କେସିଙ୍ଗା, ୨୯/୯ : କଳାହାଣ୍ଡି ମହାରାଜ କୌଟିଲ୍ୟଙ୍କ ଈନ୍ଦ୍ରବନର ଭୌଖଣ୍ଡା କଳା, ଭାସ୍କର୍ଯ୍ୟ, ଦେବଦେବୀ ପୀଠ ଏବଂ ପ୍ରାକୃତିକ ଶୋଭାରାଜି ମଣ୍ଡିତା ରାଜ୍ୟର ଅନ୍ୟତମ ଜିଲ୍ଲା ଭାବରେ ପ୍ରସିଦ୍ଧ କଳାହାଣ୍ଡି। ଜିଲ୍ଲାର ବିଭିନ୍ନ ସ୍ଥାନରେ ରହିଥିବା ପୀଠ ମଧ୍ୟରେ କେସିଙ୍ଗା ବ୍ଲକ୍ କୁଣ୍ଡାବନ୍ଧ ପଞ୍ଚାୟତ ଅନ୍ତର୍ଗତ ଗୁର୍ଜିମୁଣ୍ଡା ସ୍ଥିତ ଯୋଗମାୟା ଶକ୍ତି ପୀଠ ଏବଂ ଆଦ୍ୟା ପୀଠ ଗୁମ୍ଫା ହେଉଛି ଅନ୍ୟତମ। ଶକ୍ତି ଓ ଶାକ୍ତ ପରମ୍ପରାର ମିଳନ ସ୍ଥଳୀ ଏବଂ ଐତିହ୍ୟ ସମ୍ପନ୍ନ ପର୍ଯ୍ୟଟନ ସ୍ଥଳୀ ଭାବରେ ଯୋଗମାୟା ଶକ୍ତି ପୀଠ ଅନ୍ୟତମ । ବାବା ପାତାଳେଶ୍ବର ମହାଦେବ, ଯୋଗମାୟା ଏବଂ ହନୁମାନଙ୍କ ଶକ୍ତିର ଆବିର୍ଭାବ ହେତୁ ଯୋଗମାୟା ଶକ୍ତି ପୀଠକୁ ତିନୋଟି ଶକ୍ତିର ଆବିର୍ଭାବ ପୀଠ ବୋଲି ମଧ୍ୟ କୁହାଯାଏ। 

