ନୂଆଦିଲ୍ଲୀ : ଇସ୍ରାଏଲ ସେନାକୁ ମିଳିଛି ଏକ ବଡ଼ ସଫଳତା। ଗୁରୁବାର ସେନା ଘୋଷଣା କରିଛି ଯେ , ତିନି ମାସ ପୂର୍ବେ କରାଯାଇ ଥିବା ଏୟାର ଷ୍ଟ୍ରାଇକ୍ରେ ହମାସ ସରକାରର ମୁଖ୍ୟ ରାୱି ମୁସ୍ତାହା ଓ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କର ମୃତ୍ୟୁ ହୋଇଛି। ଏହି ହମଲା ଉତ୍ତର ଗାଜାର ଏକ ଅଣ୍ଡରଗ୍ରାଉଣ୍ଡ କମ୍ପ୍ଲେକ୍ସ ଉପରେ କରାଯାଇ ଥିଲା। ଯାହାକୁ ହମାସର କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର ଭାବେ ବ୍ୟବହାର କରାଯାଉ ଥିଲା। ଇସ୍ରାଏଲ ସେନା ମୁତାବିକ ମୁସ୍ତାହା ଓ କମାଣ୍ଡର ସମେହ ଅଲ-ସିରାଜ ଓ ସମି ଔଦେହ ହମଲା ବେଳେ ସେଠାରେ ଶରଣ ନେଇ ଥିଲେ।
ଇସ୍ରାଏଲ ସେନାର ବୟାନ ଅନୁସାରେ , ମୁସ୍ତାହା ହମାସର ଉଚ୍ଚସ୍ତରୀୟ ନେତାଙ୍କ ମଧ୍ୟରେ ଜଣେ ଥିଲେ ଏବଂ ହମାସର ଫୋର୍ସ ମୁତୟନ ସହ ଜଡ଼ିତ ନିଷ୍ପତ୍ତି ଉପରେ ତାଙ୍କର ସିଧା ପ୍ରଭାବ ଥିଲା। ସମେହ ଅଲ-ସିରାଜ ହମାସର ରାଜନୀତିକ ବ୍ୟୁରୋରେ ସୁରକ୍ଷା ପୋର୍ଟଫୋଲିଓ ଦାୟିତ୍ୱ ନିର୍ବାହ କରୁଥିଲେ, ସମି ଔଦେହ ଜଣେ ମହତ୍ତ୍ୱପୂର୍ଣ୍ଣ କମାଣ୍ଡର ଥିଲେ।
ମୁସ୍ତାହା ହମାସର ବରିଷ୍ଠ ନେତା ୟହ୍ୱା ସିନୱାରଙ୍କ ନିକଟତର ଭାବେ ଜଣାଶୁଣା ଥିଲେ, ଯାହାଙ୍କୁ ୭ ଅକ୍ଟୋବରରେ ଇସ୍ରାଏଲ ଉପରେ ହୋଇଥିବା ହମଲାର ଷଡ଼ଯନ୍ତ୍ରରେ ସାମିଲ ଥିବା କୁହାଯାଉଛି। ସିନୱାର ବର୍ତ୍ତମାନ ଗାଜାରେ କେଉଁଠି ଲୁଚି ଥିବାର ଆଶଙ୍କା କରାଯାଉଛି।
ଏପଟେ ଇସ୍ରାଏଲର ଗାଜାରେ ହମଲା ଥମିବାର ନାଁ ନେଉ ନାହିଁ । ନିକଟରେ ଦକ୍ଷିଣ ଗାଜାରେ ଭୟଙ୍କର ଏୟାରଷ୍ଟ୍ରାଇକ୍ କରାଯାଇଛି , ଯେଉଁଥିରେ ୫୧ ଜଣ ଲକଙ୍କ ମୃତ୍ୟୁ ହୋଇଛି। ଏଥିରେ ମହିଳା ଓ ଛୋଟ ଛୋଟ ପିଲା ମଧ୍ୟ ରହିଛନ୍ତି। ଏହି ହମଲା ସେତେବେଳେ କରାଯାଇଛି , ଯେବେ ଇସ୍ରାଏଲ ଉପରେ ଇରାନ ପକ୍ଷରୁ ମିସାଇଲ ମାଡ଼ କରାଯାଇ ଥିଲା। ୭ ଅକ୍ଟୋବରରେ ହମାସ ଦ୍ୱାରା ଇସ୍ରାଏଲ ଉପରେ କରାଯାଇ ଥିବା ହମଲା ପରେ ଇସ୍ରାଏଲ ଗାଜାରେ ଲଗାତାର ହମଲାକୁ ଦ୍ରୁତ କରିଛି।
ଇସ୍ରାଏଲର ବୋମା ବର୍ଷଣ କେବଳ ଗାଜା ଯାଏ ସୀମିତ ନାହିଁ। ଲେବାନନ ଉପରେ ମଧ୍ୟ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ ଜାରି ରହିଛି। ତାଜା ହମଲାରେ ବେରୁଟ୍ର ବାଚୌରା ଅଞ୍ଚଳରେ ସଂସଦ ପାଖରେ ଏକ ବିଲ୍ଡିଂକୁ ଟାର୍ଗେଟ କରାଯାଇ ଥିଲା, ଯେଉଁଥିରେ ୬ଜଣ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ୭ଜଣ ଲୋକ ଆହତ ହୋଇଛନ୍ତି। ଏହି ହମଲା ଲେବାନନର ସରକାରର ମୁଖ୍ୟାଳୟର ପାଖରେ ହୋଇଛି, ଯାହାକୁ ଏବେ ସୁଦ୍ଧା ସବୁଠୁ ନିକଟତମ ଇସ୍ରାଏଲୀୟ ହମଲା କୁହାଯାଉଛି।