ଭବାନୀପାଟଣା, ୨୬।୫ :କଳାହାଣ୍ଡି ଜିଲ୍ଲା ପାଇଁ ଗୌରବର ମୁହୂର୍ତ୍ତ। ଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ୨୦୨୪ର ସଫଳତା ସୂଚୀରେ ଚମକିଛନ୍ତି କଳାହାଣ୍ଡିର ମାଟି। କେସିଙ୍ଗା ସହରର ଝିଅ କନକ ଜୈନ ସମଗ୍ର ରାଜ୍ୟରେ ୪ର୍ଥ ସ୍ଥାନ ଅଧିକାର କରି ଜିଲ୍ଲା ତଥା ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି। ଓପିଏସସି ପକ୍ଷରୁ ଚୂଡ଼ାନ୍ତ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଜିଲ୍ଲାରେ ଖୁସିର ଲହରୀ ଖେଳାଇ ଦେଇଛି।

କେସିଙ୍ଗା ସହରର ଗୌରୀଶଙ୍କର ମନ୍ଦିର ଗଳି ନିବାସୀ ସନ୍ତୋଷ ଜୈନ ଏବଂ ନମିତା ଜୈନଙ୍କ ପୁତ୍ରୀ ହେଉଛନ୍ତି କନକ। ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,କନକଙ୍କ ପ୍ରାଥମିକ ଶିକ୍ଷା କେସିଙ୍ଗାସ୍ଥିତ ଦ୍ରୋଣାଚାର୍ଯ୍ୟ ସ୍କୁ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ସେ ରାଜ୍ୟ ବାହାରେ ରହି ଉଚ୍ଚଶିକ୍ଷା ଗ୍ରହଣ କରିବା ସହ ଭାରତୀୟ ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତି ଜାରି ରଖିଥିଲେ। କଠିନ ପରିଶ୍ରମ ଓ ଦୃଢ଼ ସଂକଳ୍ପ ବଳରେ ଆଜି ସେ ଓଡ଼ିଶା ସିଭିଲ୍ସର୍ଭିସ୍ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। କନକଙ୍କ ଏହି ସଫଳତା ଖବର ପ୍ରସାରିତ ହେବା ପରେ କେସିଙ୍ଗା ତଥା ସମଗ୍ର କଳାହାଣ୍ଡି ଜିଲ୍ଲାରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। କନକଙ୍କ ଏହି ସଫଳତା ଆଗାମୀ ଦିନରେ ଅଞ୍ଚଳର ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ପ୍ରେରଣା ସାଜିବ ବୋଲି ସହରବାସୀ ମତ ପ୍ରକାଶ କରିଛନ୍ତି।

ଆହୁରି ପଢନ୍ତୁ : ପ୍ରକାଶ ପାଇଲା OAS ରେଜଲ୍ଟ , ବୁବୁନ ସାହୁ ଟପ୍ପର