କଳାହାଣ୍ଡି ଜିଲ୍ଲା ପୂର୍ବଘାଟ ପର୍ବତମାଳାର ଐତିହାସିକ ବିରିପୁରା ପାହାଡ଼ ଦେଶରେ ରହିଛି ପ୍ରସିଦ୍ଧ ଯୋଗମାୟା ପୀଠ। ପୂର୍ବ ପୁରୁଷଙ୍କ କହିବା ଅନୁସାରେ ଏଠାରେ ପ୍ରଥମେ ଆବିର୍ଭାବ ହୋଇଥିଲେ ବାବା ପାତାଳେଶ୍ବର ଓ ତାହାର କିଛି ଦିନ ପରେ ସେବାୟତମାନଙ୍କୁ ସ୍ବପ୍ନାଦେଶ ହୋଇଥିଲା ଏବଂ ଦେବୀ ଯୋଗମାୟାଙ୍କ ଆବିର୍ଭାବ ହୋଇଥିଲା । ଯୋଗମାୟା ଦେବୀଙ୍କ ଆବିର୍ଭାବ ହେବାର କିଛି ଦିନ ପରେ ହନୁମାନଙ୍କ ଶକ୍ତି ମଧ୍ୟ ଆବିର୍ଭାବ ହୋଇଥିଲା। ଯାହାକି ଯୋଗମାୟା ଶକ୍ତି ପୀଠରେ ତ୍ରିକୋଣ ରୂପରେ ତିନି ଶକ୍ତି ଆବିର୍ଭାବ ହୋଇଛି । ପାହାଡ଼ ପର୍ବତ ଘେରା ଘଞ୍ଚ ବନାନୀ ଭିତରେ ଥିବା ଯୋଗମାୟା ଶକ୍ତି ପୀଠରୁ କିଛି ଦୂରରେ ରହିଛି ପୁରାତନ ଦେବ ଗୁମ୍ଫା । ଏହାରି ଭିତରେ ବିରାଟ ପ୍ରସ୍ତର ଖଣ୍ଡରେ ପ୍ରକଟିତ ହୋଇଛନ୍ତି ବାବା ଧବଳେଶ୍ଵର। ଯାହାକି ପଦ୍ମକଳ୍ପ ଭୀମ ଭୋଇ ମାଳିକାରୁ ପ୍ରମାଣିତ ବୋଲି କୁହାଯାଏ। ବର୍ତ୍ତମାନ ବୃଦ୍ଧି ଶିବଲିଙ୍ଗ ଭାବେ ପୂଜା ପାଉଛନ୍ତି। ଉକ୍ତ ଶିବଲିଙ୍ଗ ୨୦୦୫ ମସିହାରେ ପ୍ରାୟ ସାଢେ଼ ୩ ଫୁଟ ଉଚ୍ଚତା ଏବଂ ୯ ଫୁଟ ଗୋଲେଇ ବ୍ୟାସାର୍ଦ୍ଧ ରହିଥିବା ନେଇ ଅନୁମାନ କରାଯାଇଥିଲା ବେଳେ ବର୍ତ୍ତମାନ ତାହା ୧୩ ଫୁଟ ଉଚ୍ଚତା ଏବଂ ୩୮/୪୦ ଫୁଟ ଗୋଲେଇ ରହିଥିବା ଅନୁମାନ କରାଯାଏ। ଏଠାରେ ନୀତିକାନ୍ତି ପୂଜାର୍ଚ୍ଚନା ସବୁଦିନ ସୁଚାରୁ ରୂପେ ପରିଚାଳିତ ହେଉଛି। ଜଗନ୍ନାଥ ସଂସ୍କୃତିକୁ ଅନୁସରଣ କରି ଏଠାରେ ସମ୍ପନ୍ନ ହୁଏ ଶିବ ଓ ଶାକ୍ତ ପୂଜାର୍ଚ୍ଚନା । ତେଣୁ ଅନନ୍ୟ ଦେବୀ ପରମ୍ପରା ଓ ପ୍ରକୃତି ରାଣୀର କୁହୁକରେ ଆକୃଷ୍ଟ ହୋଇ ଏଠାକୁ ଆସିଥାନ୍ତି ଶହ ଶହ ଭକ୍ତ, ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକ । 

kesinga

ଜଣେ ପୁରୋଧାଙ୍କ କହିବା ଅନୁସାରେ ଜଗନ୍ନାଥ ସଂସ୍କୃତି ଭିତରେ ହିଁ ଯୋଗମାୟା। ଯିଏ ସୁଭଦ୍ରା ସେ ହେଉଛନ୍ତି ଯୋଗମାୟା। ତେଣୁ ୫୬ ପୀଠ ମଧ୍ୟରୁ ୫ ଗୋଟି ପୀଠର ଲୁକ୍କାୟିତ ରହିଥିବା ବେଳେ ସେଥି ମଧ୍ୟରୁ ଯୋଗମାୟା ଶକ୍ତି ପୀଠ ମଧ୍ୟ ଲୁକ୍କାୟିତ ରହିଥିବା ଅନୁମାନ କରାଯାଏ ଏବଂ ଲୋକଙ୍କ ଅନୁଭବରୁ ତାହା ଯୋଗମାୟା ଶକ୍ତି ପୀଠ ଭାବେ ବର୍ତ୍ତମାନ ପରିଚିତ ହୋଇଛି । ବୈଷ୍ଣବ ଓ ଶାକ୍ତ ଦୁଇଟି ପରମ୍ପରାକୁ ଆଧାର କରି ଏଠାରେ ସବୁ ବୈଷ୍ଣବଙ୍କ ପୂଜା ରୀତିନୀତି ହୋଇଥାଏ ଏବଂ ଶାକ୍ତଙ୍କ ପୂଜା ମଧ୍ୟ ହୋଇଥାଏ । ମୁଖ୍ୟ ପର୍ବ ଶିବରାତ୍ରି ଓ ଅମାବାସ୍ୟାରେ ଚଣ୍ଡି ପୂଜା, ବର୍ଷର ସବୁ ମାସ ସଂକ୍ରାନ୍ତିରେ ଆହୂତି, ମାସକୁ ଦୁଇଟି ଚତୁର୍ଦ୍ଦଶୀ ବେଢ଼ା, ମକର ସଂକ୍ରାନ୍ତି, ଶାମ୍ବ ଦଶମୀ ଏବଂ ମା'ଙ୍କ ଦଶହରା ନବରାତ୍ର ଓ ଚୈତ୍ର ନବରାତ୍ର ପୂଜା ଓ ବାସନ୍ତିକ ପୂଜା ମଧ୍ୟ କରାଯାଇଥାଏ । ସେହିପରି ବିଶ୍ଵଶାନ୍ତି ପାଇଁ ମାଁ ଯୋଗମାୟାଙ୍କ ନାମରେ ଗତ ୨୦୧୩ ମସିହାରୁ ଅଖଣ୍ଡ ଦୀପ ଲାଗିଛି। ଯୋଗମାୟା ଶକ୍ତି ପୀଠ ମୁଖ୍ୟ ଗେଟ୍ ସମ୍ମୁଖରେ ବିଘ୍ନରାଜ ଗଣେଶ ମୂର୍ତ୍ତି ଏବଂ ଚତୁଃପାର୍ଶ୍ୱରେ ମାଙ୍କ ରକ୍ଷକ ଚଣ୍ଡ ଭୈରବ, ଜେନା ଦେବ, ଗଙ୍ଗା ଦେବୀ, ଡଙ୍ଗରବିର, ଗ୍ରାମ ଦେବୀ ତଥା ଦକ୍ଷିଣ କାଳୀ ପୂଜା ପାଉଛନ୍ତି।

