି କହୁଛନ୍ତି।