w

କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣା ଠାରୁ ଜାତୀୟ ରାଜପଥରେ ୩୫ କିଲୋମିଟର ଦୂରରେ ରହିଛି ଗୁର୍ଜିମୁଣ୍ଡା ଗାଁ । ଗୁର୍ଜିମୁଣ୍ଡା ଗାଁ ବିରିପୁରା ପାହାଡ଼ ନିକଟରେ ରହିଛି ଯୋଗମାୟା ପୀଠ ।‌ ଏଠାରୁ ମାତ୍ର ୧୩ କିଲୋମିଟର ଦୂରରେ ରହିଛି କେସିଙ୍ଗା ରେଲୱେ ଷ୍ଟେସନ । ତେଣୁ ରେଳ ଯୋଗେ ଆସୁଥିବା ଯାତ୍ରୀ ଏଠାକୁ ଗାଡି ଭଡ଼ା କରି ଆସିବା ଖୁବ୍ ସହଜ । ଯୋଗମାୟାଙ୍କୁ ଘେରି ରହିଥିବା ବନାନୀକୁ ଅଧିକ ଆକର୍ଷଣୀୟ ରୂପ ଦେଇଛନ୍ତି କିଛି ଉଦ୍ୟୋକ୍ତା । ଏଠାକୁ ପିକନିକ ପାଇଁ ଆସୁଥିବା ଛୋଟଛୋଟ ପିଲାମାନେ ଖେଳକୁଦ ତଥା ପାର୍କରେ ବୁଲିବାର ମଜା ଉଠାଇଥାନ୍ତି ।‌ ପାନୀୟ ଜଳ ଓ ରେଷ୍ଟ ସେଡ୍ ଥିବାରୁ ପିକନିକ୍ ଦଳ ଏଠାରେ ଭୋଜି କରିବାର ସୁଯୋଗ ହାତଛଡ଼ା କରିନଥାନ୍ତି । ବର୍ଷବ୍ୟାପୀ ଯୋଗମାୟା ପୀଠରେ ଦିନ ବେଳା ଅନ୍ୟ ଭୋଗ ଲାଗି ହୋଇଥାଏ । ତେଣୁ ଯାତ୍ରୀ, ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ କେବେ ଉପାସ ରୁହନ୍ତି ନାହିଁ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ମନୋରମ ପରିବେଶ ଓ ସମସ୍ତ ଭିତ୍ତିଭୂମି ଥିବାରୁ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟେ। 

swa​​​​​​​